କନକ ବ୍ୟୁରୋ: ବ୍ରହ୍ମପୁର ନିକଟସ୍ଥ କୁକୁଡାଖଣ୍ଡି ବ୍ଲକର ମାଟିଆ ସାହି ଗାଁକୁ କୋଭିଡ୍-୧୯ ହଟସ୍ପଟ ଘୋଷଣା କଲା ଜିଲ୍ଲା ପ୍ରଶାସନ । ଭୁବନେଶ୍ୱରର ସଂକ୍ରମିତ ଅଂଚଳରୁ ଏହି ମାଟିଆ ସାହି ଗାଁକୁ ୧୩୦ଜଣ ଶ୍ରମିକ ଯାଇଛନ୍ତି । ଏହି ଘଟଣା ପ୍ରଶାସନର ନଜରକୁ ଆସିବା ପରେ ମାଟିଆ ସାହି ଗାଁକୁ ସମ୍ପୁର୍ଣ୍ଣ ଲକ-ଡାଉନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗାଁକୁ ପ୍ରବେଶ ଓ ବାହାରିବା ଉପରେ କଟକଣା ଲଗାଯାଇଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି, ଗୋଳନ୍ଥରା ଆଇଆଇସି ଅସ୍ଥାୟୀ ଚେକପୋଷ୍ଟ ନିର୍ମାଣ କରି ଗାଁକୁ ପ୍ରବେଶ ଏବଂ ବାହାରିବା ଉପରେ ପୁରା ନଜର ରଖିଛନ୍ତି । ଏଥିସହ କୁକୁଡାଖଣ୍ଡିର ଅତିରିକ୍ତ ତହସିଲଦାରଙ୍କୁ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଭାବେ ଦାୟିତ୍ୱ ଦିଆଯାଇଛି । କୁକୁଡାଖଣ୍ଡିର ତହସିଲଦାର ଏହି ସମ୍ପୁର୍ଣ୍ଣ ଲକ-ଡାଉନ ଉପରେ ନଜର ରଖିଛନ୍ତି ।
ତେବେ ଗାଁରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଘରେ ଘରେ ଯୋଗାଇଦିଆଯିବ । ଏଥିପାଇଁ କୁକୁଡାଖଣ୍ଡି ଜିଲ୍ଲା ଉନ୍ନୟନ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । କଟକଣା ଉଲ୍ଲଙ୍ଘନ କଲେ ବାଧ୍ୟତାମୂଳକ ଭାବେ କ୍ୱାରେନଟାଇନରେ ରଖାଯିବ ବୋଲି କଡ଼ା ଚେତାବନୀ ଦେଇଛି ଜିଲ୍ଲା ପ୍ରଶାସନ । ତେବେ ପୂର୍ବରୁ ମୁଖ୍ୟ ଶାସନ ସଚିବ କହିଥିଲେ କି, ଯଦି କୌଣସି ସ୍ଥାନରେ କୋଭିଡ୍-୧୯ର ସଂକ୍ରମଣ ଆଶଙ୍କା ହୁଏ ଜିଲ୍ଲା ପ୍ରଶାସନ ସ୍ଥିତିକୁ ଦେଖି ହଟସ୍ପଟ୍ ଅଞ୍ଚଳ ଭାବେ ଘୋଷଣା କରିପାବେ ।