ମୂଲ ଲାଗି ମାଟ୍ରିକ ପରୀକ୍ଷା । ଦୁଃଖ ଭିତରେ ଦଶମ ଶ୍ରେଣୀ । ଏମିତି ପରୀକ୍ଷା ଦେଉଛନ୍ତି ଦଶମ ଶ୍ରେଣୀ ଛାତ୍ର ପାର୍ଥସାରଥୀ ।

247

କନକ ବ୍ୟୁରୋ: କଣ କହିବି? ମନର ଦୁଃଖ କଥା କହିବି? ନା ମୂଲ ଲାଗି ମାଟ୍ରିକ ପରୀକ୍ଷା ଦେଉଥିବାର କଥା କହିବି? ଜୀବନ ଭିତରେ ଯନ୍ତ୍ରଣାର ଜ୍ୟାମିତି କଥା କହିବି? ନା ସଂଘର୍ଷ ଭିତରେ ସାହିତ୍ୟ ଆଉ ଅଙ୍କ ବହିର ଅବୁଝା କଥା କହିବି । ଦର୍ଶକ ବନ୍ଧୁ, କହିବାକୁ ଅନେକ କଥା ଥାଇପାରେ, ଦେଖେଇବାକୁ ଅନେକ ଦୃଶ୍ୟ ଥାଇପାରେ । ହେଲେ ଏବେ ବୋଧହୁଏ ପାର୍ଥ ପାଇଁ ପରୀକ୍ଷାର ବେଳ । ମୂଲ ଲାଗିବା ପରେ ମାଟ୍ରିକ ପରୀକ୍ଷା ଦେବାର ମୁହୂର୍ତ୍ତ ।

ଘରେ ରୋଗିଣା ବାପା, ଆଉ ଦିବ୍ୟାଙ୍ଗ ଭଉଣୀ । ନା ବୁଝେଇବାକୁ କିଏ ଅଛି, ନା ଆହା ଟିକେ କହିବାକୁ କାହାର ସାହା ଭରସା ଅଛି । ପରିବାରର ଦୁଃଖ କଥା କହିଲେ ବୋଧହୁଏ ଦରିଆରେ ପାଣିର ଅଭାବ ହେବ । ପାର୍ଥର ସଂଘର୍ଷ କଥା କହିଲେ, ସମୟ ଆହୁରି ଦରକାର ହେବ ।

ପାରାଦୀପ ଉପକଣ୍ଠ ନୂଆଗଡ ଗାଁର ପାର୍ଥସାରଥୀ ବେହେରା । ଏ ବର୍ଷ ମାଟ୍ରିକ ପରୀକ୍ଷାରେ ସମସ୍ତଙ୍କ ଭଳି ପାର୍ଥ ବି ଦଶମ ଶ୍ରେଣୀ ପରୀକ୍ଷା ଦେଉଛି । ହେଲେ ଦଶମ ଶ୍ରେଣୀର ଏ ପରୀକ୍ଷା ଦେବା ଭିତରେ, ପାର୍ଥ ଯେ ଜୀବନର ପ୍ରତିଟି ମୂହୁର୍ତରେ ସଂଘର୍ଷର ପରୀକ୍ଷା ଦେଉଛି ତାହା ବୋଧହୁଏ ଅନେକଙ୍କୁ ଅଜଣା । ପର ଘରେ କାମ କରି, ମୂଲ ଲାଗି ମାଟ୍ରିକ ପରୀକ୍ଷା ଦେଉଛନ୍ତି ଏହି ଛାତ୍ର ଜଣକ ।

ପାର୍ଥଙ୍କ ବାପା, ଏମିତି ୧୨ ବର୍ଷ ହେଲା ବିଛଣାରେ । ତେଣୁ ଘର କଥା ବୁଝିବାକୁ, ପିଲାଟି ଦିନରୁ କଷ୍ଟକୁ ଅତି ପାଖରୁ ଦେଖିଛି ପାର୍ଥ । ବାପା ଆଉ ଭଉଣୀଙ୍କୁ ଦିବ୍ୟାଙ୍ଗ ଭତା ବାବଦରେ, ଯାହା ଯେତିକି ମିଳୁଛି, ସେତିକିରେ ପରିବାର ମୁହଁରେ ଦାନା ଦେବା କଷ୍ଟକର ବ୍ୟାପାର । ତେଣୁ ବାଧ୍ୟ ହେଇ, ପର ପାଖରେ ମୂଲ ଲାଗି କାମ କରୁଛି ପାର୍ଥ । ତେବେ ପାର୍ଥ ଯେ, ଖାଲି ମୂଲ ଲାଗୁଛ ତା’ ନୁହେଁ । ଜୀବନର ସଂଘର୍ଷ ଭିତରେ ମୂଲ ଲାଗିବା ସହ ପାଠ ପଢି ଏଥର ମାଟ୍ରିକ ପରୀକ୍ଷା ବି ଦେଉଛି ।

ସରକାର ଦୁଃଖୀରଙ୍କୀଙ୍କ ପାଇଁ ଅନେକ ଯୋଜନା ଆଣୁଛନ୍ତି । ଲୋକମାନେ ଅନେକ ସରକାରୀ ସୁବିଧା ସୁଯୋଗ ପାଉଛନ୍ତି । ହେଲେ ପ୍ରଶାସନର ନଜର ଯଦି, ଏ ଗରିବ ପିଲାଟି ଉପରେ ପଡିପାରନ୍ତା । ତେବେ ଉଚ୍ଚଶିକ୍ଷା ସହିତ ପାର୍ଥ, ପରିବାର ଚଳାଇବାକୁ ବି ସକ୍ଷମ ହେଇପାରନ୍ତା ।