ସରକାରୀ ସ୍ବାସ୍ଥ୍ୟ ସେବାକୁ ଉପହାସ : ଡାକ୍ତର ସାଜିଛନ୍ତି ଦଶମ ଫେଲ୍ ଆଟେଣ୍ଡାଣ୍ଟ,ଷ୍ଟେଥୋ ପକାଇ ବିପି ମାପିବା ସହ ଲେଖୁଛନ୍ତି ଔଷଧ

97

କନକ ବ୍ୟୁରୋ: ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସେବା କେଉଁ ସ୍ତରକୁ ଗଲାଣି ତାର ଏକ ବିଡମ୍ବିତ ଉଦାହରଣ ରାଜଧାନୀରୁ ମାତ୍ର ୭୦ କିମି ଦୂର ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଅସନସ୍ଥିତ ରେଡକ୍ରସ୍ ମେଡିକାଲରେ ଦେଖିବାକୁ ମିଳିଛି। ଏମବିବିଏସ୍ ଡାକ୍ତରଙ୍କ ବଦଳରେ ଏଠାରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ (ଆଟେଣ୍ଡାଣ୍ଟ) ଡାକ୍ତର ସାଜି ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି। ସବୁଠୁ ବଡ଼ କଥା ହେଲା, ଡାକ୍ତରଙ୍କ ଭଳି ବେକରେ ଷ୍ଟେଥୋ ପକାଇ ରୋଗୀ ଚିକିତ୍ସା କରୁଥିବା ଏହି କର୍ମଚାରୀ ଜଣକ ଦଶମ ବି ପାସ୍ କରିନାହାନ୍ତି। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୯ ମାସ ହେଲା ସେ ଡାକ୍ତର ଭୂମିକାରେ ରୋଗୀ ଦେଖି ଆସୁଛନ୍ତି।

୧୯୮୦ ମସିହାରେ ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ ଅସନଠାରେ ସ୍ଥାପିତ ହୋଇଥିଲା ରେଡକ୍ରସ୍ ସ୍ୱାସ୍ଥ୍ୟ କେନ୍ଦ୍ର। ବ୍ଲକର ଆଳସାହି, ନଈଗୁଆଁ, ଆଳଙ୍ଗପୁର ଓ ନଗର ପଞ୍ଚାୟତବାସୀ ଏହି ଡାକ୍ତରଖାନା ଉପରେ ନିର୍ଭର କରନ୍ତି। ଏଠାରେ ଅସ୍ତ୍ରୋପଚାରଠାରୁ ଆରମ୍ଭ କରି ସବୁପ୍ରକାର ସୁବିଧା ମିଳୁଥିଲା। ପ୍ରତି ଦିନ ୧୦୦ରୁ ୧୫୦ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଥିଲେ। ହେଲେ ସମୟ କ୍ରମେ ଡାକ୍ତରଖାନାଟି ଏବେ ନାମକୁ ମାତ୍ର ଚାଲିଛି। ଦୀର୍ଘ ୬ ବର୍ଷ ହେଲା ଏଠାରେ ଡାକ୍ତର କିମ୍ବା ନର୍ସ ନାହାନ୍ତି। ଅବଶ୍ୟ ସପ୍ତାହକୁ ଏଠାକୁ ଜଣେ ଡାକ୍ତର ଆସୁଥିଲେ, କିନ୍ତୁ ଗତ ୯ ମାସ ହେଲା ସେ ବି ଆସୁନାହାନ୍ତି।

ତାଙ୍କ ବଦଳରେ ଏଠାରେ କାମ କରୁଥିବା ଆଟେଣ୍ଡାଣ୍ଟ ତପନ ଶତପଥୀ ରୋଗୀ ଚିକିତ୍ସା କରୁଛନ୍ତି। ପ୍ରତିଦିନ ତପନ ଡାକ୍ତରଖାନାକୁ ଆସନ୍ତି। ଡାକ୍ତରଙ୍କ ଚୌକିରେ ବସି ରୋଗୀ ଦେଖିବା ଆରମ୍ଭ କରନ୍ତି। ଷ୍ଟେଥୋ ପକାଇ ବିପି (ରକ୍ତ ଚାପ) ମାପନ୍ତି, ନାଡି (ପଲ୍ସ) ଦେଖି ରୋଗୀଙ୍କଠାରୁ ରୋଗ ଲକ୍ଷଣ ବୁଝି ଔଷଧ ଲେଖନ୍ତି। ରୋଗୀମାନେ ବି ତାଙ୍କ ପ୍ରେସ୍କ୍ରିପସନ୍କୁ ଭରସା କରି ଔଷଧ ନେଉଛନ୍ତି। ଡାକ୍ତର ନଥିବାରୁ ଆଟେଣ୍ଡାଣ୍ଟଙ୍କୁ ଏଠାକାର ଗରିବ ମତ୍ସ୍ୟଜୀବୀମାନେ ଡାକ୍ତର ମାନି ନେଇଛନ୍ତି। ଗତ ୯ ମାସ ଧରି ଏଭଳି ଢଙ୍ଗରେ ଚାଲିଛି ଡାକ୍ତରଖାନା। ଅସ୍ତରଙ୍ଗ ବ୍ଲକର ୪ଟି ପଞ୍ଚାୟତର ୧୫ ହଜାର ଲୋକଙ୍କ ପାଇଁ ତପନ ସାହାଭରସା ପାଲଟିଛନ୍ତି। ତେବେ ଏଭଳି ଘଟଣା ସ୍ବାସ୍ଥ୍ୟ ସେବାକୁ ଖାଲି ଉପହାସ କରୁନି, ରାଜ୍ୟରେ ସ୍ବାସ୍ଥ୍ୟ ସେବାର ବିକଳ ଅବସ୍ଥାକୁ ବି ପଦାରେ ପକାଇଛି।