ବାହାରିଲା ଅଫଲାଇନ ମାଟ୍ରିକ ପରୀକ୍ଷା ଫଳ । ମାଟ୍ରିକରେ ପାସ୍ ହୋଇ ପୁଣି ଫେଲ୍ ହୋଇଗଲେ ୬୧ ଜଣ ଛାତ୍ରଛାତ୍ରୀ ।

୪୫୯ ଜଣଙ୍କର କମିଲା ଗ୍ରେଡ, ୨୭୧ ପିଲାଙ୍କ ଗ୍ରେଡରେ ଉନ୍ନତି

1,613

କନକ ବ୍ୟୁରୋ: କରୋନା ପାଇଁ ମାଟ୍ରିକ ପରୀକ୍ଷା ହୋଇପାରିନଥିଲା ଏବଂ ବିକଳ୍ପ ମୂଲ୍ୟାୟନର ବ୍ୟବସ୍ଥା କରାଯାଇ ରେଜଲ୍ଟ ପ୍ରକାଶ ପାଇଥିଲା । କିନ୍ତୁ ଯେଉଁମାନେ ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ରହିଥିଲେ, ସେମାନଙ୍କୁ ପରୀକ୍ଷା ଦେବା ପାଇଁ ସୁଯୋଗ ଦିଆଯାଇଥିଲା । ଆଜି ତାର ଫଳାଫଳ ଆସିଛି । ଫର୍ମ ଫିଲଅପ୍ କରିଥିବା ୬୬୨୦ ଜଣଙ୍କ ମଧ୍ୟରୁ ୫୨୩୩ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

ବିନା ପରୀକ୍ଷାରେ ପାସ୍ କରିଥିଲେ, ପରୀକ୍ଷା ଦେଇ ଫେଲ୍ ହେଲେ । ଏମିତି ବୋଧହୁଏ ଆପଣ କେବେ ଶୁଣିନଥିବେ, ଯେ ବିନା ପରୀକ୍ଷାରେ ମାଟ୍ରିକ ପାସ୍ କରିଥିବେ, କିନ୍ତୁ ପରୀକ୍ଷା ଦେବା ପରେ ପୁଣି ଫେଲ୍ ହୋଇଯିବେ କିନ୍ତୁ ଏଥର ଏମିତି ଘଟିଛି । ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ବାହାରିଥିବା ପ୍ରଥମ ରେଜଲ୍ଟରେ ପାସ୍ କରିଥିବା ୬୧ ଜଣ ପିଲା ପରୀକ୍ଷା ଦେବା ପରେ ବାହାରିଥିବା ଫଳାଫଳରେ ଫେଲ ହୋଇଯାଇଛନ୍ତି । ବାହାରିଥିବା ରେଜଲ୍ଟ ଅନୁସାରେ ୧୪୧ ପରୀକ୍ଷାର୍ଥୀ ଫେଲ ହୋଇଥିଲେ କିନ୍ତୁ ସେମାନଙ୍କ ମଧ୍ୟରୁ ୮୦ ଜଣ ଏକାଧିକ ବିଷୟର ପରୀକ୍ଷାରେ ଅନୁପସ୍ଥିତ ରହିବା କାରଣରୁ ପୂର୍ବ ମୂଲ୍ୟାୟନ ଆଧାରରେ ସେମାନଙ୍କୁ ପାସ୍ କରାଇବାକୁ ନିଷ୍ପତ୍ତି ନେଇଛି ବୋର୍ଡ ।

  • ବଢ଼ିଲା ୨୭୧ ପିଲାଙ୍କ ମାର୍କ
  • ତଳକୁ ଖସିଲା ୪୫୯ ପିଲାଙ୍କ ଗ୍ରେଡ

ସେହିପରି ୨୭୧ଜଣ ଛାତ୍ରଛାତ୍ରୀଙ୍କ ଗ୍ରେଡ ଉପରକୁ ଉଠିଛି ଅର୍ଥାତ ଏହି ଛାତ୍ରଛାତ୍ରୀ ବିକଳ୍ପ ମୂଲ୍ୟାୟନରେ କମ୍ ମାର୍କ ରଖିଥିବା ବେଳେ ପରୀକ୍ଷା ଦେବାପରେ ଅଧିକ ମାର୍କ ରଖିବାରେ ସକ୍ଷମ ହୋଇଛି । କିନ୍ତୁ ଅଫଲାଇନ ପରୀକ୍ଷା ଦେବା ପରେ ୪୫୯ ଜଣ ଛାତ୍ରଛାତ୍ରୀଙ୍କ ଗ୍ରେଡ କମିଯାଇଛି । ସେମାନେ ବିକଳ୍ପ ମୂଲ୍ୟାୟନରେ ଭଲ କରିଥିଲେ କିନ୍ତୁ ଏବେ ଆସିଥିବା ଫଳାଫଳରେ ତାଙ୍କ ଗ୍ରେଡ କମିଯାଇଛି ।

ବାହାରିଥିବା ମାଟ୍ରିକ ଅଫଲାଇନ ଫଳାଫଳରେ ପାସ୍ ହାର ୮୦.୮୩ ପ୍ରତିଶତ ରହିଛି । ଅଫଲାଇନ ପରୀକ୍ଷା ପାଇଁ ୬୬୨୦ଜଣ ଛାତ୍ରଛାତ୍ରୀ ଫର୍ମ ଫିଲଅପ କରିଥିବା ବେଳେ ୧୪୬ଟି ଫର୍ମ ରିଜେକ୍ଟ ହୋଇଥିଲା । ୧୦୮୬ଜଣ ପରୀକ୍ଷା ଦେଇନଥିଲେ ଏବଂ ପରୀକ୍ଷା ଦେବା ପରେ ମୋଟ୍ ୫୨୩୩ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।