ମାଟ୍ରିକ୍ ମାର୍କ ବିବାଦ ନେଇ ବୋର୍ଡର ସ୍ପଷ୍ଟୀକରଣ । ବୋର୍ଡ ଅଧ୍ୟକ୍ଷ କହିଲେ, ଅସନ୍ତୁଷ୍ଟ ପିଲା ଦିଅନ୍ତୁ ଅଫଲାଇନ୍ ପରୀକ୍ଷା । ସେପଟେ ନମ୍ବରକୁ ନେଇ ପିଲାଙ୍କ ଭିତରେ ଏବେ ବି ଅନେକ ପ୍ରଶ୍ନ…

170

କନକ ବ୍ୟୁରୋ: ମାଟ୍ରିକ ମାର୍କକୁ ନେଇ ଉଠିଥିବା ବିବାଦ ବଢ଼ିବାରେ ଲାଗିଛି । ସୋମବାର କିଛି ଜିଲ୍ଲାରେ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଥିବାବେଳେ ଆଜି ଆଉ କିଛି ଜିଲ୍ଲାରେ ଛାତ୍ରଛାତ୍ରୀ ପ୍ରତିବାଦ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଅସ୍ତନ୍ତୋଷକୁ ଦୂର କରିବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟୀକରଣ ରଖିଥିଲେ ମଧ୍ୟ ଏହା ଛାତ୍ରଛାତ୍ରୀମାନଙ୍କୁ ସନ୍ତୁଷ୍ଟ କରାଇପାରିନି ।

ମାଟ୍ରିକ ମାର୍କକୁ ନେଇ ଛାତ୍ରଛାତ୍ରୀଙ୍କ ଭିତରେ ଏବେ ବି କୁହୁଳୁଛି ଅସନ୍ତୋଷ । ସୋମବାର କେତେକ ଜିଲ୍ଲାରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିବାବେଳେ ମଙ୍ଗଳବାର ବାଲେଶ୍ୱର, ଗଞ୍ଜାମ, ନବରଙ୍ଗପୁରରୁ ଆସିଛି ସମାନ ଚିତ୍ର । ଆଉ ଏସବୁ ଭିତରେ ଗଣମାଧ୍ୟମକୁ ଡାକିି ସ୍ପଷ୍ଟିକରଣ ରଖିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇ ନାହିଁ ।

ବୋର୍ଡ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣ-
– ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ୪ ବର୍ଷର ପ୍ରଦର୍ଶନକୁ ବିଚାର କରି ମାର୍କ ଦିଆଯାଇଛି

– ୨୦୧୭, ୧୮, ୧୯ ଓ ୨୦ ଶିକ୍ଷା ବର୍ଷର ପରୀକ୍ଷା ଫଳରୁ ସର୍ବାଧିକ ମାର୍କ ଆଧାରରେ ଚଳିତବର୍ଷର ମାର୍କିଂ ହୋଇଛି

– ନବମ ପରୀକ୍ଷା, ଦଶମ ପ୍ରିବୋର୍ଡ ପରୀକ୍ଷା ମାର୍କ ଆଧାରରେ ମୂଲ୍ୟାୟନ କରାଯାଇଛି

– ମୂଲ୍ୟାୟନ ପଦ୍ଧତି ସଂପର୍କୀତ ସବୁ ତଥ୍ୟ ବୋର୍ଡ ୱେବ୍ ସାଇଟ୍ରେ ଉପଲବ୍ଧ ରହିଛି

– ସ୍ୱତନ୍ତ୍ର କୋର କମିଟି ଗଠନ କରି ମୂଲ୍ୟାୟନର ତର୍ଜମା କରାଯାଇଛି

– ଆଇଆଇଟି ମଡେଲ ଓ ବିଟ୍ସ ପିଲାନି ମଡେଲ ଆଧାରରରେ ଏକ ଗାଣିତିକ ମଡେଲ ବିକାଶ କରି ମୂଲ୍ୟାୟନ ହୋଇଛି

ତଥାପି ମାଟ୍ରିକ ମାର୍କକୁ ନେଇ ଯଦି କୌଣସି ଛାତ୍ରଛାତ୍ରୀଙ୍କ ମନରେ ଦ୍ୱନ୍ଦ୍ୱ ରହିଛି ତେବେ ସେମାନେ ଅଫଲାଇନ୍ ପରୀକ୍ଷା ଦିଅନ୍ତୁ ବୋଲି ବୋର୍ଡ କହିଛି ।

– ଏଥିପାଇଁ ଆଗାମୀ ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ

-୧୦ ଦିନ ଭିତରେ ପିଲା ଫିର୍ମଫିଲଅପ କରି ଅଫଲାଇନ ପରୀକ୍ଷା ଦେଇପାରିବେ

– ଖୁବଶୀଘ୍ର ଫଳାଫଳ ପ୍ରକାଶ ପାଇବ ଏବଂ ଚଳିତବର୍ଷ ହିଁ ପିଲା ଯୁକ୍ତ ଦୁଇରେ ନାମ ଲେଖାଇ ପାରିବେ

ମୂଲ୍ୟାୟନକୁ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣ ଛାତ୍ରଛାତ୍ରୀଙ୍କୁ ଶାନ୍ତ କରିପାରି ନାହିଁ । ମହାମାରୀ ଭିତରେ ପରୀକ୍ଷା କରାଇବା ସମ୍ଭବ ନଥିଲା । ସମସ୍ତେ ମାର୍କରେ ସନ୍ତୁଷ୍ଟ ହେବେ ତାହା ବି ସମ୍ଭବ ନୁହେଁ । କିନ୍ତୁ ସବୁଠାରୁ ବଡ ପ୍ରଶ୍ନ ହେଉଛି, ଛାତ୍ରଛାତ୍ରୀମାନେ ନ୍ୟାୟ ପାଇଛନ୍ତି ତ?