କନକ ବ୍ୟୁରୋ : ମାଷ୍ଟରସେଫ୍ ସୋ'ରେ ଓଡିଶାର କ୍ଷୀର ଗଇଁଠା ପିଠା । ଓଡିଶାର ପ୍ରତ୍ୟେକ ଘରେ ପର୍ବପର୍ବାଣୀରେ ତିଆରି ହେଉଥିବା ପାରମ୍ପରିକ ଗଇଁଠା ପିଠାର ନୂଆ ରୂପ ଦେଖିଲା ସାରା ଭାରତ । କ୍ଷୀର ଓ ଚାଉଳ ଚୁନାରେ ପ୍ରସ୍ତୁତ ହେଉଥିବା ଏହି ପିଠାକୁ ନୂଆ ରୂପ ଦେଇ ତିଆରି କରିଥିଲେ ଓଡିଆ ପୁଅ ଅଭିନାଶ ପଟ୍ଟନାୟକ । ଅପରାଜିତା ଫୁଲ ଏବଂ ଗଙ୍ଗଶିଉଳି ଫୁଲର ବ୍ୟବହାର କରି ଅଭିନାଶ ତିଆରି କରିଥିବା ଏହି ଖାଦ୍ୟକୁ ବେଶ୍ ପସନ୍ଦ କରିଥିଲେ ସୋ’ର ଜଜ୍ ।
ଟପ୍ ୩୬ରୁ ଟପ୍ ୧୬ରେ ନିଜ ସ୍ଥାନ ପକ୍କା କରିବା ତଥା ନିଜ ନାଁର ଆପ୍ରନ ହାସଲ କରିବା ପାଇଁ ସେ ଗ୍ରାଣ୍ଡ କିଚେନରେ ତିଆରି କରିଥିଲେ ଆଉ ଏକ ଡିସ୍ ଯାହାର ଜଜଙ୍କୁ ବେଶ୍ ପସନ୍ଦ ଆସିଥିଲା । ନିଜ ଆଈଙ୍କଠାରୁ ପ୍ରେରଣା ପାଇ ମାଛକୁ ନେଇ ସେ ତିଆରି କରିଥିଲେ ଏହି ଡିସ୍ । ସରକାରୀ ଚାକିରୀ ଛାଡି ଥିବା ଅଭିନାଶ୍ ଏବେ ପିଏଚଡି ଛାତ୍ର । ହେଲେ ଖାଦ୍ୟ ପ୍ରତି ଥିବା ନିଜ ନିଶାକୁ ମାଧ୍ୟମ କରି ଓଡିଆ ଖାଦ୍ୟକୁ ଜାତୀୟ ତଥା ଅନ୍ତର୍ଜାତୀୟ ମଞ୍ଚରେ ପହଞ୍ଚାଇବା ଲକ୍ଷ୍ୟ ରଖିଥିବା ସେ କହିଛନ୍ତି ।