କରୋନା କଟକଣା ଭିତରେ ଖୋଲିଲା ସ୍କୁଲ । ଅନଲାଇନ ଦୁନିଆରୁ ବାହାରି କଳାପଟାରେ ପୁଣି ପାଠ ପଢ଼ିଲେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ

161

କନକ ବ୍ୟୁରୋ: କରୋନା ସମୟରେ ସାରାରାଜ୍ୟରେ ପୁଣି ଖୋଲିଛି ସ୍କୁଲ । କଟକରୁ କୋରାପୁଟ, ରାଜଧାନୀରୁ ରାଉରକେଲା ସବୁଠି ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀଗୃହରେ ବସି ସିଧାସଳଖ ପାଠପଢ଼ା ଆରମ୍ଭ ହୋଇଛି  । କରୋନାର ଦ୍ୱିତୀୟ ଲହରର ଭୟ ଓ ତୃତୀୟ ଲହରର ଆଶଙ୍କା ଥିଲେ ବି ଦୀର୍ଘ ଦିନ ପରେ  ସ୍କୁଲ ଖୋଲିଥିବାରୁ  ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଜି ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ଆଉ ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍କୁଲରେ ପହଁଚିଯାଇଥିଲେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀ ଶ୍ରେଣୀ ଗୃହକୁ ପ୍ରବେଶ କରିବା ପୂର୍ବରୁ ସରକାରଙ୍କ ଗାଇଡଲାଇନ ଅନୁସାରେ ସମସ୍ତଙ୍କର ସ୍କାନିଂ କରାଯାଇଥିଲା । ସାନିଟାଇଜରରେ ହାତ ସଫା କରିଥିଲେ । ସମସ୍ତେ ମୁହଁରେ ମାସ୍କ ପିନ୍ଧିଥିଲେ  ଏବଂ ଛାତ୍ରଛାତ୍ରୀମାନେ  ଅଭିଭାବକଙ୍କ ସ୍ୱୀକୃତି ପତ୍ର ଦେଇଥିଲେ ।

ଶ୍ରେଣୀ ଗୃହରେ ସିଧାସଳଖ ପାଠପଢ଼ା ଛାତ୍ରଛାତ୍ରୀଙ୍କ ପାଇଁ ବେଶ ଲାଭଦାୟକ ହେବ ବୋଲି କହିଛନ୍ତି ଶିକ୍ଷକ । ବିଶେଷକରି ଅନଲାଇନ ପଢ଼ାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୋଗୀ ହେବ ବୋଲି ମତ ଦେଇଛନ୍ତି ଶିକ୍ଷକ- ଶିକ୍ଷୟତ୍ରୀ । ତେବେ  ପ୍ରଥମ ଦିନ ସ୍କୁଲ ଖୋଲିଥିବାରୁ କେତେ ପିଲା ଆସିଛନ୍ତି, କେମିତି ରହିଛି ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ପ୍ରସ୍ତୁତି ?  ବିଭିନ୍ନ ସ୍କୁଲକୁ ଯାଇ ସେସବୁର ଅନୁଧ୍ୟାନ କରିଥିଲେ ଗଣଶିକ୍ଷାମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ଏହି ପାଠପଢ଼ା ଠିକଠାକ୍ ଚାଲିଲେ, ସେପ୍ଟେମ୍ବର ୧୫ରେ ନବମ ଓ ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଲକ୍ଷ୍ୟ ରଖିଛି ଗଣଶିକ୍ଷା ବିଭାଗ ।