ପରୀକ୍ଷା ଦେଉଛି କିଏ, ଛାତ୍ରଛାତ୍ରୀ ନା ବୋର୍ଡ? ମାଟ୍ରିକ ପରୀକ୍ଷା ପରିଚାଳନା ନେଇ ବୋର୍ଡର ପାରିବାପଣିଆ ଉପରେ ଉଠିଲା ପ୍ରଶ୍ନ

Advertisment
ପରୀକ୍ଷା ଦେଉଛି କିଏ, ଛାତ୍ରଛାତ୍ରୀ ନା ବୋର୍ଡ? ମାଟ୍ରିକ ପରୀକ୍ଷା ପରିଚାଳନା ନେଇ ବୋର୍ଡର ପାରିବାପଣିଆ ଉପରେ ଉଠିଲା ପ୍ରଶ୍ନ

କନକ ବ୍ୟୁରୋ : ସରିଛି ପ୍ରଥମ ଦିନର ମାଟ୍ରିକ ପରୀକ୍ଷା । ରାଜ୍ୟର ୨ ହଜାର ୯୫୩ ସେଂଟରରେ ପରୀକ୍ଷା କେନ୍ଦ୍ରରେ ୫ଲକ୍ଷ ୮୭ ହଜାର ୭୨୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ତେବେ ପ୍ରଥମ ଦିନରେ ପରୀକ୍ଷା ଆରମ୍ଭରୁ ବଡ ବିଭ୍ରାଟ ଦେଖିବାକୁ ମିଳିଛି । ପରୀକ୍ଷାର୍ଥୀ ମାତୃଭାଷା ପରୀକ୍ଷା ଦେଇଥିବା ବେଳେ ପରୀକ୍ଷା ଆରମ୍ଭର ମାତ୍ର ୧୦ ମିନିଟ୍ ପରେ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ଜୟପୁର ବନ୍ଧୁ ଗାଁର ବ୍ଲକର ସରକାରୀ ସ୍କୁଲରେ ପରୀକ୍ଷା ବେଳେ ପ୍ରଶ୍ନପତ୍ର ଲିକ ହୋଇଛି । ପୁଲିସ ଅନୁପସ୍ଥିତରେ ଝରକା ପଟେ ଜଣେ ଛାତ୍ର ପ୍ରଶ୍ନପତ୍ର ବାହାରକୁ ପଠାଇଥିବା ଜଣାପଡିଛି । ଏତିକିରେ ଅଟକି ନାହିଁ ମାଟ୍ରିକ ପରୀକ୍ଷା ବିଭ୍ରାଟ । ଗୋଟିଏ ପଟେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ବେଳେ ଅନ୍ୟପଟେ ପରୀକ୍ଷା ଦେବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ନାନାଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । କେଉଁଠି ଆଡମିଟ କାର୍ଡ ନ ମିଳିବାରୁ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ତ ପୁଣି କେଉଁଠି ଛାତ୍ରୀଙ୍କ ନାମ ଓ ବାପାଙ୍କ ନାମ ସମାନ ହୋଇଥିବାରୁ ପରୀକ୍ଷା ଦେଇପାରିନାହାନ୍ତି ଛାତ୍ରୀ ।

publive-imageମାଟ୍ରିକ ପରୀକ୍ଷା ଆରମ୍ଭରୁ ବିଭ୍ରାଟ । ପ୍ରଶ୍ନପତ୍ର ଭାଇରାଲ ହେବା ପରେ ମାଟ୍ରିକ ପରୀକ୍ଷା ପରିଚାଳନାକୁ ନେଇ ଅଭିଭାବକ ମାନେ ପ୍ରଶ୍ନ ଉଠାଇଥିବା ବେଳେ ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ବୋର୍ଡ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ଛାତ୍ରଛାତ୍ରୀ । ଆଡମିଟ କାର୍ଡ ନ ମିଳିବାରୁ ରାୟଗଡାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ମାଟ୍ରିକ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ଛାତ୍ରୀ । ବୋର୍ଡ କର୍ତ୍ତୃପକ୍ଷଙ୍କ ଅବହେଳା ଓ ବିଦ୍ୟାଳୟ କର୍ମଚାରୀଙ୍କ ଅବହେଳା ଯୋଗୁଁ ଆଡମିଟ୍ କାର୍ଡ ପାଇ ପାରିନାହାନ୍ତି ଗୁଣୁପୁର ଅନ୍ତର୍ଗତ ଗୁଡାରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସ୍ନିଗ୍ଧା ସାହୁ ।

ମାଟ୍ରିକ ପରୀକ୍ଷା ଦେବାକୁ ଫର୍ମ ଫିଲଅପ କରିଥିଲେ ମଧ୍ୟ ଆଡମିଟ୍ କାର୍ଡ ନ ଆସିବାରୁ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ସ୍ନିଗ୍ଧା । ଆଉ ଏହାସହ ତାଙ୍କର କ୍ୟାରିୟର ମଧ୍ୟ ଅନ୍ଧାର ଘେରକୁ ଠେଲି ହୋଇଯାଇଛି । ତେବେ ଏନେଇ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇବା ପରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ସେହିଭଳି ବାଲେଶ୍ୱରରେ ମଧ୍ୟ ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳାଯାଇଛି ସାଂଘାତିକ ଖେଳ । ଆଡମିଟ କାର୍ଡରେ ସମାନ ନାମ ଓ ସମାନ ବାପାଙ୍କ ନାମ ହୋଇଥିବାରୁ ଜଣେ ଛାତ୍ରୀଙ୍କୁ ପରୀକ୍ଷା ଦେବାରୁ ବଞ୍ଚିତ କରାଯାଇଛି । କର୍ତ୍ତୃପକ୍ଷଙ୍କ ଭୁଲ ଯୋଗୁଁ ପରୀକ୍ଷା ଦେଇପାରିନାହାନ୍ତି ମେଧାବୀ ଛାତ୍ରୀ ।

publive-imageଅନ୍ୟପଟେ ବୋର୍ଡ କର୍ତ୍ତୃପକ୍ଷଙ୍କ ଭୁଲ ଯୋଗୁଁ ପରୀକ୍ଷା ଦେବାକୁ ହନ୍ତସନ୍ତ ହୋଇଛନ୍ତି ଛାତ୍ରଛାତ୍ରୀ । ଆଡମିଟ କାର୍ଡରେ ଥିବା ପରୀକ୍ଷା ସେଣ୍ଟର ଜିଲ୍ଲା ମଧ୍ୟରେ କେଉଁଠି ନ ଥିବାରୁ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପୂର୍ବରୁ ହନ୍ତସନ୍ତ ହୋଇଛନ୍ତି । ଏଭଳି ଘଟଣା ଜୟପୁର ଅଞ୍ଚଳରୁ ଆସିଛି । ଆଡମିଟ୍ କାର୍ଡରେ ପରୀକ୍ଷା କେନ୍ଦ୍ର ସରକାରୀ ବାଳିକା ବିଦ୍ୟାଳୟ ଥିବା ବେଳେ ଜୟପୁର ଅଞ୍ଚଳରେ ଏଭଳି ପରୀକ୍ଷା କେନ୍ଦ୍ର ନଥିବା ଜାଣିବାକୁ ପାଇଥିଲେ ଅଭିଭାବକ । ଏହାପରେ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମୁଣ୍ଡରେ ଚଡକ ପଡିଥିଲା । ପରେ ପରୀକ୍ଷା କେନ୍ଦ୍ରକୁ ସିଟି ହାଇସ୍କୁଲକୁ ବଦଳି କରାଯାଇଥିବା ଜାଣିବା ପରେ ଛାତ୍ରଛାତ୍ରୀ ମାନେ ବିଳମ୍ବରେ ପହଞ୍ଚି ପରୀକ୍ଷା ଦେଇଥିଲେ । ଏପରିକି ଅନେକ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ର ନ ପାଇ ମାଟ୍ରିକ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ଏଭଳି କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ସରକାର ଖେଳୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଅଭିଭାବକ ।

ଗୋଟିଏ ପଟେ ପରୀକ୍ଷା ଆରମ୍ଭରୁ ପ୍ରଶ୍ନପତ୍ର ଭାଇରାଲ ଓ ଅନ୍ୟପଟେ ବୋର୍ଡ କର୍ତ୍ତୃପକ୍ଷଙ୍କ ଭୁଲ ଯୋଗୁଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଘେରକୁ ଠେଲି ହୋଇଯାଇଛି । ତେଣୁ ବାକି ଥିବା ପରୀକ୍ଷା ଗୁଡିକୁ କିଭଳି ସୂଚାରୁରୂପେ କରାଯିବ ତାହା ଏବେ ବୋର୍ଡ କର୍ତ୍ତୃପକ୍ଷଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe