୯ ବର୍ଷ ପରେ ଧରାପଡ଼ିଲା ଭିନିଲ କ୍ରିଷ୍ଣା ଅପହରଣର ମୁଖ୍ୟ ଖଳନାୟକ ଦୁର୍ଦ୍ଦାନ୍ତ ମାଓବାଦୀ ଦାମୋଦର ଓରଫ ଆଜାଦ । ମୁଣ୍ଡ ପାଇଁ ୨୦ ଲକ୍ଷ ଲେଖାଏଁ ଘୋଷଣା କରିଥିଲେ ଆନ୍ଧ୍ର ଓ ଓଡ଼ିଶା ସରକାର ।

364

କନକ ବ୍ୟୁରୋ : ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ଭିନୀଲ କ୍ରିଷ୍ଣାଙ୍କ ଅପହରଣ ଘଟଣାର ମୁଖ୍ୟ ଖଳନାୟକ ଗିରଫ । ଦାମୋଦର ଓରଫ ବାଲେମ ନାରାୟଣ ସ୍ୱାମୀ ଏବଂ ତା ପତ୍ନୀ ଫୁଲବତୀକୁ ଗିରଫ କରିଛି ଆନ୍ଧ୍ର ପୋଲିସ । ଦାମୋଦର ମାଲେରିଆ ଜ୍ୱରରେ ପୀଡିତ ଥିବାବେଳେ ଆନ୍ଧ୍ର ଗୁଡେମ ନିକଟ ଏକ ଗାଁରେ ଚିକିତ୍ସିତ ହେଉଥିଲା । ଗୁଇନ୍ଦା ତଥ୍ୟକୁ ଆଧାର କରି ଦାମୋଦର ଏବଂ ତା ପତ୍ନୀକୁ ଗିରଫ କରିବାରେ ସଫଳ ହୋଇଛି ଆନ୍ଧ୍ର ପୋଲିସ । ମୋଷ୍ଟ ୱାଂଟେଡ୍ ତାଲିକାରେ ଥିବା ଦାମୋଦର ନାଁରେ କେବଳ ଓଡିଶାରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା ।

ଭିନିଲ୍ କ୍ରିଷ୍ଣାଙ୍କ ଅପହରଣର ମାଷ୍ଟରମାଇଣ୍ଡ । ଧରାପଡିଲା ଦୁର୍ଦ୍ଦାନ୍ତ ମାଓବାଦୀ ଦାମୋଦର । ଏ ହେଉଛି ଆନ୍ଧ୍ର ଓ ଓଡ଼ିଶା ସୀମାନ୍ତରେ ପୋଲିସର ନିଦ ହଜାଇ ଦେଇଥିବା ଦୁର୍ଦ୍ଦାନ୍ତ ମାଓବାଦୀ । ଦାମୋଦର ଓରଫ ଆଜାଦ ଓରଫ ବାଲେମ ନାରାୟଣ ସ୍ୱାମୀ । ଏ ହେଉଛି ସେହି ମାଓବାଦୀ, ଯିଏ ୨୦୧୧ ମସିହାରେ ମାଳକାନଗିରିରେ ଏପରି କାଣ୍ଡ ଭିଆଇଥିଲା, ଯାହା ଆଜି ବି ମନେ ପଡ଼ିଲେ ଲୋମ ଟାଙ୍କୁରି ଉଠେ । ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣାଙ୍କୁ ଅପହରଣ ଘଟଣାର ମାଷ୍ଟର ମାଇଣ୍ଡ ଥିଲା ଦାମୋଦର । ୨୦୧୧ ଫେବ୍ରୁଆରୀ ୧୬ ତାରିଖରେ ବିଚ୍ଛିନ୍ନାଂଚଳରେ ଏକ ଜନ ସମ୍ପର୍କ ଶିବିରରେ ଯୋଗ ଦେବାକୁ ଯାଇଥିବା ବେଳେ ଭିନିଲ କ୍ରୀଷ୍ଣା ଓ କନିଷ୍ଠ ଯନ୍ତ୍ରୀ ପବିତ୍ର ମାଝୀଙ୍କୁ ବନ୍ଧୁକ ମୁନରେ ଜଙ୍ଗଲ ଭିତରକୁ ନେଇ ଯାଇଥିଲେ ଦାମୋଦରଙ୍କ ଟିମ ।

୬୦ ବର୍ଷ ବୟସ ଓ ଅସୁସ୍ଥ ଶରୀର, ତଥାପି ଆତଙ୍କ ଖେଳାଉଥିଲା ଦାମୋଦର । ମ୍ୟାଲେରିଆରେ ଆକ୍ରାନ୍ତ ହେବା ପରେ ଆନ୍ଧ୍ର ବିଶାଖାପାଟଣା ଜିଲ୍ଲା ଗୁଡେମ ଅଂଚଳରେ ଲୁଚି ରହିଥିଲା ଦାମୋଦର । ଗୁଇନ୍ଦା ସୂତ୍ରରୁ ଖବର ପାଇବା ପରେ ଚାରିଆଡୁ ଘେରାବନ୍ଦୀ କରିଥିଲା ଆନ୍ଧ୍ର ପୋଲିସ । ଚିକିତ୍ସା ପାଇଁ ଯାଉଥିବାବେଳେ ପତ୍ନୀ ଫୁଲବତୀ ସହ ଦାମୋଦରକୁ ଆନ୍ଧ୍ର ପୋଲିସ ଗିରଫ କରିଛି ।

ନଜର ପକାନ୍ତୁ, ଦାମୋଦରର ଅପରାଧ ଇତିହାସ ଉପରେ
୨୦୦୪ କୋରାପୁଟ ଅସ୍ତ୍ରାଗାର ଲୁଟ ମାମଲାରେ ଥିଲା ଦାମୋଦରର ପ୍ରମୁଖ ଭୁମିକା
୨୦୦୬ ଆର.ଉଦୟଗିରି ଜେଲ ଆକ୍ରମଣର ଷଡଯନ୍ତ୍ର ରଚିଥିଲା
୨୦୦୮ ଚିତ୍ରକୋଣ୍ଡା ଆଲମପାକା ଲଂଚ ଆକ୍ରମଣରେ ୩୫ ଗ୍ରେହାଉଣ୍ଡ ଯବାନଙ୍କୁ ହତ୍ୟା
୨୦୦୮ କାଲିମେଳା ତେଲରାଇ ଆକ୍ରମଣରେ ୧୬ ଜଣ ଏସଓଜି ଯବାନଙ୍କୁ ହତ୍ୟା
୨୦୧୧ ଭିନିଲ କ୍ରିଷ୍ଣାଙ୍କ ଅପହରଣ ପଛର ଖଳନାୟକ

ଭିନିଲ କ୍ରିଷ୍ଣାଙ୍କ ଅପହରଣ ଘଟଣା ଓଡ଼ିଶା ସମେତ ସାରା ଦେଶରେ ହଇଚଇ ଖେଳାଇ ଦେଇଥିଲା । ସ୍ତବ୍ଧ ହୋଇଯାଇଥିଲା ପ୍ରଶାସନ । ଜିଲ୍ଲାପାଳ କେଉଁଠି ଅଛନ୍ତି, କାହା ପାଖରେ କିଛି ଖବର ନଥିଲା । ୯ ଦିନ ଧରି ଜଙ୍ଗଲରେ ରଖିବା ପରେ ଭିନିଲଙ୍କୁ ଛାଡିଥିଲା ଦାମୋଦର । ପ୍ରଜାକୋର୍ଟ କରି ଜିଲ୍ଲାପାଳଙ୍କୁ ମୁକ୍ତ କରିବା ଦୃଶ୍ୟ ଆଜି ବି ଛାତିରେ ଛନକା ସୃଷ୍ଟି କରେ ।

୨୦ ବର୍ଷରୁ ଅଧିକ ଦିନ ଧରି ମାଲକାନଗିରି ଜିଲ୍ଲାରେ ଆତଙ୍କ ଖେଳାଇଥିଲା ଦାମୋଦର । ଦୀର୍ଘଦିନ ଧରି ଦାମୋଦରକୁ ଖୋଜୁଥିଲା ମାଲକାନଗିରି ପୋଲିସ । ପୋଲିସର ମୋଷ୍ଟ ୱାଂଟେଡ୍ ତାଲିକାରେ ଥିବା ଏହି ହାର୍ଡକୋର ମାଓବାଦୀର ମୁଣ୍ଡ ପାଇଁ ୨୦ ଲକ୍ଷ ଟଙ୍କା ଲେଖାଁ ପୁରସ୍କାର ଘୋଷଣା କରିଥିଲେ ଆନ୍ଧ୍ର ଓ ଓଡିଶା ସରକାର । ଏବେ ଗିରଫ ହେବା ପରେ ମାଓ ଦମ୍ପତିଙ୍କୁ ପଚରା ଉଚରା କରିବ ଓ ଆବଶ୍ୟକ ହେଲେ ରିମାଣ୍ଡରେ ଆଣିବ ବୋଲି କହିଛି ମାଲକାନଗିରି ପୋଲିସ ।