କନକ ବ୍ୟୁରୋ : ଆଜି ଅଫଲାଇନ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ୫୦୪ଟି ପରୀକ୍ଷା କେନ୍ଦ୍ରରେ ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଚଳିତ ବର୍ଷ ବିନା ପରୀକ୍ଷାରେ ପ୍ରକାଶ ପାଇଥିବା ମାଟ୍ରିକ ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆବେଦନ କରିଛନ୍ତି ।

Advertisment

ହାଇସ୍କୁଲ ସାର୍ଟିଫିକେଟରେ ୨୭୮ କେନ୍ଦ୍ରରେ ୬୫୯୭ଜଣ, ରାଜ୍ୟ ଓପନ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାରେ ୨୨୨ କେନ୍ଦ୍ରରେ ୮୪୯୩ଜଣ ଏବଂ ମଧ୍ୟମାରେ ୪ଟି କେନ୍ଦ୍ରରେ ୬୧ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପରୀକ୍ଷା ଦିନ ୧୦ଟାରୁ ୧୨ ପର୍ଯ୍ୟନ୍ତ ଚାଲିବ। ପାର୍ଟ-୧ରେ ଅବଜେକ୍ଟିଭ୍ ଓ ପାର୍ଟ-୨ରେ ସବ୍‌ଜେକ୍ଟିଭ୍‌ ପରୀକ୍ଷା ହେବ। ପରୀକ୍ଷାର୍ଥୀମାନେ ପ୍ରତି ବିଷୟରେ ମୋଟ ୮୦ ନମ୍ବରର ପରୀକ୍ଷା ‌ଦେବେ। ପାର୍ଟ-୧ରେ ୫୦ ନମ୍ବର ଓ ପାର୍ଟ-୨ରେ ୩୦ ନମ୍ବରର ପରୀକ୍ଷା ହେବ। ପ୍ରତି ପାର୍ଟ ଘଣ୍ଟାଏ ଲେଖାଏ କରାଯିବ। ତେବେ ଗଣିତ ପରୀକ୍ଷା ମୋଟ ୨ଘଣ୍ଟା ୧୫ ମିନିଟ୍‌ ଧରି ଚାଲିବ।

ପାର୍ଟ-୧ରେ ୧ଘଣ୍ଟା ୧୫ ମିନିଟ୍‌ ଓ ପାର୍ଟ-୨ରେ ୧ଘଣ୍ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ଛାତ୍ରଛାତ୍ରୀମାନେ ୯ଟା ୧୫ ମିନିଟ୍‌ରୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ। ଅନ୍‌ଲାଇନ୍‌ ପରୀକ୍ଷା ଫଳରେ ଅସନ୍ତୋଷ ଜାହିର କରିଥିବା କଟକ କଲେଜଛକ ସରସ୍ବତୀ ଶିଶୁମନ୍ଦିରର ୧୧ ଜଣ ଛାତ୍ରଛାତ୍ରୀ ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ ସୁଦ୍ଧା ଏଥର ପରୀକ୍ଷାରୁ ବଞ୍ଚିତ ହେବେ । ଫର୍ମ ଦାଖଲ କରିବାରେ ବିଦ୍ୟାଳୟ ପକ୍ଷରୁ ତ୍ରୁଟି ହୋଇଥିବାରୁ ପରୀକ୍ଷାର୍ଥୀଙ୍କ ସମ୍ବନ୍ଧୀୟ ସୂଚନା ବୋର୍ଡ ପାଖରେ ପହଞ୍ଚି ପାରିନଥିଲା । ତେଣୁ ଏହି ୧୧ଜଣ ଛାତ୍ରଛାତ୍ରୀ ଆଡ୍‌ମିଟ୍‌ କାର୍ଡ ପାଇ ପାରିନାହାନ୍ତି । ଏହି ୧୧ଜଣଙ୍କ ମଧ୍ୟରେ ଅଛନ୍ତି ବାଲୁବଜାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩ଜଣ, କଲେଜ ଛକ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨ଜଣ ଓ ନିମପୁର ଶିଶୁ ବିଦ୍ୟାମନ୍ଦିରର ୬ଜଣ ପରୀକ୍ଷାର୍ଥୀ। ଏମାନେ ପରୀକ୍ଷା ଦେବା ପାଇଁ ବିଦ୍ୟାଳୟ ପକ୍ଷରୁ ଶତ ଚେଷ୍ଟା କରାଯାଉଥିଲେ ସୁଦ୍ଧା ଆବଶ୍ୟକ ତଥ୍ୟ ଆସି ନଥିବାରୁ ବୋର୍ଡ ଏମାନଙ୍କୁ ପରୀକ୍ଷା ପାଇଁ ଅନୁମତି ଦେବନାହିଁ ବୋଲି ସ୍ପଷ୍ଟ କରାଯାଇଛି ।