ମାର୍କ ମିଳିଲା ଶହେକୁ ଶହେ: ୮ ହଜାର ୧୧୯ ଜଣଙ୍କୁ ଏ-ୱାନ ଗ୍ରେଡ୍

452

କନକ ବ୍ୟୁରୋ: ଅଫଲାଇନ ପରୀକ୍ଷା ସତ୍ୱେ ଭଲ ରେଜଲ୍ଟ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଏମିତି ଉତ୍ସାହ । ମିଠା ଖୁଆଇ ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଖୁସି ମନାଇଛନ୍ତି । ଓଡିଶା ବୋର୍ଡ ଅଧିନରେ ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ନୂଆ ରେକର୍ଡ କରିଛନ୍ତି । ଯାହା ପୂର୍ବରୁ କେବେ ହୋଇନଥିଲା, ତାହା ଏଥର କରି ଦେଖାଇଛନ୍ତି ଛାତ୍ରଛାତ୍ରୀ ।

ଶିବରାମ ପାତ୍ର । ବ୍ରହ୍ମପୁରର ଏହି ଛାତ୍ର ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୫୯୮ ନମ୍ବର ରଖିଛନ୍ତି । ସାହିତ୍ୟ-୧୦୦, ଇଂରାଜୀ-୧୦୦, ହିନ୍ଦୀ-୧୦୦, ସାମାଜିକ ବିଜ୍ଞାନ- ୧୦୦, ଗଣିତ-୯୯, ବିଜ୍ଞାନ-୯୯ । ଅର୍ଥାତ ମାତ୍ର ଦୁଇଟି ବିଷୟକୁ ଛାଡି ଅନ୍ୟ ସମସ୍ତ ବିଷୟରେ ଶହେରୁ ଶହେ ମାର୍କ ରଖିଛନ୍ତି ।

ସେହିପରି ବ୍ରହ୍ମପୁରର ଶାଶ୍ୱତ ସାହୁ ମାଟ୍ରିକ ପରୀକ୍ଷାରେ ୫୯୫ ନମ୍ବର ରଖିଛନ୍ତି । ସାହିତ୍ୟ-୧୦୦, ସଂସ୍କୃତ-୧୦୦, ସାମାଜିକ ବିଜ୍ଞାନ ୧୦୦, ଗଣିତ-୯୯, ବିଜ୍ଞାନ-୯୮, ଇଂରାଜୀ-୯୮ ରଖିଛନ୍ତି । ଅର୍ଥାତ ଶାଶ୍ୱତ ତିନୋଟି ବିଷୟରେ ଶହେରୁ ଶହେ ମାର୍କ ରଖିଛନ୍ତି । କେବଳ ଏହି ଦୁଇ ଜଣ ନୁହଁନ୍ତି, ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ପାସ କରିଥିବା ଛାତ୍ରଙ୍କ ମଧ୍ୟରୁ ବହୁ ଛାତ୍ର ବିଭିନ୍ନ ବିଷୟରେ ଶହେରୁ ଶହେ ମାର୍କ ରଖିଛନ୍ତି ।

ଇଂରାଜୀ ମାଧ୍ୟମ ସ୍କୁଲରେ ପାଠ ପଢ଼ୁଥିବା ପିଲାମାନେ ଏଭଳି ଶହେରୁ ଶହେ ମାର୍କ ରଖୁଥିବା ଆଗରୁ ଆମେ ଦେଖି ଆସିଛେ । କୁହାଯାଏ ଇଂରାଜୀ ମାଧ୍ୟମ ସ୍କୁଲର ମୂଲ୍ୟାୟନବେଳେ କୋହଳ ମନୋଭାବ ପୋଷଣ କରାଯାଇଥାଏ ।ଆଉ ସେଥିପାଇଁ ଇଂରାଜୀ ମାଧ୍ୟମ ସ୍କୁଲର ପିଲାମାନେ ଓଡିଆ ମାଧ୍ୟମ ସ୍କୁଲରେ ପାଠପଢ଼ୁଥିବା ପିଲାମାନଙ୍କ ଅପେକ୍ଷା ଅଧିକ ମାର୍କ ରଖିଥାନ୍ତି । ହେଲେ, ଏହି ଟ୍ରେଣ୍ଡରେ ଏବେ ପରିବର୍ତନ ଆସିଛି । ଓଡିଶା ସ୍କୁଲର ପିଲାମାନେ ବି ଇଂରାଜୀ ମାଧ୍ୟମ ସ୍କୁଲର ପିଲାଙ୍କ ଭଳି ମାର୍କ ରଖିଛନ୍ତି । କରୋନା କମିବା ପରେ ଦୁଇ ବର୍ଷ ପରେ ଚଳିତ ବର୍ଷ ଅଫଲାଇନରେ ମାଟ୍ରିକ ପରୀକ୍ଷା ହୋଇଥିଲା ।