କନକ ବ୍ୟୁରୋ: ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୋପାନ କୁହାଯାଉଥିବା ମାଟ୍ରିକ ପରୀକ୍ଷା ଦେଇ ବେଶ ଖୁସିରେ ଫେରିଛନ୍ତି ୫ ଲକ୍ଷ ଛାତ୍ରଛାତ୍ରୀ । ହେଲେ ଏହି ପରୀକ୍ଷାରେ ବସିବା ଆଗରୁ ଆଖି ବୁଝି ଦେଇଛନ୍ତି ବଲାଙ୍ଗୀରର ବିନାୟକ ପ୍ରଧାନ । ମାଟ୍ରିକ ପରୀକ୍ଷା ଦେବେ ବୋଲି ବର୍ଷ ତମାମ୍ ପରିଶ୍ରମ କରୁଥିଲେ । ହେଲେ ପରୀକ୍ଷାର ମାତ୍ର କିଛି ଘଣ୍ଟା ପୂର୍ବରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ । ଭୋର୍ ପ୍ରାୟ ୪ଟା ବେଳେ ହଷ୍ଟେଲ ବାଥରୁମରୁ ଉଦ୍ଧାର ହୋଇଛି ମୃତଦେହ ।

  • ନାଁଁ: ବିନାୟକ ପ୍ରଧାନ
  • ଠିକଣା: ତଲିଉଡ଼ା, ବଲାଙ୍ଗୀର

ବଲାଙ୍ଗୀର ବିଶ୍ୱାତ୍ମା ବିଦ୍ୟାମନ୍ଦିର ହଷ୍ଟେଲରେ ରହିପାଠ ପଢୁଥିଲେ । ବିନାୟକ ଭଲ ଛାତ୍ର ବି ଥିଲେ । ଏମିତି କି ଗତକାଲି ବିଳମ୍ବିତ ରାତି ଯାଏଁ ବସି ପଢୁଥିଲେ । ହେଲେ ସକାଳୁ ସହପାଠୀମାନେ ତାଙ୍କ ମୃତଦେହ ଦେଖି ହଷ୍ଟେଲ କର୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ । ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲ୍ ନିଆଯାଇଥିଲା । ହେଲେ ଡାକ୍ତର ବିନାୟଙ୍କ ମୃତ୍ୟୁ ଘୋଷଣା କରିଥିଲେ । ଯଦିଓ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଛନ୍ତି ବୋଲି କର୍ତୃପକ୍ଷ କହୁଛନ୍ତି, କିନ୍ତୁ ବିନାୟକଙ୍କ ପରିବାର ଲୋକ, ହତ୍ୟା କରି ଝୁଲାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ।

  • ପିଲାଙ୍କ ଚାପ ବଢ଼ାଉଛି କି ପରୀକ୍ଷା?
  • ଦକ୍ଷତାଠୁ ଅଧିକ ଆଶା ରଖୁଛନ୍ତି କି ଅଭିଭାବକ?

ପରୀକ୍ଷା କେନ୍ଦ୍ର ବାହାରେ ପିଲାଙ୍କୁ ଅପେକ୍ଷା କରିଛନ୍ତି ଅଭିଭାବକ ଓ ଶିକ୍ଷୟକ- ଶିକ୍ଷୟତ୍ରୀ । ସମସ୍ତଙ୍କର ଚେହରା ଦେଖିଲେ ସହଜରେ ବୁଝିହେଉଛି ଯେ, ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଯେତେ ଚାପରେ ଅଛନ୍ତି ତା ଠାରୁ ଅଧିକ ଏମାନେ ବି ଚାପରେ ଅଛନ୍ତି । ଭଲ ଗ୍ରେଡ୍ ରଖିବାର ପ୍ରତିଯୋଗିତା ଦୌଡରେ ଏମାନେ ବି ଅଛନ୍ତି । ଆଉ ଏହାର ଚାପ ପଡୁଛି ସିଧାସଳଖ ପରୀକ୍ଷାର୍ଥୀଙ୍କ ଉପରେ ।

ମାଟ୍ରିକ ପରୀକ୍ଷା ବେଳେ ଅନେକ ଛାତ୍ରଛାତ୍ରୀ ଚାପରେ ରହିଥାନ୍ତି । ତେବେ ଏହି ସମୟରେ କେମିତି ଚାପମୁକ୍ତ ରହିବେ ସେ ନେଇ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ଡାକ୍ତର । ମାଟ୍ରିକ ପରୀକ୍ଷା ଜୀବନର ଶେଷ ପରୀକ୍ଷା ନୁହେଁ, ତେଣୁ ଚାପମୁକ୍ତ ହୋଇ ପରୀକ୍ଷା ଦେଲେ ପରୀକ୍ଷା ଭଲ ହେବ ବୋଲି ପରାମର୍ଶ ଦେଇଛନ୍ତି ଡାକ୍ତର । ତେବେ ବଲାଙ୍ଗୀର ଜିଲ୍ଳାର ମାଟ୍ରିକ ଛାତ୍ର ବିନାୟକଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି, ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ କାରଣ ଖୋଜିବା ଆରମ୍ଭ କରିଛି ପୁଲିସ୍ ।