କନକ ବ୍ୟୁରୋ :  ୩୯ ଡିଗ୍ରୀ ସେଲିସିୟସ ଟାଣ ଖରା । ଯେଉଁଠି ବାହାରକୁ ବାହାରିବାକୁ ବି ଡର ଲାଗେ ସେହି ତାପମାତ୍ରାରେ ନୂଆ ରେକର୍ଡ କରିଛନ୍ତି ମଥୁରାର ୭୦ ବର୍ଷୀୟ ମହେନ୍ଦ୍ର ସିଂ ବର୍ମା । ଦୀର୍ଘ ୧ ଘଣ୍ଟା ୨୬ ମିନିଟ୍ ଖରାରେ ବସି ସୂର୍ଯ୍ୟଙ୍କୁ ଅପଲକ ନୟନରେ ଚାହିଁରହି ଏହି ନୂଆ ରେକର୍ଡ କରିଛନ୍ତି ମହେନ୍ଦ୍ର । ଯାହା ଜଣେ ସାଧାରଣ ଲୋକ ପକ୍ଷେ ଆଦୌ ସମ୍ଭବ ନୁହେଁ । କାରଣ ସୂର୍ଯ୍ୟଙ୍କୁ କିଛି କ୍ଷଣ ଚାହିଁରହିଲେ ଆଖିକୁ କଷ୍ଟ ହୋଇଥାଏ । ଏଭଳି ସ୍ଥିତିରେ ୭୦ ବର୍ଷୀୟ ମହେନ୍ଦ୍ର କେମିତି ଆଖି ପଲକ ନ ପକାଇ ସୂର୍ଯ୍ୟଙ୍କୁ ଏତେ ସମୟ ଧରି ଚାହିଁ ରହିଲେ ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

Advertisment

ସାଧାରଣତଃ ସୂର୍ଯ୍ୟଙ୍କୁ ଖାଲି ଆଖିରେ ଅଧିକ ସମୟ ଧରି ଚାହିଁ ରହିବାକୁ ମନା କରାଯାଇଥାଏ । କାରଣ ସୂର୍ଯ୍ୟଙ୍କ ଠାରୁ ଆସୁଥିବା ଅତିବାଇଗଣୀ ରଶ୍ମୀର ପ୍ରଭାବରେ ଆଖି ଖରାପ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ । ଏହାଛଡା ଜଣେ ସାଧାରଣ ବ୍ୟକ୍ତି ମିନିଟକୁ ୧୫ରୁ ୨୦ ଥର ଆଖି ପଲକ ପକାଏ । ଯାହାଦ୍ୱାରା ଆଖିର ନମନୀୟତା ବଜାୟ ରହେ ଏବଂ ଉଭୟ ଆଖି ଓ ମସ୍ତିଷ୍କକୁ ଆରାମ ମିଳିଥାଏ । ଯାହାର ବ୍ୟତିକ୍ରମ କାର୍ଯ୍ୟକ୍ଷେତ୍ରରେ ଦେଖିବାକୁ ମିଳିଥାଏ । କମ୍ପ୍ୟୁଟର, ମୋବାଇଲ ସାମ୍ନାରେ ଘଣ୍ଟା ଘଣ୍ଟା ଧରି ବସି ଆଖି ପଲକ ନ ପକାଇବା କାରଣରୁ ଆଖିରେ ଯନ୍ତ୍ରଣା ହୋଇଥାଏ ଏବଂ ଦୃଷ୍ଟି ଶକ୍ତି କ୍ଷୀଣ ହୋଇଥାଏ । ତେଣୁ କମ୍ପ୍ୟୁଟର ଓ ସୂର୍ଯ୍ୟଙ୍କୁ ସିଧାସଳଖ ଚାହିଁବା ବେଳେ ସୁରକ୍ଷାତ୍ମକ ଚଷମା ପିନ୍ଧିବାକୁ ବିଶେଷଜ୍ଞ ମାନେ କହିଥାନ୍ତି । କିନ୍ତୁ ସୂର୍ଯ୍ୟଙ୍କୁ ଖାଲି ଆଖିରେ ପଲକ ନ ପକାଇ ଘଣ୍ଟାଏରୁ ଅଧିକ ଚାହିଁ ରହିଥିଲେ ମଧ୍ୟ ମହେନ୍ଦ୍ରଙ୍କର ସେଭଳି ଆଖିରେ ସମସ୍ୟା ଦେଖିବାକୁ ମିଳିନାହିଁ ।

ଏନେଇ ମହେନ୍ଦ୍ର କହିଛନ୍ତି, ଦୃଷ୍ଟିଶକ୍ତିକୁ ସଶକ୍ତ କରିବାର ସବୁଠୁ ଫଳପଦ୍ର ତରିକା ହେଉଛି ତ୍ରାଟକ ଧ୍ୟାନ କୌଶଳ । ଏହାଏକ ଯୋଗ କୌଶଳ, ଯେଉଁଥିରେ କଳା ବିନ୍ଦୁ ଓ ଦୀପ ଶିଖା ଭଳି ଛୋଟ ଛୋଟ ବସ୍ତୁ ଉପରେ ଫୋକସ କରାଯାଏ । ଏହା ହେଉଛି ସବୁଠୁ ଜଟିଳ ଧ୍ୟାନ ଅଭ୍ୟାସ । ସେହିଭଳି ସୂର୍ଯ୍ୟଙ୍କୁ ଅପଲକ ନୟନରେ ଚାହିଁ ରହିବା ଏକ କଳା । ଯାହା ସମସ୍ତଙ୍କ ପକ୍ଷେ ସମ୍ଭବପର ହୋଇନଥାଏ । ମାତ୍ର ୨୧ ବର୍ଷ ବୟସରେ ଗୁରୁ ବାଲମୁକୁନ୍ଦ ମହାରାଜଙ୍କ ଠାରୁ ଏହି କଳା ଶିଖିଥିଲି । ଯେଉଁମାନେ ଏହି କଳା ବାବଦରେ ଶିକ୍ଷାଲାଭ କରିଥାନ୍ତି ସେମାନେ ସିଧାସଳଖ ସୂର୍ଯ୍ୟଙ୍କୁ ଚାହିଁ ରହିପାରିବେ । ପୂର୍ବରୁ ମଧ୍ୟ ସୂର୍ଯ୍ୟଙ୍କୁ ଚାହିଁ ରହୁଥିଲି । କିନ୍ତୁ ୧ ଘଣ୍ଟା ୨୬ ମିନିଟ୍ ଅପଲକ ନୟନରେ ଚାହିଁ ରହିବା ଦ୍ୱାରା ରେକର୍ଡ ହେବ ତାହା କେବେ ଭାବିନଥିଲି ।

ମହେନ୍ଦ୍ର ସିଂ ବର୍ମା ଏତେ ସମୟ ଧରି ସୂର୍ଯ୍ୟଙ୍କୁ ଚାହିଁ ରହିଥିଲେ ମଧ୍ୟ ତାଙ୍କର ଦୃଷ୍ଟିଶକ୍ତିରେ ସେଭଳି କୌଣସି ସମସ୍ୟା ଦେଖିବାକୁ ମିଳିନଥିଲା । କାରଣ ଏହି ରେକର୍ଡ ଶେଷ ହେବା ପରେ ଡାକ୍ତର ମାନେ ତୁରନ୍ତ ମହେନ୍ଦ୍ରଙ୍କର ଆଖିର ପରୀକ୍ଷା କରିଥିଲେ । ଆଉ ମହେନ୍ଦ୍ର ବିନା କୌଣସି ସମସ୍ୟାରେ ପୂର୍ବଭଳି ସବୁକିଛି ଠିକଠାକ ପଢି ପାରୁଥିଲେ । ତେବେ ଏହି ରେକର୍ଡ ଏବେ ଇଣ୍ଡିଆ ରେକର୍ଡ ବୁକରେ ସାମିଲ ହୋଇଥିବା ବେଳେ ଆଗକୁ ଗିନିଜ୍ ୱାଲ୍ଡ ରେକର୍ଡ ପାଇଁ ମହେନ୍ଦ୍ର ପ୍ରୟାସ ଆରମ୍ଭ କରିବେ । ଆଉ ଏହି ରେକର୍ଡ ହାସଲ କରିବା ପରେ ଏବେ ମହେନ୍ଦ୍ରଙ୍କୁ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି । କାରଣ ଯାହା ଜଣେ ସାଧାରଣ ଲୋକ ପକ୍ଷେ ସମ୍ଭବ ନୁହେଁ ତାହାକୁ ପୂରା କରି ଦେଖାଇଛନ୍ତି ମହେନ୍ଦ୍ର ସିଂ ବର୍ମା ।