ଓଡିଶାରେ ବଢୁଛି ମାତୃ ମୃତ୍ୟୁହାର! ସରକାରଙ୍କୁ ହାଇକୋର୍ଟଙ୍କ ସମାଲୋଚନା

ସରକାରୀ ଯୋଜନାର କାର୍ଯ୍ୟକାରିତାକୁ ନେଇ ଉଠିଲା ପ୍ରଶ୍ନ

173

କନକ ବ୍ୟୁରୋ: ରାଜ୍ୟର ଅନେକ ଅଞ୍ଚଳ ଏବେ ବି ସରକାରୀ ଯୋଜନାରୁ ଅପହଞ୍ଚ ଦୂରରେ ।  କେଉଁଠି ଡାକ୍ତରଖାନା ନାହିଁ ତ କେଉଁଠି ପହଞ୍ଚି ପାରିନାହିଁ ସ୍ୱାସ୍ଥ୍ୟ ସେବା । ଏବେ ବି ଅନେକ ଗର୍ଭବତୀ ବୁହା ହେଉଛନ୍ତି ଭାରରେ । ଆଦିବାସୀ ଇଲାକା, ପଛୁଆ ଅଞ୍ଚଳ, ଗାଁ ତଥା ସହର ତଳି ଅଞ୍ଚଳରେ ଗର୍ଭବତୀ ମହିଳା କିମ୍ବା ଅସୁରକ୍ଷିତ ପ୍ରସବ ଯୋଗୁଁ ମହିଳାଙ୍କ ମୃତ୍ୟୁ ଉଦବେଗଜନକ ରହିଥିବା କହିଛନ୍ତି ହାଇକୋର୍ଟ । ଏନେଇ ସରକାରଙ୍କ ଉଦାସୀନତାକୁ କଡା ସମାଲୋଚନା କରିଛନ୍ତି । କହିଛନ୍ତି, ରାଜ୍ୟରେ ବୃଦ୍ଧି ପାଉଥିବା ପ୍ରସୂତି ମୃତ୍ୟୁସଂଖ୍ୟାରୁ ସ୍ୱାସ୍ଥ୍ୟସେବାର ବିଫଳତାକୁ ସ୍ପଷ୍ଟ କରୁଛି । ପ୍ରସୂତିକୁ ଠିକ୍ ସମୟରେ ଡାକ୍ତରଖାନାରେ ପହଁଚାଇବା କ୍ଷେତ୍ରରେ ସରକାରୀ ବ୍ୟବସ୍ଥା ସଫଳ ହେଉନାହିଁ ।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେର ତଥ୍ୟ ଅନୁଯାୟୀ ୧ ଲକ୍ଷ ଗର୍ଭବତୀଙ୍କ ମଧ୍ୟରୁ ୧୫୦ ଜଣଙ୍କର ମୃତ୍ୟୁ ହେଉଛି । ରାଜ୍ୟରେ ମମତା ଯୋଜନା ଭଳି ଅନେକ ଯୋଜନା ଥିଲେ ବି ତାହାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି ସମାଜସେବୀ ।  ଗର୍ଭବତୀ ମହିଳାଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ରହିଥିବାବେଳେ ସରକାର ଯାହା ଯୋଗାଇଦେଉଛନ୍ତି ତାହା ପର୍ଯ୍ୟାପ୍ତ ନଥିବା ଅଭିଯୋଗ ହେଉଛି ।

ମାତୃ ମୃତ୍ୟୁହାର ବଢୁଥିବାରୁ ହାଇକୋର୍ଟ ସରକାରକୁ ସମାଲୋଚନା କରିଛନ୍ତି । ଏହାକୁ ରୋକିବା ପାଇଁ ତୁରନ୍ତ ସ୍ୱାସ୍ଥ୍ୟସେବା ବିଶେଷଜ୍ଞଙ୍କୁ ନେଇ ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କରିବାକୁ କହିଛନ୍ତି ହାଇକୋର୍ଟ । ଏହି କମିଟି ୪ ମାସ ଭିତରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ସ୍ୱାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନିର୍ଦ୍ଦେଶ କାର୍ଯ୍ୟକାରୀ ସଂକ୍ରାନ୍ତରେ ୫ ମାସ ମଧ୍ୟରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବେ ସରକାର ।