ବାତିଲ ହେଲା ପରୀକ୍ଷା , କେମିତି ହେବ ମାଟ୍ରିକ୍ ମୂଲ୍ୟାୟନ : ଜାଣନ୍ତୁ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ ?

1,547

କନକ ବ୍ୟୁରୋ : ବାତିଲ ହେଲା ଚଳିତ ବର୍ଷ ମାଟ୍ରିକ ବୋର୍ଡ଼ ପରୀକ୍ଷା । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ସେହିପରି ରାଜ୍ୟ ମଦ୍ରାସା ଶିକ୍ଷା ବୋର୍ଡ଼ ଦ୍ୱାରା ପରିଚାଳିତ ପରୀକ୍ଷାଗୁଡ଼ିକୁ ମଧ୍ୟ ବାତିଲ କରାଯାଇଛି । ଏହି ବୋର୍ଡ଼ମାନଙ୍କ ଦ୍ୱାରା ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଫଳ ପ୍ରକାଶ ପାଇବ ।

କେମିତି ହେବ ମାଟ୍ରିକ୍ ମୂଲ୍ୟାୟନ ? ମୂଲ୍ୟାୟନ ନେଇ ଗଣଶିକ୍ଷା ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ହେବ ମୂଲ୍ୟାୟନ । ପୂର୍ବରୁ ଛାତ୍ରଛାତ୍ରୀଙ୍କ ପାଇଁ ଶହେ ଦିନିଆ ପାଠ୍ୟକ୍ରମ ରହିଥିଲା । ଏହାରି ଭିତରେ ୪ଟି ପ୍ରି-ବୋର୍ଡ ପରୀକ୍ଷା ସ୍କୁଲ ପକ୍ଷରୁ କରାଯାଇଛି । ୪ଟି ପ୍ରି-ବୋର୍ଡ ପରୀକ୍ଷାରୁ ସର୍ବାଧିକ ନମ୍ବର ବିଚାରକୁ ନିଆଯାଇପାରେ । ପ୍ରି-ବୋର୍ଡ ପରୀକ୍ଷାର ସର୍ବାଧିକ ନମ୍ବର ଆଧାରରେ ମୂଲ୍ୟାୟନ ହୋଇପାରେ । ମାଟ୍ରିକ୍ ମୂଲ୍ୟାୟନ ପାଇଁ ବୋର୍ଡ ଏଭଳି ପଦ୍ଧତି ଆପଣାଇପାରେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସେହିଭଳି ଯଦି ଛାତ୍ରଛାତ୍ରୀ ମୂଲ୍ୟାୟନରେ ଅସନ୍ତୁଷ୍ଟ ହେଲେ ତାହାଲେ ପରବର୍ତ୍ତୀ ସମୟରେ ପରୀକ୍ଷା ପାଇଁ ଆବେଦନ କରିପାରିବେ । କରୋନା ସ୍ଥିତି ସୁଧୁରିଲେ ପରୀକ୍ଷା ଦେବାର ସୁଯୋଗ ମଧ୍ୟ ମିଳିବ ।