ପରୀକ୍ଷା ଦେଉଛନ୍ତି ମାଟ୍ରିକ ପିଲା । ସଂକ୍ରମଣ ଆଶଙ୍କାରେ ମାଟ୍ରିକ ପରୀକ୍ଷାକୁ ବାତିଲ କରିଥିଲେ ସରକାର, ହେଲେ ବାକି ଥିବା ପ୍ରି-ବୋର୍ଡ ପରୀକ୍ଷା ସାରିବାକୁ ଛାତ୍ରଛାତ୍ରୀଙ୍କୁ ଡକାଇଦେଲେ ସ୍କୁଲ କର୍ତ୍ତୃପକ୍ଷ ।

261

କନକ ବ୍ୟୁରୋ: ମହାମାରୀ ଭିତରେ ସ୍କୁଲରେ ପରୀକ୍ଷା ଦେଉଛନ୍ତି ମାଟ୍ରିକ ପିଲା । ସଂକ୍ରମଣ ଆଶଙ୍କାରେ ପରୀକ୍ଷାକୁ ବାତିଲ କରିଛନ୍ତି ସରକାର । ହେଲେ ବାକି ଥିବା ପ୍ରି-ବୋର୍ଡ଼ ପରୀକ୍ଷା ସାରିବାକୁ ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କୁ ଡ଼କାଇ ପରୀକ୍ଷା କରିଛନ୍ତି ସ୍କୁଲ କର୍ତୃପକ୍ଷ । ସଂକ୍ରମଣ ପାଇଁ କଟକଣା ଲଗାଯାଇଥିବା ବେଳେ ଏହି କଟକଣାକୁ ଫୁ କରି ଶ୍ରେଣୀ ଗୃହରେ ପିଲାଙ୍କୁ ବସାଇ ପରୀକ୍ଷା କରିଛନ୍ତି ସ୍କୁଲ କର୍ତୃପକ୍ଷ ।

ମୟୁରଭଂଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ପାଇକସାହି ଗାଁର ଶ୍ରୀ ଚୌତନ୍ୟ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଆସିଛି ଏମିତି କିଛି ଘଟଣା । ପ୍ରଧାନଶିକ୍ଷକ ରାମହରି ପ୍ରମାଣିକ ଦଶମ ଶ୍ରେଣୀ ପିଲାଙ୍କୁୁ ପିଲାଙ୍କୁ ଡ଼ାକି ପରୀକ୍ଷା କରୁଥିବା ଖବର ଜଣାପଡ଼ିବା ପରେ ଉତ୍ତେଜନା ଦେଖାଦେଇଥିଲା ।

ତେବେ ଆସନ୍ତା ସୋମବାର ସୁଦ୍ଧା ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ପୂର୍ବରୁ ହୋଇଥିବା ୪ଟି ପ୍ରାକ୍ଟିସ ପରୀକ୍ଷାର ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲା ଶିକ୍ଷାଧିକାରୀ ସମସ୍ତ ସ୍କୁଲକୁ ଚିଠି କରିଛନ୍ତି ବୋଲି ପ୍ରଧାନଶିକ୍ଷକ କହିଛନ୍ତି । ଏହି ପରୀକ୍ଷା ଗତମାସରେ ସରିବା କଥା ହେଲେ ତାଙ୍କ ସ୍କୁଲରେ ଗୋଟିଏ ବିଷୟରେ ପରୀକ୍ଷା ରହିଯାଇଥିଲା । ଏପଟେ ପରୀକ୍ଷା ରିପୋର୍ଟ ଦେବାକୁ ଚାପ ପଡ଼ିବାରୁ କଟକଣା ଭାଙ୍ଗି ପିଲାଙ୍କୁ ପରୀକ୍ଷା ଦେବାକୁ ସେ ଡ଼ାକିଥିଲେ । ଏହା ଜଣାପଡ଼ିବା ପରେ କିଛି ଅଭିଭାବକ ଏହାର ପ୍ରତିବାଦ କରିଛନ୍ତି । ଉତ୍ତେଜନା ଦେଖାଦେବାରୁ ପରୀକ୍ଷା ବନ୍ଦ କରି ଦେଇଥିଲେ ପ୍ରଧାନଶିକ୍ଷକ ।