ମାର୍ଚ୍ଚ ୧୦ରୁ ମାଟ୍ରିକ୍ ପରୀକ୍ଷା, ୧୭ ତାରିଖ ଯାଏଁ ଚାଲିବ ପରୀକ୍ଷା। ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା

136

କନକ ବ୍ୟୁରୋ: ମାଟ୍ରିକ୍ ସମ୍ମେଟିଭ୍-୨ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ୧୭ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା । ଅର୍ଥାତ ମାତ୍ର ୮ଦିନରେ ଶେଷ ହେବ ମାଟ୍ରିକ ପରୀକ୍ଷା । ଏନେଇ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି । ବୋର୍ଡ ପକ୍ଷରୁ କୁହାଯାଇଛି, ଏଥର ନୋଡାଲ ସେଣ୍ଟରର ପରିବର୍ତ୍ତନ କରାଯିବ ନାହିଁ । ପୂର୍ବ ନୋଡାଲ ଓ ପରୀକ୍ଷା ସେଣ୍ଟରରେ ହେବ ପରୀକ୍ଷା । ପରୀକ୍ଷାକୁ ନିର୍ଭୁଲ ଭାବେ କରିବା ଲାଗି ପଦକ୍ଷେପ ନିଆଯାଉଛି । ଖୁବଶୀଘ୍ର ଫର୍ମଫିଲଅପ୍ ତାରିଖ ଘୋଷଣା କରାଯିବ । ପିଲାମାନେ ଅନଲାଇନରେ ଫର୍ମଫିଲଅପ୍ କରିବେ ।

ଚଳିତ ବର୍ଷ ରାଜ୍ୟର ୫ଲକ୍ଷ ୪୩ ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ । ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ହେବ । ପ୍ରଶ୍ନପତ୍ରର ପାଟର୍ନ ସମ୍ମେଟିଭ୍-୧ ଭଳି ରହିବ । ଏନେଇ ବୋର୍ଡ ୱେବ୍-ସାଇଟ୍ରେ ସମସ୍ତ ତଥ୍ୟ ଉପଲବ୍ଧ ଅଛି ।

ତେବେ ମାତ୍ର ୮ଦିନ ଭିତରେ ସମସ୍ତ ପରୀକ୍ଷା ସାରିବାକୁ ନେଇ ବୋର୍ଡର ନିଷ୍ପତିକୁ ନେଇ ପ୍ରଶ୍ନ ଉଠିଛି । ଯେତେବେଳେ ସିବିଏସଇ କର୍ତ୍ତୃପକ୍ଷ ମାଟ୍ରିକ ପରୀକ୍ଷା ପାଇଁ ପ୍ରାୟ ମାସେ ସମୟ ରଖିଛନ୍ତି, ସେତିିକିବେଳେ ଓଡିଶା ବୋର୍ଡର ନିଷ୍ପତି ପିଲାଙ୍କ ଉପରେ ଚାପ ସୃଷ୍ଟି କରିବାର ସମ୍ଭାବନା ରହିଛି । ଲାଗ ଲାଗ ପରୀକ୍ଷା ହେଉଥିବାରୁ ପିଲାମାନେ ରିଭାଇଜ୍ କରିବାରେ ଅସୁବିଧା ହୋଇପାରେ ବୋଲି କହିଛନ୍ତି ବୁଦ୍ଧିଜୀବୀ ।

ସିବିଏସଇ ଭଳି ସମାନ ଢ଼ାଂଚାରେ ମାଟ୍ରିକ ପରୀକ୍ଷା ଓ ମୂଲ୍ୟାୟନ କରିବାକୁ ନିଷ୍ପତି ନେଇଛି ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ । ହେଲେ, ଲଗାତାର ପରୀକ୍ଷା କରି ପିଲାଙ୍କ ଉପରେ ଅଯଥା ମାନସିକ ଚାପ ଦେବାକୁ ପସନ୍ଦ କରିନାହାଁନ୍ତି ବୁଦ୍ଧିଜୀବୀ ।