ପ୍ଲମ୍ବର, କାରପେଣ୍ଟର, କ୍ୟାନସର୍…ମୃତ୍ୟୁ ସହ ଲଢି ବିଜୟୀ ହୋଇଥିବା ଏହି ଖେଳାଳୀ ଅଷ୍ଟ୍ରେଲିଆକୁ ବନାଇଲେ ବିଶ୍ୱ ବିଜେତା ।

318

କନକ ବ୍ୟୁରୋ : ଟି-୨୦ କ୍ରିକେଟକୁ ମିଳିଛି ନୂଆ ବିଶ୍ୱ ବିଜେତା । ୧୪ ବର୍ଷର ଅପେକ୍ଷା ପରେ ଶେଷରେ ଅଷ୍ଟ୍ରେଲିଆ ପିନ୍ଧିଛି ଟି-୨୦ ବିଶ୍ୱକପର ବିଜୟ ମୁକୁଟ । ରବିବାର ଖେଳାଯାଇଥିବା ହାଇଭୋଲଟେଜ୍ ଫାଇନାଲ୍ ଫାଇଟରେ ନ୍ୟୁଜିଲାଣ୍ଡକୁୁ ୮ ୱିକେଟରେ ପରାସ୍ତ କରି ଚାମ୍ପିୟନ୍ ବନିଛି ଅଷ୍ଟ୍ରେଲିଆ । ଫାଇନାଲ ମୁକାବିଲାରେ ମିଚେଲ୍ ମାର୍ସ ନୂଆ ହିରୋ ଭାବେ ସାମ୍ନାକୁ ଆସିଛନ୍ତି ସତ, କିନ୍ତୁ ଯେଉଁ ଖେଳାଳୀଙ୍କ ପାଇଁ ଅଷ୍ଟ୍ରେଲିଆ ଫାଇନାଲ୍ ଟିକେଟ୍ ହାତେଇଥିଲା, ତାଙ୍କ ସଂଘର୍ଷର କାହାଣୀ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦବ ।

ଟି-୨୦ ବିଶ୍ୱକପ୍ ୨୦୨୧ର ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ । ପାକିସ୍ତାନ ବିପକ୍ଷରେ ଦମଦାର ବ୍ୟାଟିଂ କରି ଦୁର୍ଦ୍ଦଶ ବୋଲର ସାହିନ ଆଫ୍ରିଦିଙ୍କୁ ହାଟ୍ରିକ୍ ଛକା ମାରି ଅଷ୍ଟ୍ରେଲିଆକୁ ଫାଇନାଲରେ ପହଞ୍ଚାଇଥିଲେ ମ୍ୟାଥୁ ୱେଦ୍ । ତେବେ ଆସନ୍ତୁ ଜାଣିବା ମ୍ୟାଥୁ ୱେଦଙ୍କ ଜୀବନର ସଂଘର୍ଷର କାହାଣୀ ।

ଜୀବନରେ ଅନେକ ସଂଘର୍ଷର ରାସ୍ତା ଅତିକ୍ରମ କରି ସଫଳତା ପାଇଛନ୍ତି ଏହି ଅଷ୍ଟ୍ରେଲୀୟ ଖେଳାଳୀ । ୧୬ ବର୍ଷ ବୟସ ହୋଇଥିବା ବେଳେ, ଥରେ ଫୁଟବଲ ଖେଳୁଥିବା ବେଳେ ଆହତ ହୋଇ ଯେତେବେଳେ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେତେବେଳେ ତାଙ୍କୁ ଟେଷ୍ଟିକୁଲାର କ୍ୟାନ୍ସର ଥିବା ଜଣାପଡିଥିଲା । ଏପରିକି ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ପ୍ରଥମେ ପ୍ଲମ୍ବର ଏବଂ ପରେ କାରପେଣ୍ଟର ଭାବେ ମଧ୍ୟ କାମ କରିଛନ୍ତି ମ୍ୟାଥୁ ୱେଦ୍ ।

କୁହାଯାଏ, କଠିନ ପରିଶ୍ରମ କଲେ ସଫଳତା ଆପେ ଆପେ ମିଳିଯାଏ । ଆଉ ଏହି ଉକ୍ତିର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଅଷ୍ଟ୍ରେଲିଆର ଏହି ଷ୍ଟାର ଖେଳାଳୀ ମ୍ୟାଥୁ ୱେଦ୍ । ଜୀବନରେ ଅନେକ କଷ୍ଟର ସେ ସାମ୍ନା କରିଛନ୍ତି । ଆଉ କ୍ରିକେଟ୍ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା, ଏବଂ ପରିଶ୍ରମ ତାଙ୍କୁ ଏକ ନୂଆ ପରିଚୟ ଦେଇଛି । ଆଉ ଅଷ୍ଟ୍ରେଲିଆକୁ ଟି-୨୦ ବିଶ୍ୱକପରେ ପ୍ରଥମ ବିଜୟୀ କରାଇବାରେ ମ୍ୟାଥୁ ୱେଦଙ୍କର ଭୂମିକା କେବିବି ଭୁଲିବନି ଅଷ୍ଟ୍ରେଲିଆ ।