ଏପଟେ ଧୋନୀ, ସେପଟେ ହେଡେନ୍ । ଅଷ୍ଟ୍ରେଲିଆର ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ୍ ହେଲେ ପାକିସ୍ତାନର ହେଡ୍ କୋଚ୍, ଏପଟେ ଧୋନୀ ଅଛନ୍ତି ଭାରତର ମେଣ୍ଟର ।

824

କନକ ବ୍ୟୁରୋ : ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ବନିଲେ ପାକିସ୍ତାନର ହେଡ୍ କୋଚ୍ । ଆଗାମୀ ଟି-୨୦ ବିଶ୍ୱକପ ପାଇଁ ପାକିସ୍ତାନର ହେଡ୍ କୋଚ୍ ଭାବେ ହେଡେନଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଭେର୍ନନ୍ ଫିଲାଣ୍ଡରଙ୍କୁ ପାକିସ୍ତାନର ବୋଲିଂ କୋଚ୍ କରାଯାଇଛି । ଆସନ୍ତା ଅକ୍ଟୋବର ୧୭ ତାରିଖରୁ ୟୁଏଇ ଏବଂ ଓମାନ ଠାରେ ଆୟୋଜିତ ହେବ ଟି-୨୦ ବିଶ୍ୱକପ୍ ।

ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳୀ ମ୍ୟାଥ୍ୟୁ ହେଡେନ୍ ଜଣେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ । ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଭାବେ ତାଙ୍କର ଅନେକ ଖ୍ୟାତି ରହିଥିବା ବେଳେ ପାକିସ୍ତାନର ହେଡ୍ କୋଚ୍ ଭାବେ ତାଙ୍କୁ ଦାୟିତ୍ୱ ମିଳିବା ପାକିସ୍ତାନ ଖେଳାଳୀଙ୍କ ମନୋବଳ ବଢାଇବ । ତେବେ ଏହାରି ମଧ୍ୟରେ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ରମିଜ ରାଜାଙ୍କୁ ସର୍ବସମ୍ମତି କ୍ରମେ ପାକିସ୍ତାନ କ୍ରିକେଟ୍ ବୋର୍ଡର ନୂଆ ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି । ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ, ସେ ଏହି ଦାୟିତ୍ୱ ସମ୍ଭାଳିବେ ।

ଅକ୍ଟୋବର ୧୭ ତାରିଖରୁ ଟି-୨୦ ବିଶ୍ୱକପ୍ ଆରମ୍ଭ ହେଉଥିବା ବେଳେ ଅକ୍ଟୋବର ୨୪ ତାରିଖରେ ହେବ ବିଶ୍ୱକପର ସବୁଠୁ ବଡ ମୁକାବିଲା । ଦୁବାଇରେ ଖେଳାଯିବ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍ । ଗୋଟିଏ ପଟେ ମ୍ୟାଥ୍ୟୁ ହେଡେନଙ୍କୁ ପାକିସ୍ତାନର ହେଡ୍ କୋଚ୍ ଦାୟିତ୍ୱ ମିଳିଥିବା ବେଳେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଭାରତୀୟ କ୍ରିକେଟ୍ ଟିମର ମେଣ୍ଟର ଦାୟିତ୍ୱ ଦିଆଯାଇଛି ।