ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣ ହଟିବା ପରେ ରାଜନୀତି ଜୋର । ପଛୁଆ ବର୍ଗଙ୍କୁ କିଏ କଲା ପ୍ରତାରଣା, ବିଜେପି-ବିଜେଡି ମୁହାଁମୁହିଁ ।

261

କନକ ବ୍ୟୁରୋ : ପଞ୍ଚାୟତ ସଂରକ୍ଷଣ ବିଜ୍ଞପ୍ତି ନେଇ ହାଇକୋର୍ଟଙ୍କ ରାୟ ପରେ ଆସନ ଗଣିତ ଓଲଟପାଲଟ ହୋଇଯାଇଛି । ଆଉ ଏହାକୁ ନେଇ ରାଜନୀତି ବି ଆରମ୍ଭ ହୋଇଛି । ବିଜେଡି କହିଛି, କୋଟା ନଥିଲେ ବି ତାଙ୍କ ଦଳ ଓବିସି ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେବ । ବିରୋଧୀ ବିଜେପି ଓ କଂଗ୍ରେସ କିନ୍ତୁ ପାଲଟା ଅଭିଯୋଗ ଆଣି କହିଛନ୍ତି ବିଜେଡି, ଓବିସିଙ୍କୁ ଧୋକା ଦେଇଛି ।

ପଞ୍ଚାୟତ ନିର୍ବାଚନରେ ବଦଳିବ ଆସନ ଗଣିତ । ଅଣସଂରକ୍ଷିତ ହେବ ଓବିସି ଆସନ । ରାଜ୍ୟରେ ମୋଟ ୮୫୩ଟି ଜିଲ୍ଲା ପରିଷଦ ଜୋନ ଭିତରୁ ୧୦୪ଟି ଜିଲ୍ଲାପରିଷଦ ଜୋନ ଓବିସିଙ୍କ ପାଇଁ ସଂରକ୍ଷିତ ଥିଲା । ଯାହା ବର୍ତମାନ ଅଣସଂରକ୍ଷିତ ଆସନ ହୋଇଯିବ । ସେହିପରି ଯେଉଁସବୁ ଜିଲ୍ଲାର ଜିଲ୍ଳାପରିଷଦ ଅଧ୍ୟକ୍ଷ ପଦ ଓବିସି ବର୍ଗ ପାଇଁ ସଂରକ୍ଷିତ ଥିଲା, ସେହି ଆସନ ମଧ୍ୟ ଅଣସଂରକ୍ଷିତ ହୋଇଯିବ ।

ହାଇକୋର୍ଟଙ୍କ ରାୟ ପରେ ବଦଳିଲା ଚିତ୍ର । ଓବିସି ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେବ ବିଜେଡି । ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣକୁ ନେଇ ହାଇକୋର୍ଟଙ୍କ ଛାଟ ପରେ ବଦଳିଯିବ ସମ୍ପୂର୍ଣ୍ଣ ଚିତ୍ର । ଓବିସିଙ୍କ ପାଇଁ ସଂରକ୍ଷିତ ହୋଇଥିବା ଆସନଗୁଡିକୁ ଏବେ ଅଣସଂରକ୍ଷିତ କରି ଦିଆଯିବ । ଓବିସିଙ୍କ ଜନଗଣନା ହୋଇନଥିବାରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଓବିସି ସିଟ୍ ଅଣସଂରକ୍ଷିତ ଆସନ ହେବ । ତେବେ ଓବିସିଙ୍କ ପାଇଁ ସଂରକ୍ଷଣ ନଥିଲେ ବି ବିଜେଡି ଓବିସି ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଭିତିରେ ଟିକେଟ ଦେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

ଓବିସି ସଂରକ୍ଷଣକୁ ନେଇ ବୟାନବାଜି । ବିରୋଧୀଙ୍କ ଅଭିଯୋଗ, ଷଡଯନ୍ତ୍ର କରିଛି ବିଜେଡି । ପଂଚାୟତ ନିର୍ବାଚନରେ ଓବିସି ସଂରକ୍ଷଣକୁ ନେଇ ହାଇକୋର୍ଟଙ୍କ ରାୟ ପରେ ଶାସକ ଦଳ ବିଜେଡି ଉପରେ ବର୍ଷିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ବିଜେପି କହିଛି, ଓବିସି ବର୍ଗଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିଛନ୍ତି ରାଜ୍ୟ ସରକାର । ଏହା ଏକ ଷଡଯନ୍ତ୍ର । କଂଗ୍ରେସ କହିଛି, ସରକାର ତାଙ୍କ ସୁବିଧା ପାଇଁ ତାଲିକା ପ୍ରକାଶ କରିଥିଲେ । କୋର୍ଟଙ୍କ ରାୟ ସରକାରଙ୍କୁ ମାରିବା ଭଳି ହୋଇଛି । ବିଜେଡି ଜବାବ ରଖି କହିଛି, ନିୟମ ଅନୁସାରେ ସବୁ ହେଉଛି ।

ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ଯେଉଁ ଓବିସି ବର୍ଗର ଆଶାୟୀମାନେ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ଚଳାଇଥିଲେ ଏବେ ସେମାନଙ୍କ ଆଶା ମଉଳି ଯିବାକୁ ବସିଛି । କାରଣ ସରପଂଚ, ପଂଚାୟତ ସମିତି ସଭ୍ୟ, ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଭ୍ୟ ଓ ଅଧକ୍ଷ ପାଇଁ ନୂଆ ତାଲିକା ପ୍ରକାଶ ପାଇବ । ଆସନ୍ତା ୨୭ ତାରିଖରେ ସଂରକ୍ଷଣର ଡ୍ରାଫ୍ଟ ତାଲିକା ପ୍ରକାଶ ପାଇବ । ୩ ତାରିଖରେ ସଂରକ୍ଷଣକୁ ନେଇ ବ୍ଲକ ଓ ଜିଲ୍ଲା ସ୍ତରରେ ଆପତି ଅଭିଯୋଗର ଶୁଣାଣି କରାଯିବ । ୫ ତାରିଖରେ ଶୁଣାଣିର ସମାଧାନ କରାଯିବ ଏବଂ ୭ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ୮ ତାରିଖରେ ପଂଚାୟତରାଜ ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ଚୂଡାନ୍ତ ତାଲିକା ଦିଆଯିବ ।