ସମ୍ପର୍କର ମୂଲ ବୁଝିଲାନି ଜୀବନ ସାଥି। ରୋଗଗ୍ରସ୍ତ ସ୍ତ୍ରୀକୁ ବାପାଘରେ ଛାଡି ଅନ୍ୟତ୍ର ବିବାହ କଲା ସ୍ୱାମୀ। ଜୀବନ ଯନ୍ତ୍ରଣା ସହ ଯୁଝି ହେଉଛନ୍ତି ମାଥିଲିର ସମାରି ମେଡା

707

କନକ ବ୍ୟୁରୋ: ସାତଦୀପ ଆଠ କଳସକୁ ସାକ୍ଷୀ ରଖି ଯାହାର ହାତ ଧରିଥିଲେ ସେ ହୋଇଗଲା ସ୍ୱାର୍ଥପର । ଜୀବନ ସାଥି ବୁଝିଲା ନାହିଁ ସମ୍ପର୍କର ମୂଲ । ହୋମ ନିଆଁକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହେବା ପାଇଁ କଥା ଦେଇଥିଲା, ହେଲେ ଗୋଟିଏ ଜନ୍ମ ରହିଲା ନାହିଁ । ରୋଗାଗ୍ରସ୍ତ ସ୍ତ୍ରୀର ଚିକିତ୍ସା ନକରି ବାପାଘରେ ଛାଡି ସବୁ ସଂପର୍କ ତୁଟାଇଦେଲା ସ୍ୱାର୍ଥପର ସ୍ୱାମୀ । ଆଦିବାସୀ ଅଧ୍ୟୁଷିତ ଅଂଚଳରୁ ଆସିଛି ଏପରି ଏକ ହୃଦୟ ବିଦାରକ ଖବର ।

ପ୍ରେମର ପରିଭାଷା ପତିପତ୍ନୀଙ୍କ ଠାରୁ ଅଧିକ କିଏ ବା ବୁଝେ । କୁହାଯାଏ ସବୁଠାରୁ ସୁନ୍ଦର ସଂପର୍କ ସ୍ୱାମୀ-ସ୍ତ୍ରୀଙ୍କ ସଂପର୍କ । ସବୁଠାରୁ ସୁନ୍ଦର ଜୀବନ ଦାମ୍ପତ୍ୟ ଜୀବନ । ହେଲେ ଯଦି ଦାମ୍ପତ୍ୟ ଜୀବନରେ ଅଧାରୁ ସ୍ତ୍ରୀର ହାତ ଛାଡି ଦିଏ ସ୍ୱାମୀ, ବଦଳିଯାଏ ସଂପର୍କର ପରିଭାଷ, ବଦଳିଯାଏ ଜୀବନର ମୋଡ । ସେମିତି ଏକ ଜୀବନ-ଯନ୍ତ୍ରଣାର ଦୋ-ଛକିରେ ମାଲକାନଗିରି ମାଥିଲି ବ୍ଲକ ଅନ୍ତର୍ଗତ ମାଡେଗୁଡା ଗାଁ ସମାରି ମେଡା । ୨୦ ବର୍ଷ ତଳେ ସ୍ଥାନୀୟ ଅଂଚଳର ହାତୀ ଭୂଷୁଡିଙ୍କୁ ପ୍ରେମ ବିବାହ କରିଥିଲେ ସମାରି । ସବୁକିଛି ଠିକ ଠାକ୍ ଚାଲିଥିଲା । ହେଲେ ସମୟ ସୁଅରେ ସବୁକିଛି ବଦଳିଗଲା । ସମାରିଙ୍କ ମୁଣ୍ଡ ଉପରେ ଛିଡି ପଡିଲା ଦୁଃଖର ପାହାଡ । ମାନସିକ ଭାରସ୍ୟାମ ହରାଇବସିଲେ ସମାରି । ସ୍ତ୍ରୀ ରୋଗାକ୍ରାନ୍ତ ହେବା ପରେ ତାଙ୍କୁ ବାପ ଘରେ ଛାଡି ସବୁ ସଂପର୍କ ତୁଟେଇ ଦେଇଛି ସ୍ୱାର୍ଥପର ସ୍ୱାମୀ ।

୧୦ ବର୍ଷରେ ଥରୁଟିଏ ବି ସ୍ତ୍ରୀଙ୍କୁ ଡାକ୍ତରଖାନାକୁ ନେଇ ନାହିଁ ସ୍ୱାମୀ । ସ୍ତ୍ରୀକୁ ବାପାଘରେ ଛାଡି ଦେଇ ଅନ୍ୟତ୍ର ବାହା ହୋଇଯାଇଛି ସମାରିଙ୍କ ସ୍ୱାମୀ । ହେଲେ ଗରିବ ପରିବାର ସମାରିଙ୍କ ଚିକିତ୍ସା କରାଇ ନପାରି ଘରେ ରଖିଛନ୍ତି । ଝିଅର ଦୁଃଖ ଦେଖି ଦେଖି ଶେଷ ଶଯ୍ୟାରେ ପଡିଛନ୍ତି ମାଆ । ଆଉ ଭଗବାନ ଭରସାରେ ଘରେ ପଡି ରହିଥିବା ଝିଅର ଚିକିତ୍ସା ପାଇଁ ସହାୟତା ଲୋଡିଛନ୍ତି ଏହି ଗରିବ ପରିବାର । ସେପଟେ ସମାରିଙ୍କୁ ଉଦ୍ଧାର କରି ମାଗଣା ଚିକିତ୍ସା ଯୋଗାଇ ଦେବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମାଥିଲି ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ । ସମାରିଙ୍କ ୧୮ ବର୍ଷର ଝିଅ ଅଛନ୍ତି । ସେ ଭୁବନେଶ୍ୱରରେ ସିଲେଇ ଟ୍ରେନିଙ୍ଗ ନେଉଛନ୍ତି । ଝିଅକୁ ମଧ୍ୟ ନିଜ ମାଆଙ୍କ ପାଖକୁ ଯିବା ରୋକଠୋକ ମନା କରି ଦେଇଛି ସ୍ୱାର୍ଥପର ସ୍ୱାମୀ ।