ଜୁଲାଇ ୩୧ ସୁଦ୍ଧା ବାହାରିବ ମାଟ୍ରିକ ରେଜଲ୍ଟ ! ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା: ଖାତାଦେଖା ସରିଛି, ଟାବୁଲେସନ ଚାଲିଛି; ଖୁବଶୀଘ୍ର ଘୋଷଣା ହେବ ତାରିଖ

726

କନକ ବ୍ୟୁରୋ: ୩୧ ସୁଦ୍ଧା ମାଟ୍ରିକ୍ ଫଳ । ଜୁଲାଇ ୩୧ ତାରିଖ ସୁଦ୍ଧା ବାହାରିପାରେ ଦଶମ ଶ୍ରେଣୀ ପରୀକ୍ଷା ଫଳ । ଏନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ତେବେ ମାଟ୍ରିକ୍ ଖାତା ଦେଖା ସରିଥିବା ବେଳେ ଟାବୁଲେସନ ଚାଲିଛି । ଖୁବ ଶୀଘ୍ର ରେଜଲ୍ଟ ତାରିଖ ଘୋଷଣା କରାଯିବ ବୋଲି ଆଜି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ତେବେ ଯୁକ୍ତ ଦୁଇ ମୂଲ୍ୟାୟନ ନେଇ ସମସ୍ୟା ରହୁଛି । କରୋନା ମହାମାରୀ ପାଇଁ ୨୦ ଜିଲ୍ଲାରେ ସଟଡାଉନ କଟକଣା ଜାରି ହୋଇଥିବା କାରଣରୁ ଶିକ୍ଷକମାନେ ମୂଲ୍ୟାୟନ କେନ୍ଦ୍ରକୁ ଆସି ପାରୁନାହାନ୍ତି । ତେଣୁ ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯିବ। କିପରି ମୂଲ୍ୟାୟନ ଠିକ୍‌ ଭାବେ ହେବ ଜିଲ୍ଲାପାଳଙ୍କୁ ସେ ବିଷୟରେ ଅବଗତ କରାଇବେ ବୋଲି ମନ୍ତ୍ରୀ ଦାଶ କହିଛନ୍ତି।

ଚଳିତ ବର୍ଷ ୫.୬ ଲକ୍ଷ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ଓଡ଼ିଶାରେ ୨ ହଜାର ୮୮୮ କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷା ହୋଇଥିଲା । ୧୦୦୦ଟି ସମ୍ବେଦନଶୀଳ କେନ୍ଦ୍ରରେ ସିସିଟିଭି ଲଗାଯାଇଥିଲା । ତେବେ ପରୀକ୍ଷା ପରେ ୬୦ଟି କେନ୍ଦ୍ରରେ ଖାତା ଦେଖା ଚାଲିଥିଲା। ଖାତାଦେଖା ପାଇଁ ୧୫ ହଜାର ଶିକ୍ଷକ ନିଯୁକ୍ତ ହୋଇଥିଲେ ।