କନକ ବ୍ୟୁରୋ: ଆସନ୍ତାକାଲି ବାରବାଟୀରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍ ପାଇଁ ଦୁଇ ଦଳ ଆଜି ଷ୍ଟାଡିୟମ ଯାଇ ଅଭ୍ୟାସ୍ କରିବେ । ଓଡ଼ିଶା କ୍ରିକେଟ ଆସୋସିଏନ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସକାଳ ୯ଟାରେ ବାରବାଟୀ ଷ୍ଟାଡିୟମ୍ ଯାଇ ଅଭ୍ୟାସ କରିବ ଭାରତୀୟ ଦଳ । ଅପରାହ୍ନ ଯାଏଁ ଅଭ୍ୟାସ କରିବା ପରେ ୨ଟାରେ ଭୁବନେଶ୍ୱର ଫେରି ଆସିବ ଦଳ ।
ଅନ୍ୟପଟେ ୱେଷ୍ଟଇଣ୍ଡିଜ୍ ଦଳ ଦିନ ଗୋଟିଏରେ ଅଭ୍ୟାସ ପାଇଁ ବାରବାଟୀ ଷ୍ଟାଡିୟମ୍ ଯିବ । ୱେଷ୍ଟଇଣ୍ଡିଜ୍ ଦଳ ରାତି ପ୍ରାୟ ୯ଟା ବେଳେ ଫେରିବାର କାର୍ଯ୍ୟକ୍ରମ ରହିଛି । ଏପଟେ ଗତକାଲି ବାରବାଟୀ ଷ୍ଟାଡିୟମ୍ ଯାଇ ସୁରକ୍ଷା ବ୍ୟବସ୍ଥାର ଯାଂଚ କରିଛନ୍ତି ପୁଲିସ୍ ଡିଜି । ଭୁବନେଶ୍ୱର-କଟକ ଟ୍ୱିଇନ୍ ସିଟିର ପୁଲିସ୍ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପୁଲିସ୍ ଡିଜି । ବାରବାଟୀରେ ଏପର୍ଯ୍ୟନ୍ତ ୨୦ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଦୁଇଟି ବାତିଲ ହୋଇଛି ଏବଂ ୧୮ଟିର ଫଳାଫଳ ଆସିଛି । ଏହି ୧୮ଟି ମ୍ୟାଚ ଭିତରୁ ଭାରତ ଖେଳିଛି ୧୬ଟି ମ୍ୟାଚ, ଜିତିଛି ୧୨ଟି । ବାରବାଟୀରେ ଖେଳିନଥିବା ଦୁଇଟି ମ୍ୟାଚ ହେଉଛି, ୧୯୮୭ ଅଷ୍ଟ୍ରେଲିଆ-ଜିମ୍ବାୱେ, ୧୯୮୯ରେ ଇଂଲଣ୍ଡ-ପାକିସ୍ତାନ । ଭାରତ ୧୯୮୪, ୨୦୦୨ରେ ଇଂଲଣ୍ଡ ଠାରୁ, ୧୯୯୦ରେ ଶ୍ରୀଲଙ୍କା ଠାରୁ ଓ ୨୦୦୩ରେ ନ୍ୟୁଜିଲାଣ୍ଡଠାରୁ ବାରବାଟୀରେ ପରାସ୍ତ ହୋଇଛି । ୨୦୦୭ ମସିହା ଠାରୁ ବାରବାଟୀରେ ଫଳାଫଳ ଆସିଥିବା ୬ଟି ମ୍ୟାଚରୁ ୬ଟି ଯାକ ଭାରତ ବିଜୟ ହୋଇଛି ।
/kanak/media/post_attachments/wp-content/uploads/2017/12/BARABATI-1-300x175.jpg)
ଅର୍ଥାତ ୨୦୦୩ରେ ଶେଷ ଥର ପାଇଁ ବାରବାଟୀରେ ଭାରତ ନ୍ୟୁଜିଲାଣ୍ଡ ଠାରୁ ୪ ୱିକେଟରେ ହାରିଥିଲା । ବାରବାଟୀରେ ଏପର୍ଯ୍ୟନ୍ତ ମୋଟ ୧୨ଟି ଦିନିକିଆ ଶତକ ହୋଇଥିବା ବେଳେ ୧୫୩ରନ ସହ ମହମ୍ମଦ ଆଝାରୁଦ୍ଧିନ ସର୍ବାଧିକ ବ୍ୟକ୍ତିଗତ ସ୍କୋର ହାସଲ କରିଛନ୍ତି । ଏଠାରେ ଶତକ ହାସଲ କରିଥିବା ଅନ୍ୟ ଭାରତୀୟ ଖେଳାଳି ହେଉଛନ୍ତି ରବି ଶାସ୍ତ୍ରୀ, ଅଜୟ ଜାଡେଜା, ସଚିନ ତେନ୍ଦୁଲକର, ଆଜିଙ୍କ୍ୟ ରାହାଣେ, ଶିଖର ଧାୱନ, ଯୁବରାଜ ସିଂ ଓ ମହେନ୍ଦ୍ର ସିଂ ଧୋନି । ୨୦୧୭ରେ ବାରବାଟୀରେ ଖେଳାଯାଇଥିବା ଭାରତ-ଇଂଲଣ୍ଡ ମ୍ୟାଚରେ ଭାରତ ୧୫ରନରେ ବିଜୟୀ ହୋଇଥିବା ବେଳେ ଯୁବରାଜ ସିଂ ୧୫୦ ଓ ମହେନ୍ଦ୍ର ସିଂ ଧୋନି ୧୩୪ ରନର ଶତକୀୟ ଇନିଂସ ଖେଳିଥିଲେ ।