ଆଜି ମାଟ୍ରିକ ପରୀକ୍ଷା ୨ୟ ଦିନ ! କପି ରୋକିବା ଲାଗି ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ସେପଟେ ସୁପରିନଟେଣ୍ଡେଣ୍ଟଙ୍କ ମୋବାଇଲ ଧରା ଉପରେ ଲାଗିଲା କଟକଣା

ଆଜି ମାଟ୍ରିକ ପରୀକ୍ଷା ୨ୟ ଦିନ ! କପି ରୋକିବା ଲାଗି ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ସେପଟେ ସୁପରିନଟେଣ୍ଡେଣ୍ଟଙ୍କ ମୋବାଇଲ ଧରା ଉପରେ ଲାଗିଲା କଟକଣା

କନକ ବ୍ୟୁରୋ : ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌ ବାରଣ ହେଲା। ଏକ ହଜାର ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ଚିହ୍ନଟ କରାଯାଇ ସିସିଟିଭି ଲାଗିଲା। ପୂର୍ବବର୍ଷ ପରି ଏଥର ବି ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ସ୍କ୍ବାଡ୍‌ରେ ଆସୁଥିବା ସଦସ୍ୟଙ୍କୁ ମୋବାଇଲ ଧରିବା ମନା କରାଗଲା। ଗଣମାଧ୍ୟମ ପ୍ରବେଶ ଉପରେ ବି ଲାଗିଲା କଟକଣା। ତା’ ପରେ ବି ପ୍ରଶ୍ନପତ୍ର ଭାଇରାଲ ରୋକିବାରେ ସକ୍ଷମ ‌ହେଲାନି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ପ୍ରଥମ ଦିନରୁ ହିଁ ମାତୃଭାଷା ପ୍ରଶ୍ନପତ୍ର ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଅଭିଯୋଗ ଆସିଥିଲା। ତେବେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରଶ୍ନପତ୍ରକୁ ନକଲି କୁହାଯାଇ ଅଭିଯୋଗକୁ ଖଣ୍ଡନ କରାଯାଇଥିଲେ ମଧ୍ୟ ଆଗକୁ ହେବାକୁ ଥିବା ବିଷୟଗୁଡ଼ିକର ପ୍ରଶ୍ନପତ୍ର ଭାଇରାଲ୍‌ ହେବା ଆଶଙ୍କା ସୃଷ୍ଟି ହୋଇଛି।

matric examବିଶେଷ କରି ଶନିବାର ଇଂରାଜୀ ବିଷୟର ପରୀକ୍ଷା ଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଯଦି କୌଣସି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଭାଙ୍ଗାଯାଇଥିବା ନଜରକୁ ଆସିବ ‌ତେବେ ସମ୍ପୃକ୍ତ କେନ୍ଦ୍ରର ସୁପରିନ୍‌ଟେଣ୍ଡେଣ୍ଟଙ୍କୁ ଧରାଯିବ। ‌କିଏ ଓ କେଉଁଥିପାଇଁ ସିସିଟିଭି ଭାଙ୍ଗିଛି, ସୁପରିନ୍‌ଟେଣ୍ଡେଣ୍ଟଙ୍କଠାରୁ ରିପୋର୍ଟ ତଲବ ହେବ। କେତେକ କେନ୍ଦ୍ରର ସମସ୍ତ ହଲ୍‌ରେ ସିସିଟିଭି ଲଗାଯାଇପାରି ନାହିଁ। ଏଭଳି ସ୍ଥିତି‌ରେ ପରୀକ୍ଷାର୍ଥୀଙ୍କ ସିଟ୍‌ ପ୍ରତିଦିନ ପରିବର୍ତନ କରିବାକୁ କୁହାଯାଇଛି। ଜଣେ ପିଲା ଯେମିତି ଗୋଟିଏ ସିଟ୍‌ରେ ବସି ସବୁ ଦିନ ପରୀକ୍ଷା ନ ଦିଏ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ଏଣିକି ପରୀକ୍ଷା କେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟଙ୍କୁ ବି ମୋବାଇଲ୍‌ ବାରଣ ହୋଇଛି। ସେମାନେ କୌଣସି ବି ପରିସ୍ଥିତିରେ ହଲ୍‌ ଭିତରକୁ, ପ୍ରଶ୍ନପତ୍ର ପ୍ୟାକେଟ୍‌ ଖୋଲାଯାଉଥିବା ରୁମ୍‌କୁ ମୋବାଇଲ୍‌ ନେଇ ଯାଇପାରିବେ ନାହିଁ। ଯଦି କୌଣସି ପରୀକ୍ଷା କେନ୍ଦ୍ରର ଶିକ୍ଷକ, ସୁପରିନଟେଣ୍ଡେଣ୍ଟ, ସୁପରଭାଇଜର କିମ୍ବା ସ୍କ୍ବାଡ୍‌ ସଦସ୍ୟ ଭାଇରାଲ୍‌ ପରି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗ ଆସେ ତେବେ ତାଙ୍କ ବିରୋଧରେ ୧୯୮୮ ମସିହା ଓଡ଼ିଶା ପରୀକ୍ଷା ପରିଚାଳନା ଆଇନ ଅନୁସାରେ ଅପରାଧିକ ମାମଲା ରୁଜୁ କରିବାକୁ କୁହାଯାଇଛି।

ଅନ୍ୟପକ୍ଷରେ ପ୍ରଥମ ଦିନ ପରୀକ୍ଷାରେ ମାତୃଭାଷାରେ କପି କରି ୪୪ ଜଣ ପରୀକ୍ଷାର୍ଥୀ ଏମ୍‌ପି(ମାଲପ୍ରାକ୍ଟିସ୍‌) ହୋଇଥିଲେ। ଆଜି ଇଂରାଜୀ ପରୀକ୍ଷା ଥିବାରୁ କପି ସଂଖ୍ୟା ଆହୁରି ବଢ଼ିବ। ତେଣୁ ଜିଲ୍ଲାସ୍ତରରେ ଗଠନ କରାଯାଇଥିବା ସ୍କ୍ବାଡ୍‌ଗୁଡ଼ିକୁ ଅଧିକ ସୁଦୃଢ଼ କରିବାକୁ କୁହାଯାଇଛି। ସ୍କ୍ବାଡ୍‌ରେ ସାମିଲ ହେବା ପାଇଁ ଚୟନ ହୋଇଥିବା ସଦସ୍ୟମାନେ ଯଦି ସାମିଲ ହେଉନାହାନ୍ତି ସେମାନଙ୍କ ସ୍ଥାନରେ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନେ ନୂତନ ସଦସ୍ୟମାନଙ୍କୁ ସାମିଲ କରିବାକୁ ନିର୍ଦେଶ ଦିଆଯାଇଛି। ପରୀକ୍ଷା କେନ୍ଦ୍ରରେ ତିନିସ୍ତରରେ ଯାଞ୍ଚ କରିବାକୁ କୁହାଯାଇଛି। ମୁଖ୍ୟ ଫାଟକ ନିକଟରେ ପ୍ରଥମ ଯାଞ୍ଚ କରାଯିବ। ଏହାପରେ ପରୀକ୍ଷାର୍ଥୀ କେନ୍ଦ୍ରକୁ ପ୍ରବେଶ କରିବା ସମୟରେ ଆଉ ଥରେ ଯାଞ୍ଚ ହେବ। ପିଲାମାନେ ଶ୍ରେଣୀଗୃହରେ ବସିବା ପରେ ପରୀକ୍ଷା କେନ୍ଦ୍ର ପକ୍ଷରୁ ଗଠନ କରାଯାଇଥିବା ସ୍ବତନ୍ତ୍ର ସ୍କ୍ବାଡ୍‌ର ସଦସ୍ୟମାନେ ପରୀକ୍ଷାର୍ଥୀଙ୍କୁ ଯାଞ୍ଚ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe