ଆସନ୍ତାକାଲି ମାଟ୍ରିକ ସମେଟିଭ୍-୧ ପରୀକ୍ଷା । ପରୀକ୍ଷା ପରେ ସ୍କୁଲ ବନ୍ଦ ନେଇ ହୋଇପାରେ ନିଷ୍ପତି ।

575

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା । ୫ରୁ ୮ ତାରିଖ ପର୍ଯ୍ୟନ୍ତ ୪ ଦିନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପରୀକ୍ଷା ପାଇଁ ୩ ହଜାର ୯୩ କେନ୍ଦ୍ର କରାଯାଇଥିବା ବେଳେ ୩୧୧ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିସାରିଛି । ଅନ୍ୟପଟେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ୧୦ତାରିଖରୁ ରାଜ୍ୟରେ ସ୍କୁଲ ଓ ଜୁନିଅର କଲେଜଗୁଡିକୁ ବନ୍ଦ କରିବାକୁ ରାଜ୍ୟ ସରକାର ଚିନ୍ତା କରୁଥିବା ନେଇ ଚର୍ଚ୍ଚା ହେଉଛି ।

ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା । ସମଗ୍ର ରାଜ୍ୟରୁ ପରୀକ୍ଷା ଦେବେ ୫ ଲକ୍ଷ ୭୬ ହଜାର ୨୨୩ ପରୀକ୍ଷାର୍ଥୀ । ପ୍ରଥମ ୩ ଦିନ ୨ଟି ସିଟିଂରେ ହେବ ଥିଓରୀ ପରୀକ୍ଷା । ୮ ତାରିଖରେ ହେବ ପ୍ରାକ୍ଟିକାଲ ପରୀକ୍ଷା । ପରୀକ୍ଷା ପାଇଁ ୩ ହଜାର ୯୩ କେନ୍ଦ୍ର କରାଯାଇଥିବା ବେଳେ ୩୧୧ ନୋଡାଲ ସେଣ୍ଟରରେ ପ୍ରଶ୍ନ ପତ୍ର ପହଞ୍ଚି ସାରିଛି । ସେଥି ମଧ୍ୟରୁ ୨୨ଟି ଥାନାରେ ରଖାଯାଇଛି ପ୍ରଶ୍ନ ପତ୍ର । ସକାଳ ସାଢ଼େ ୮ଟା ବେଳେ ନୋଡାଲ ସେଣ୍ଟରରୁ ପ୍ରଶ୍ନ ପତ୍ର ପରୀକ୍ଷା କେନ୍ଦ୍ର ଗୁଡିକରେ ପହଞ୍ଚିବ ।

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବୋର୍ଡ ଦ୍ୱାରା ଦିଆଯାଇଥିବା ଗାଇଡଲାଇନ ଅନୁଯାୟୀ ସେଣ୍ଟରଗୁଡିକ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ କରାଯାଇଛି । ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରତିଟି ପରୀକ୍ଷା ହଲରେ ୨୪ ଜଣ ପରୀକ୍ଷାର୍ଥୀ ବସି ପରୀକ୍ଷା ଦେବେ । ସେହିପରି ପରୀକ୍ଷା କେନ୍ଦ୍ରଗୁଡ଼ିକୁ ମୋବାଇଲ ନେବାକୁ ମନା କରାଯାଇଛି ।

ମାଟ୍ରିକ ସମେଟିଭ ୧ ପରୀକ୍ଷା ୫ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ । ଯୁକ୍ତ ଦୁଇର ଟର୍ମ ଏଣ୍ଡ ପରୀକ୍ଷା ମଧ୍ୟ ୧୦ ତାରିଖ ମଧ୍ୟରେ ଶେଷ କରିବାପାଇଁ ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ କଲେଜଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ୧୦ତାରିଖରୁ ରାଜ୍ୟରେ ସ୍କୁଲ ଓ ଜୁନିଅର କଲେଜଗୁଡିକୁ ବନ୍ଦ କରିବାକୁ ରାଜ୍ୟ ସରକାର ଚିନ୍ତା କରୁଥିବା ନେଇ ଚର୍ଚ୍ଚା ହେଉଛି ।