କନକ ବ୍ୟୁରୋ : ଆଜିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ । ପରୀକ୍ଷା ସୁପରିଚାଳନା ପାଇଁ ଏଥର ବିଶେଷ ବ୍ୟବସ୍ଥା କରିଛି ବୋର୍ଡ । ମାତୃଭାଷାରେ ପ୍ରଥମ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଆଜିଠୁ ଆରମ୍ଭ ହେଉଥିବା ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୪ ତାରିଖ ଯାଏଁ ଚାଲିବ । ରାଜ୍ୟର ୨ହଜାର ୯୯୧ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ ୫ଲକ୍ଷ ୫୧ ହଜାର ପରୀକ୍ଷାର୍ଥୀ । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ସାଢେ ୧୧ଟାରେ ସରିବ । ପରୀକ୍ଷା ଆରମ୍ଭ ହେବାର ଦେଢ଼ ଘଣ୍ଟା ପୂର୍ବରୁ ହଲକୁ ପ୍ରବେଶ କରିବେ ପରିକ୍ଷାର୍ଥୀ । ଅର୍ଥାତ୍ ସକାଳ ୭ଟା ୩୦ ଛାତ୍ରଛାତ୍ରୀ ପରୀକ୍ଷା ହଲରେ ପ୍ରବେଶ କରିବେ । ୮ଟା ୪୫ ମିନିଟରେ ପ୍ରଶ୍ନପତ୍ର ବଣ୍ଟାଯିବ ଓ ସକାଳ ୯ଟାରୁ ଆରମ୍ଭ ହେବ ପରୀକ୍ଷା ।
କୌଣସି କାରଣରୁ ଯଦି ପରୀକ୍ଷାର୍ଥୀ ୯ଟା ପରେ ଅର୍ଥାତ ପରୀକ୍ଷା ଆରମ୍ଭ ହେବା ପରେ ଆସନ୍ତି, ତେବେ ସେମାନଙ୍କୁ ମଧ୍ୟ ସୁଯୋଗ ଦିଆଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି କପି ରୋକିବାକୁ ୪୨ଟି ବୋର୍ଡ ସ୍କ୍ୱାର୍ଡ, ୭୨ଟି ଫ୍ଲାଇଂ ସ୍କ୍ୱାର୍ଡ ଗଠନ ହୋଇଛି । ବଡ଼ କଥା ହେଉଛି ପରୀକ୍ଷାକୁ ଜଗିବ ଆର୍ଟିଫିସିଆଲ ଇଂଟେଲିଜେନ୍ସ କ୍ୟାମେରା । ସମ୍ବେଦଶନଶୀଳ ଓ ଅତି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ଏଆଇ କ୍ୟାମେରା ବ୍ୟାବସ୍ଥା କରାଯିବା ସହ ସମସ୍ତ ନୋଡାଲ ସେଣ୍ଟରରେ ଲାଇଭ ଷ୍ଟ୍ରିମିଂର ବ୍ୟବସ୍ଥା କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି । ପରୀକ୍ଷା କେନ୍ଦ୍ରରେ ଏଥର କଡା ପୁଲିସ ପାଟ୍ରୋଲିଂ କରାଯିବ ।