ବିବାଦରେ ‘ଟାଇମ୍ଡ ଆଉଟ୍’: ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ପ୍ରଥମ ଘଟଣା, ନ୍ୟାୟ ପାଇଁ ଆଇସିସିକୁ ମାଥ୍ୟୁସଙ୍କ ନିବେଦନ

1,019

କନକ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଏକ ଏମିତି ଘଟଣା ଘଟିଛି, ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ବିଶ୍ୱକପ୍ ବ୍ୟାଟେଲରେ ସୋମବାର ଦିଲ୍ଲୀରେ ଖେଳାଯାଇଥିବା ବାଂଲାଦେଶ ଏବଂ ଶ୍ରୀଲଙ୍କା ମ୍ୟାଚରେ ଘଟିଛି ଏକ ରୋଚକ ଘଟଣା । ବ୍ୟାଟିଂ କରିବା ପୂର୍ବରୁ ଆଉଟ ହୋଇ ପ୍ୟାଭିଲିୟନ ଫେରିଯାଇଥିଲେ ଶ୍ରୀଲଙ୍କାର ଆଞ୍ଜେଲୋ ମାଥ୍ୟୁସ । କ୍ରିକେଟ୍ ଇତିହାସରେ ପ୍ରଥମଥର ଏଭଳି ଘଟଣା ଘଟିଛି । ସଦିର ସମରାବିକ୍ରମା ଆଉଟ ହେବା ପରେ ମାଥ୍ୟୁସ ବ୍ୟାଟିଂ କରିବାକୁ ଆସିବାର ଥିଲା । କିନ୍ତୁ ମାଥ୍ୟୁସ କ୍ରିଜ୍କୁ ଆସିବାରେ ପାଖାପାଖି ୫ମିନିଟ୍ ବିଳମ୍ବ କରିଥିଲେ । ସମରବିକ୍ରମାଙ୍କ ୱିକେଟକୁ ୩ଟା ୪୯ ମିନିଟ୍ ସମୟ ରେକର୍ଡ କରାଯାଇଥିବା ବେଳେ ମାଥ୍ୟୁସ୍ ୩ଟା ୫୪ ମିନିଟରେ ପଡିଆକୁ ଆସିଥିଲେ । ତେଣୁ ନିୟମ ଅନୁସାରେ, ଅମ୍ପାୟାର ତାଙ୍କୁ ଟାଇମଡ୍ ଆଉଟ୍ ଘୋଷଣା କରିଥିଲେ ।

ଏବେ ଆସନ୍ତୁ ଜାଣିବା ଟାଇମ୍ଡ ଆଉଟ୍କୁ ନେଇ କ’ଣ ରହିଛି ନିୟମ?
କ’ଣ ରହିଛି ନିୟମ?
-କୌଣସି ୱିକେଟ୍ ଗଲେ, କିମ୍ବା କେହି ବ୍ୟାଟର୍ ପଡ଼ିଆ ଛାଡ଼ିବା ପରେ, ପରବର୍ତ୍ତୀ ବ୍ୟାଟର୍ ପଡ଼ିଆରେ ପହଂଚିବା ସହ ବଲ୍କୁ ୩ ମିନିଟ୍ ମଧ୍ୟରେ ସାମ୍ନା କରିବାକୁ ପଡ଼ିବ ।
-ଯଦି ବ୍ୟାଟର୍ ଧାର୍ଯ୍ୟ ସମୟ ମଧ୍ୟରେ ବଲ୍କୁ ସାମ୍ନା ନକରନ୍ତି, ତାହେଲେ ତାଙ୍କୁ ଟାଇମ୍ଡ ଆଉଟ୍ ଘୋଷଣା କରାଯିବ ।
-ହେଲେ ଏହି ୱିକେଟ୍ର ଶ୍ରେୟ ବୋଲରଙ୍କୁ ଯିବ ନାହିଁ
-ଏଥର ବିଶ୍ୱକପରେ ଟାଇମ୍ଡ ଆଉଟ୍ ପାଇଁ ୨ ମିନିଟ୍ ସମୟ ରଖାଯାଇଛି

ପ୍ରଥମ ଶ୍ରେଣୀ କ୍ରିକେଟରେ ବର୍ତମାନସୁଦ୍ଧା ୬ଜଣ ଟାଇମ୍ଡ ଆଉଟ୍ ହୋଇଛନ୍ତି । ଦକ୍ଷିଣଆଫ୍ରିକାର ଆଣ୍ଡ୍ରୁ ଜୋର୍ଡାନ ୧୯୮୮ ମସିହାରେ ପ୍ରଥମ ଥର ଏଭଳି ଆଉଟ୍ ହୋଇଥିଲେ । ୧୯୯୭ରେ ଦ୍ୱିତୀୟ ଶିକାର ହୋଇଥିଲେ ହେମୁଲାଲ୍ ଯାଦବ । ସେହିପରି ଭାସବର୍ଟ ଡ୍ରେକ୍ସ (୨୦୦୨), ଏଜେ ହାରିସ୍ (୨୦୦୩), ରିୟାନ ଅଷ୍ଟିନ (୨୦୧୪), ଚାର୍ଲସ କୁଞ୍ଜେ (୨୦୧୭) ଏଭଳି ଆଉଟର ଶିକାର ହୋଇଛନ୍ତି । ସେହିପରି ୨୦୦୭ କେପ୍ଟାଉନ୍ ଟେଷ୍ଟ ମ୍ୟାଚ୍ରେ ଏଭଳି ଆଉଟ୍ ହେବାରୁ ଅଳ୍ପକେ ବର୍ତିଥିଲେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ।

ଏଭଳି ଆଉଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଆଞ୍ଜେଲୋ ମାଥ୍ୟୁସ । ମ୍ୟାଚ୍ ସମୟର ଏକ ଫଟୋ ସେ ସେୟାର କରିଛନ୍ତି । ଆଉ ନିର୍ଦ୍ଧାରିତ ସମୟ ପୂର୍ବରୁ ପଡିଆ ଭିତରକୁ ଆସିଥିବା ସେ ଦାବି କରିବା ସହ ନ୍ୟାୟ ପାଇଁ ଆଇସିସିକୁ ନିବେଦନ କରିଛନ୍ତି । ସେପଟେ ଏଭଳି ଆଉଟକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଇସିସି ନିୟମରୁ ଏଭଳି ଆଉଟକୁ ବାଦ୍ ଦେବାକୁ ଦାବି ଉଠିଛି ।