କନକ ବ୍ୟୁରୋ:
‘ମେଘ ଆସେ ଗାଇବାକୁ ମନଭରି ଆକାଶର ଗୀତ
ମେଘ ଆସେ ହସିହସି ମାଟି ସହ ବସିବାକୁ ମିତ
ମେଘ ବରଷିଲେ ସହର ଛାତିରେ ମନେପଡେ ପିଲାଦିନ
ବରଷା ଛିଟାର ପ୍ରତିଟି ଛୁଆଁରେ ନାଚିଉଠେ ପୁଣି ମନ’
ସହରୀ ବର୍ଷା, ଗାଁ ବର୍ଷାଠୁ ଟିକେ ଭିନ୍ନ । ଏ ବର୍ଷା ଗାଁ ଝିଅ ପରି ଲାଜେଇ ନୁହେଁ- ସ୍ମାର୍ଟ ସହର ପରି ଏଠି ବର୍ଷା ବି ସ୍ମାର୍ଟ । ଏଠି ଅନୁମତି ନେଇ ବର୍ଷେନି ବର୍ଷା ବରଂ ଅଚାନକ ଆସେ, ଅବେଳରେ ବର୍ଷେ, ଅହରହ ବି ଭିଜେଇଚାଲେ । ସହରୀ ବର୍ଷାକୁ ସମସ୍ତେ ଡରନ୍ତି- ଖୁବ୍ କମ୍ ଲୋକ ବୋଧେ ଏ ବର୍ଷାକୁ ଭୋଗନ୍ତି । ଏଠି ବର୍ଷା ଆସିରେ ଘରେ ପାଣିପଶିବାର ଭୟ ଥାଏ, ଏଠି ଡ୍ରେନ ବି ପେଟେ ପାଣି ପିଇ ରାଜଧାନୀବାସୀଙ୍କୁ ନାଲି ଆଖି ଦେଖାଏ... କିନ୍ତୁ ଏ ଦୃଶ୍ୟକୁ ଦେଖନ୍ତୁ ଏଠି କିନ୍ତୁ ବର୍ଷା ଭୋଗିବାକୁ ଏକ ସୁନ୍ଦର ସୁଯୋଗ ଦେଇଛି ଆକାଶ ।
ବର୍ଷା ବସ୍ତିରେ ହେଲେ ଶାସ୍ତି ମିଳେ ସତ । ପଲିଥିନ ଟଣା ଘରୁ ପାଣି ଗଳେ ସତ ହେଲେ ଭୁବନେଶ୍ୱରର ବସ୍ତିରେ ହିଁ କେବଳ ବର୍ଷାକୁ ଭଲକି ଭୋଗିହୁଏ- ଯାହାର ସତ ଏ ଚିତ୍ର ହିଁ ବଖାଣୁଛି । ଏଠି ବର୍ଷା ଫୁଲପକା ଛତାରେ ପଡି ଫୁଲେଇ ହୁଏ, କୁନି ଝିଅର ପାଦରେ ବର୍ଷା ପାଉଁଜି ସାଜେ, କୁନି ପୁଅର ଛିଣ୍ଡା ଚପଲ ଫାଙ୍କରେ ପକ୍କା ରାସ୍ତା ସହ ଲୁଚାପୁଚି ଖେଳେ...
ଟିଣ ଛପରରେ ଟୁପଟାପ ପଡି ବର୍ଷା ଗରିବିର ଗୀତ ଶୁଣାଏ...
ଥିଲା ବାଲାଙ୍କ ଘରେ ଘରେ ସିନା ସାୱାର ଅଛି ହେଲେ ଟିଣଛାତରୁ ଗଳି ପଡୁଥିବା ବର୍ଷା ହିଁ ଏ ବସ୍ତିପିଲାଙ୍କ ପାଇଁ କେଉଁ ସାୱାରଠୁ କମ୍ ନୁହେଁ । ସେଇଥିପାଇଁ ତ ବର୍ଷାରେ ନିର୍ଧୂମ୍ ଭିଜୁଛି ଏ ପୁଅ । ମାଆ ପଛେ ଭିଜିବାକୁ ହଜାରେ ଥର ମନା କରୁଥାଉ, କିନ୍ତୁ ମାଆ କଥାକୁ କିଏ ଖାତିର କରେ- ବର୍ଷାର ଏ ସୁଯୋଗକୁ କିଏ ବା ଛାଡିବ କହିଲେ ।
‘ଶୁଖିଲା ନଈ ଆଖିରେ ଏବେ କେତେ ସପନର ଭିଡ
ବିରହର ଛାତିତଳେ ସାରାରାତି ନୀରବତ ଝଡ...
ନଈ ମରିଗଲେ ମରୁଭୂମି ବଢିଗଲେ ବନ୍ୟା
ବର୍ଷା ମୁକୁଳା ଆକାଶର ଅଟେ କୁଆଁରୀ କନ୍ୟା...’
ବର୍ଷା ବଢିଲେ ବିପଦ ବଢେ, ବନ୍ୟା ହୋଇ ବର୍ଷା ନଈର ଛାତିରେ ମାଡେ । ଅବିଶ୍ରାନ୍ତ ବର୍ଷା ଖାଲି ସୁଯୋଗ ଦିଏନି ମ କେବେ କେବେ ବି ସଙ୍କଟ ଆଣେ- ଘର ଭସାଇ ନିଏ, ବେଘର କରେ । ତଥାପି ବର୍ଷା ଯେବେଯେବେ ଆକାଶର ଆଖିରୁ ଝରେ ଆପେ ଆପେ ମଣିଷର ଆଖି ଉପରମୁହାଁ ହୁଏ- ବର୍ଷା ବୁନ୍ଦାରେ ଦେହରୁ ମନ ଜଡସଜ ହୁଏ.. ପ୍ରତି ବର୍ଷାଋତୁ ବରଷ ଛାତିରେ ସ୍ମୃତି ହୋଇ ରୁହେ ।