ଧରା ପଡ଼ିଲା ଜିଏସଟି ଠକେଇର ମାଷ୍ଟରମାଇଣ୍ଡ : ଜାଲ କଂପାନୀ କରି, ମିଛ ଇନଭଏଏସ୍ ବନାଇ ଠକି ନେଇଥିଲା ୭୧୨ କୋଟି; ଜାମିନ ଆବେଦନ ଖାରଜ, ଜେଲକୁ ଗଲା କିଙ୍ଗପିନ୍ କଶ୍ମୀରା ଅଗ୍ରୱାଲ

231

କନକ ବ୍ୟୁରୋ : ଗିରଫ ହେଲା ଜିଏସଟି ଠକେଇର କିଙ୍ଗପିନ । ୭୧୨ କୋଟି ଟଙ୍କାର ଜିଏସଟି ଠକେଇରେ ଗିରଫ ହୋଇ ଜେଲକୁ ଯାଇଛନ୍ତି ରାଉରକେଲାର ବ୍ୟବସାୟୀ କଶ୍ମୀରା କୁମାର ଅଗ୍ରୱାଲ । ଜିଏସଟି କମିସନରଙ୍କ ନିର୍ଦ୍ଦେଶ ପରେ ଜିଏସଟି ଠକେଇର ମାଷ୍ଟରମାଇଣ୍ଡଙ୍କୁ ସମ୍ବଲପୁରରୁ ଗିରଫ କରିଥିଲା ଜିଏସଟି ଏନଫୋର୍ସମେଂଟ ସ୍କ୍ୱାଡ୍ । ଏହାପରେ ରାଉରକେଲା କୋର୍ଟରେ ହାଜର କରାଯାଇଥିଲା, ସେଠାରେ ଜାମିନ ନାମଂଜରୁ ହେବାରୁ ଜେଲକୁ ପଠାଇ ଦିଆଯାଇଛି । କଶ୍ମୀରା ଅଗ୍ରୱାଲଙ୍କ ଉପରେ ପୂର୍ବରୁ ଜିଏସଟି କର୍ତୃପକ୍ଷଙ୍କ ନଜର ରହିଥିଲା । ପୂର୍ବରୁ ଏହି ଘଟଣାରେ ଆଉ କିଛି ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ କଶ୍ମୀରା କୁମାର ଅଗ୍ରୱାଲ କିନ୍ତୁ ଫେରାର ରହିଥିଲେ । ଏହାରି ଭିତରେ କିନ୍ତୁ ସେ ରାଉରକେଲାରୁ ହରିୟାଣା ଓ ଟାଟାରୁ ସମ୍ବଲପୁର ବିଭିନ୍ନ ସ୍ଥାନକୁ ଲୁଚିଛପି ଚମ୍ପଟ ମାରୁଥିଲେ । ଶେଷରେ ଓଡିଶାରେ ଜିଏସଟି ଠକେଇର ଏହି କିଙ୍ଗପିନଙ୍କୁ ଗିରଫ କରିଛି ଜିଏସଟି ଏନଫୋର୍ସମେଂଟ ସ୍କ୍ୱାର୍ଡ । ଏମିତିି ପ୍ରାୟ ୧୨୯କୋଟିର ବୋଗସ ଟ୍ୟାକ୍ସ କାରବାର ହୋଇଥିବା ବି ଜଣାପଡିଛି । କିଛି ଭୂତ କମ୍ପାନୀ କରି କର ଫାଙ୍କିବାକୁ ଉଦ୍ୟମ କରାଯାିଥିବା ଜଣା ପଡିଛି । ଜିଏସଟି କତ୍ତୃପକ୍ଷ ଏକାଧିକ ସ୍ଥାନରେ ରେଡ କରିଛନ୍ତି ।

ତଦନ୍ତରୁ ଜଣାପଡିଛି ସ୍କୁଟି, ମୋଟର ସାଇକେଲ,କାର ଓ ଟ୍ରାକ୍ଟରରେ ଟନଟନ ମାଲ ପରିବହନ ହୋଇଥିବା ଦର୍ଶାଯାଇ ଜିଏସଟି ଫାଙ୍କିବାକୁ ଉଦ୍ୟମ ହୋଇଛି । ବ୍ୟାଙ୍କ ଦସ୍ତାବିଜ ଓ ଆଗ୍ରିମେଂଟ କାଗଜପତ୍ରକୁ ବି ହେରଫେର କରାଯାଇଥିବା ଜଣାପଡିଛି ।  ତଦନ୍ତ ବେଳେ କଶ୍ମୀରା ଅଗ୍ରୱାଲଙ୍କ ବିଭିନ୍ନ ବ୍ୟବସାୟିକ ସଂସ୍ଥା,ଅନେକ କୋଠାବଡି,ବ୍ୟାଙ୍କ କାଗଜପତ୍ର, ଏଟିଏମ, ପାସବୁକ ସମେତ ଚେକ୍ବୁକ୍କୁ ଜବତ କରିଛନ୍ତି ତଦନ୍ତକାରୀ ଟିମ ।