କନକ ବ୍ୟୁରୋ: ଆଦିବାସୀ ଗାଁରେ ଲୋକଙ୍କ ପାଇଁ କିଛି କରିବାର ଉଚ୍ଚ ଆକାଂକ୍ଷା ନେଇ ମାତିଲଦା ଆରମ୍ଭ କରିଦିଅନ୍ତି ନିଜର କାମ । ସକାଳୁ ୫ଟାରୁ ଆରମ୍ଭ ହୋଇଯାଇଥାଏ ମାତିଲଦାଙ୍କ ଦିନଚର୍ଯ୍ୟା । ସକାଳୁ ଉଠି ନିତ୍ୟକର୍ମ ସାରିବା ପରେ ଘରକାମ ଶେଷ କରିଦିଅନ୍ତି । ପରିବାରର ୪ଜଣ ସଦସ୍ୟଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା ସହ ଗାଈଙ୍କୁ ଖାଇବାକୁ ଦିଅନ୍ତି । ଏହାପରେ ସାଇକଲରେ ଗାଁ ଭିତରକୁ ଗଡନ୍ତି । ପ୍ରତିଟି ଦୁଆରକୁ ଯାଇ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥାନ୍ତି ।
କୋଭିଡ ସମୟରେ ଟୀକା ବିଷୟରେ ସ୍ଥାନୀୟ ଲୋକଙ୍କୁ ପ୍ରବର୍ତ୍ତାଇବା ସହ ଟିକା ଦେବାରେ ପ୍ରମୁଖ ଭୂମିକା ନେଇଥିଲେ ଏହି ଆଶା କର୍ମୀ । ଗାଁର ୯୬୪ ଜଣଙ୍କ ମାତିଲଦା ଯତ୍ନ ନେଇଥାନ୍ତି । କାହାକୁ କଣ ରୋଗ ହେଲା, ଜ୍ୱର ହେଲା ଏଭଳିକି ଗର୍ଭବତୀଠୁ ଆରମ୍ଭ କରି ଛୋଟିଆ ଛୁଆ ହୁଅନ୍ତୁ କି ବୁଢାବୁଢୀ ଯାହାର ଯେକୌଣସି ଅସୁବିଧା ହୁଏ ସାଇକଲରେ ତୁରନ୍ତ ପହଞ୍ଚିଯାଆନ୍ତି ମାତିଲଦା । ମାତଲିଦାଙ୍କ କହିବା ଅନୁସାରେ, ପ୍ରତ୍ୟେକ ମହିଳା ଘରୁ ଗୋଡକାଢି ସ୍ୱାବଲମ୍ବୀ ହେବା ଦରକାର । ୧୫ ବର୍ଷ ପୂର୍ବେ ଦେହଖରାପ ହେଲେ ଲୋକେ ଝଡାଫୁଙ୍କା କରୁଥିଲେ । ଏ ନେଇ ଲୋକଙ୍କୁ ସଚେତନ କରାଯାଇଥିଲା । ଜାତିବାଦ ଏବଂ ଅସ୍ପୃଶ୍ୟତାକୁ ଗାଁରେ ବନ୍ଦ ହୋଇଛି । କୋଭିଡରେ ଗାଁରେ କେହି ମୃତ୍ୟୁମୁଖରେ ପଡିନାହାନ୍ତି ।
ସୁନ୍ଦରଗଡ ବଡଗାଁ ବ୍ଲକରେ ଆଶାକର୍ମୀ ମାତିଲଦା କୁଲୁଙ୍କ କାମକୁ ଚାରିଆଡେ ପ୍ରଂଶସା କରାଯାଇଛି । ସମସ୍ତ ପ୍ରକାରର ପ୍ରତିକୂଳ ପରିସ୍ଥିତି ସତ୍ୱେ ସେ ନିଜର କାମକୁ ଜାରିରଖିଛନ୍ତି ।
Follow Us