ଶୋଇବାକୁ ଅଫିସ ଆସିଲେ ମିଳିବ ମୋଟା ଅଙ୍କ ଦରମା । ଏହି କମ୍ପାନୀ ଦେଉଛି ଏଭଳି ଚାକିରି

879

କନକ ବ୍ୟୁରୋ: ସମସ୍ତେ ନିଜ ମନ ପସନ୍ଦର ଚାକିରି ଖୋଜିଥାନ୍ତି । ଯେପରି ଭଲରେ କାମ କରିବା ସହ ଭଲ ଦରମା ମଧ୍ୟ ମିଳିବ । କିନ୍ତୁ ହୁଏତ ତାହା ସବୁବେଳେ ସମ୍ଭବ ହୋଇନଥାଏ । ଆଉ ଚାକିରି କରିବା ଅନେକ ସମୟରେ ସମସ୍ୟା ସୃଷ୍ଟି କରେ । ଏଭଳି ସ୍ଥିତିରେ ଲୋକେ କୌଣସି ଭଲ କାମ ଖୋଜିଥାନ୍ତି । କିନ୍ତୁ ଏବେ ଆମେରିକାର ଏକ କମ୍ପାନୀ ଏଭଳି ଚାକିରି ବାହାର କରିଛି, ଯେଉଁଥିରେ ଚାକିରି ସମୟରେ ଶୋଇବାକୁ ପଡିବ । କହିବାର ମାନେ ଅଫିସ ଆସିବେ ହେଲେ ଅନ୍ୟ କୌଣସି କାମ ନକରି କେବଳ ପୁରା ଆରାମରେ ଶୋଇବେ ଏବଂ ମାସ ଶେଷକୁ ମୋଟା ଅଙ୍କର ଦରମା ନେବେ ।

ପ୍ରକୃତରେ ଆମେରିକୀୟ ମ୍ୟାଟ୍ରେସ୍ କମ୍ପାନୀ ‘କ୍ୟାସପର’ ଏହି ଚାକିରି ବାହାର କରିଛି । ଏହି କମ୍ପାନୀ ନିଜ ୱେବସାଇଟ୍ରେ ଏହି ଚାକିରି ପଇଁ କିଛି ଯୋଗ୍ୟତା ବିଷୟରେ ମଧ୍ୟ କହିଛି । ତେବେ ଏହା କେବଳ ସେହି ଲୋକମାନଙ୍କ ପାଇଁ ଯେଉଁମାନଙ୍କ ଖୁବ୍ ନିଦ ଆସିଥାଏ । ଯେଉଁମାନେ ଏହି ପଦରେ ଆବେଦନ କରିବାକୁ ଚାହିଁବେ ସେମାନଙ୍କ ପାଖରେ ଅସାଧାରଣ ନିଦ କ୍ଷମତା ଥିବା ଦରକାର । ଏହ ବ୍ୟତୀତ ଟିକଟକ୍ ଭିଡିଓ ମଧ୍ୟ ତିଆରି କରି ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ପଡିବ । ଭିଡିଓରେ ପ୍ରାର୍ଥୀଙ୍କୁ ମ୍ୟାଟ୍ରେସରେ ଶୋଇବାର ଅନୁଭବକୁ ଅତି ଆକର୍ଷଣୀୟ ଢଙ୍ଗରେ କହିବାକୁ ପଡିବ ।

କମ୍ପାନୀ ଅନୁଯାୟୀ, ଯେଉଁ ପ୍ରାର୍ଥୀ ଚୟନ ହେବେ, ସେ କାମ ସମୟରେ ପାଇଜାମା ପିନ୍ଧିବେ । ଏହାବ୍ୟତୀତଚମ୍ପାନୀ ପକ୍ଷରୁ ଦିଆଯାଉଥିବା ପ୍ରଡକ୍ଟକୁ ମାଗଣାରେ ମଧ୍ୟ ବ୍ୟବହାର କରିପାରିବେ । କମ୍ପାନୀ ଏଥିପାଇଁ ୧୮ ବର୍ଷରୁ ଅଧିକ ବୟସ ପ୍ରାର୍ଥୀଙ୍କୁ ଆବେଦନ କରିବା ପାଇଁ ବିଜ୍ଞପ୍ତି ଜାରି କରିଛି । ଏହା ସହ କିପରି ଆବେଦନ କରିବାକୁ ହେବ ତାହା ମଧ୍ୟ ୱେବସାଇଟରେ ଉଲ୍ଲେଖ କରିଛି । କିନ୍ତୁ ସବୁ ଯୋଗ୍ୟତା ମଧ୍ୟରେ ମୁଖ୍ୟ ଯୋଗ୍ୟତା ହେଉଛି ପ୍ରାର୍ଥୀଙ୍କର ଭଲ ଭାବରେ ଶୋଇବାର ସାମର୍ଥ୍ୟ ଥିବା ଦରକାର ।

ଏହି ବିଶେଷ ଚାକିରି ପାଇଁ ଡ୍ରେସ୍ କୋଡ୍ ରହିଛି । ଏଥିପାଇଁ ପ୍ରାର୍ଥୀcasper.com/jobs ସାଇଟରେ ଆବେଦନ କରିପାରିବେ । ନ୍ୟୟର୍କର ଏହି କ୍ୟାସପର କମ୍ପାନୀ ୨୦୧୪ରେ ପ୍ରତିଷ୍ଠା ହୋଇଥିଲା । ଏହି ପଦ ପାଇଁ ନ୍ୟୁୟର୍କ ବାସିନ୍ଦା ଆବେଦନ କରିପାରିଲେ ଭଲ, କିନ୍ତୁ ଅନ୍ୟ ସହରର ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ । ଏଥିପାଇଁ ବୟସ ସୀମାରୁ ୧୮ ବର୍ଷରୁ ଅଧିକ ରହିଛି । ତେବେ ଆବେଦନ ପାଇଁ ପ୍ରାର୍ଥୀ ନିଜ ବାୟୋଡାଟା ମେଲ କରିବା ସହ ‘ସ୍ଲିପ୍ ସ୍କିଲ୍’ର ଏକ ଟିକ ଟକ୍ ଭିଡିଓ ମଧ୍ୟ ସଂଲଗ୍ନ କରି ପଠାଇବାକୁ ପଡିବ ।

ଏହାପୂର୍ବରୁ ମଧ୍ୟ ଆମେରିକାର ଆଉ ଏକ କମ୍ପାନୀ ଏପରି ,କ ମଜାଦାର ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିଲା । କ୍ୟାଣ୍ଡି ଫନ୍ ହାଉସ୍ ନାଁରେ ଆରମ୍ଭ ହୋଇଥିବା ଏହି କମ୍ପାନୀ ପ୍ରାର୍ଥୀଙ୍କୁ କ୍ୟାଣ୍ଡି ଖାଇବାକୁ ନିଯୁକ୍ତି ଘୋଷଣା କରିଥିଲା । କମ୍ପାନୀ ମୁତାବକ, କର୍ମଚାରୀଙ୍କୁ କ୍ୟାଣ୍ଡି ଖାଇବା ପରେ ଏହାର ସ୍ୱାଦକୁ ଅତି ମଜାଳିଆ ଭାବେ ବଖାଣିବା ଦରକାର । ଏଥିପାଇଁ କମ୍ପାନୀ ବର୍ଷକୁ ୭୮ ଲକ୍ଷ ଟଙ୍କା ପ୍ୟାକେଜ ରଖିଥିଲା । ମାସକୁ ୬.୫ ଲକ୍ଷ ଟଙ୍କା ପ୍ରାର୍ଥୀଙ୍କ ପାଇଁ ଧାର୍ଯ୍ୟ ହୋଇଥିଲା ।