କେଉଁ ଆଧାରରେ ବାହାରିବ ମାଟ୍ରିକ୍‌ ଫଳ ? ବିକଳ୍ପ ବାଟ ଖୋଜିବାକୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

643

କନକ ବ୍ୟୁରୋ : କେଉଁ ଆଧାରରେ ବାହାରିବ ମାଟ୍ରିକ୍‌ ଫଳ ? ପ୍ରାକ୍ଟିସ୍‌ ପରୀକ୍ଷା ମାର୍କକୁ ବିଚାରକୁ ନିଆଯିବ ନା ଆଉ କିଛି ପନ୍ଥା ଆପଣାଇବେ ? ପରୀକ୍ଷା ବାତିଲ୍‌ ନେଇ ରାଜ୍ୟ ସରକାରଙ୍କ ଘୋଷଣା ପରେ ସମସ୍ତଙ୍କ ମନରେ ଏଭଳି ପ୍ରଶ୍ନ ଉଙ୍କି ମାରୁଛି । ଛାତ୍ରଛାତ୍ରୀ ଓ ଅଭିଭାବକ ଏହାକୁ ନେଇ ଚିନ୍ତାରେ ଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ଏବେ ହରଡ଼ଘଣାରେ ପଡ଼ିଛନ୍ତି। ରାଜ୍ୟର କେତେକ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ସମ୍ପୃକ୍ତ ଜିଲ୍ଲାର ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଚିଠି ଲେଖି ପିଲାଙ୍କ ପ୍ରାକ୍ଟିସ୍‌(ଅଭ୍ୟାସ) ପରୀକ୍ଷା ମାର୍କ ଦେବାକୁ କହିଛନ୍ତି । ଯେଉଁଥିପାଇଁ ଅଭିଭାବକମାନେ ଏବେ ସ୍କୁଲ କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇବା ଆରମ୍ଭ କଲେଣି । ପ୍ରାକ୍ଟିସ୍‌ ପରୀକ୍ଷା ବେଳେ ଯେଉଁ ପିଲା ଗୋଟିଏ ବିଷୟରେ ୧୮ମାର୍କ ରଖିଛନ୍ତି, ତାହାକୁ ୮୦ ମାର୍କ କରିବା ଲାଗି ଅଭିଭାବକମାନେ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଘେରୁଛନ୍ତି । ଆଉ କିଛି ଅଭିଭାବକ ସିଧାସିଧା ଉତ୍ତରଖାତା ଘରକୁ ଦେବା ଲାଗି ଦାବି କରୁଛନ୍ତି । ରାଜ୍ୟର ଅନ୍ୟ ସ୍ଥାନ କଥା ଦୂରେ ଥାଉ, ଗତ ୪ଦିନ ମଧ୍ୟରେ ରାଜଧାନୀର ୩ଟି ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅଭିଭାବକମାନେ ଘେରି ପିଲାର ମାର୍କ ବଢ଼ାଇବା ପାଇଁ ଦାବି କରିଛନ୍ତି। ଏପରିକି ଧମକ ବି ଦେଇଛନ୍ତି ।

ଇତିମଧ୍ୟରେ ସୁନ୍ଦରଗଡ଼ ଡିଇଓଙ୍କ ଏକ ଚିଠି ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କୁହାଯାଇଛି ଯେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଭିନ୍ନ ସମୟରେ କରାଯାଇଥିବା ପ୍ରାକ୍ଟିସ୍‌ ପରୀକ୍ଷାରେ ଛାତ୍ରଛାତ୍ରୀ ରହିଥିବା ମାର୍କକୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଜିଲ୍ଲାସ୍ତରୀୟ ଏକାଡେମିକ କମିଟିରେ ଅନୁଧ୍ୟାନ କରାଯିବ। ତେଣୁ ପିଲାର ୪ଟି ପ୍ରାକ୍ଟିସ୍‌ ପରୀକ୍ଷା ମାର୍କ ଓ ପରସେଣ୍ଟେଜ୍‌ ମେ’ ୫ସୁଦ୍ଧା ଦାଖଲ କରିବାକୁ ଜିଲ୍ଲାର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ କୁହାଯାଇଛି। ଉଭୟ ସଫ୍ଟ ଓ ହାର୍ଡକପି ଦାଖଲ କରିବାକୁ କୁହାଯାଇଥିବା ବେଳେ ଯେଉଁ ପିଲା ପରୀକ୍ଷା ଦେଇନାହାନ୍ତି, ତାଙ୍କର ଜିରୋ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଉ କିଛି ଡିଇଓ ଗୋଟିଏ, ଯୋଡ଼ିଏ କିମ୍ବା ଶେଷ ପ୍ରାକ୍ଟିସ୍‌ ପରୀକ୍ଷାରେ ଛାତ୍ରଛାତ୍ରୀ ରହିଥିବା ମାର୍କ ମଗାଇଛନ୍ତି। ତେବେ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ କିଛି କୁହାଯାଇ ନଥିବାରୁ ସେଠାରେ ପଢ଼ୁଥିବା ପିଲା ଓ ଅଭିଭାବକ ଏବେ ଦ୍ବନ୍ଦ୍ବରେ ପଡ଼ିଛନ୍ତି । ବିକଳ୍ପ ବାଟ ଖୋଜିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ପରିଷଦକୁ କୁହାଯାଇଛି। ବିନା ଦ୍ବନ୍ଦ୍ବ ଓ ବିବାଦରେ ପିଲାଙ୍କ ପରୀକ୍ଷାଫଳ ଯେପରି ପ୍ରକାଶ ପାଇ ପାରିବ, ତାହା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି । ଯାହାକୁ ନେଇ ପରିଷଦର ଅଧିକାରୀମାନେ ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି ।

ଗତକାଲି ପରିଷଦର ପରୀକ୍ଷା ପରିଚାଳନା କମିଟି ବୈଠକ ବସି ଏହା ଉପରେ ବ୍ୟାପକ ବିଚାରବିମର୍ଶ କରାଯାଇଛି। କେଉଁ ଉପାୟ‌‌ରେ ପରୀକ୍ଷା ଫଳ ବାହାର କରାଯିବ, ସେନେଇ ପ୍ରାୟ ୩ ଘଣ୍ଟା ମାନସମନ୍ଥନ ହୋଇଥିଲା। ତା’ ପରେ ବି କୌଣସି ନିଷ୍କର୍ସ ବାହାରି ପାରିନାହିଁ। ପ୍ରାକ୍ଟିସ୍‌ ମାର୍କ କଥା ବୈଠକରେ ଉଠିଥିଲେ ମଧ୍ୟ ସବୁ ପିଲା ପରୀକ୍ଷା ଦେଇ ନଥିବାରୁ ସମସ୍ୟା ସୃଷ୍ଟି ହୋଇଛି। ତେଣୁ ଶିକ୍ଷା ବିଶେଷଜ୍ଞଙ୍କଠାରୁ ମତାମତ ଲୋଡ଼ା ଯାଇଛି । ସେମାନେ ପ୍ରସ୍ତାବ ଦେବା ପରେ ତାହାକୁ ବିଚାରକୁ ନିଆଯାଇ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି। କେତେଜଣ ବିଶେଷଜ୍ଞ କହିଛନ୍ତି ଯେ ଯେବେ ହେଉ ପଛେ, ଛୋଟ ପରୀକ୍ଷାର ଆବଶ୍ୟକତା ରହିଛି। ପିଲାଙ୍କ ଭବିଷ୍ୟତ କଥା ହୋଇଥିବାରୁ ପ୍ରାକ୍ଟିସ୍‌ ମାର୍କକୁ ଆଧାର କରି ବୋର୍ଡ ପରୀକ୍ଷା ମାର୍କ ଦେଇପାରିବା ନାହିଁ। ଯଦିଓ ମାର୍କ ଦେବା, ତେବେ ଗ୍ରେଡେସନ୍‌ କେମିତି ବାହାର କରିବା। ତାହା ବି ଏକ ସମସ୍ୟା। ଏହାଦ୍ବାରା ବହୁ ମେଧାବୀ ପିଲା ବଳି ପଡ଼ିବାର ଆଶଙ୍କା ମଧ୍ୟ ରହିଛି।