କନକ ବ୍ୟୁରୋ: ବହୁ ବାଦବିବାଦ ଓ ବିଭିନ୍ନ ସଙ୍ଗଠନର ଦୃଢ ପ୍ରତିବାଦ ପରେ ବଦଳିଲା ନିଷ୍ପତି । ଭୁବନେଶ୍ୱର ମାଷ୍ଟର କ୍ୟାଂଟିନ ଛକରୁ ହଟିବନି ଘୋଡା । ସରକାରୀ ସ୍ତରରେ ଏ ନେଇ ଆଲୋଚନା କରାଯାଇଛି । ସ୍ମାର୍ଟ ସିଟି ପ୍ରକଳ୍ପ କାରଣରୁ ଘୋଡା ହଟାଇବା ଆବଶ୍ୟକ ପଡୁଛି ଜାଣିବା ପରେ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିିଥିଲେ । ଏହା ପରେ ଏକ ଉଚ୍ଚସ୍ତରୀୟ ବୈଠକରେ ଘୋଡା ନହଟାଇବା ପାଇଁ ନିଷ୍ପତି ହୋଇଛି ।
ସ୍ମାର୍ଟ ଜନପଥର ବିକାଶ ପାଇଁ ମାଷ୍ଟରକ୍ୟାଂଟିନ ଘୋଡା ରାଜଭବନ ସାମ୍ନାକୁ ଉଠାଇନେବାକୁ ଗତମାସରେ ନିଷ୍ପତି ହେବା ପରେ ଏହା ବିରୋଧରେ ଚାରିଆଡୁ ବିରୋଧ ହୋଇଥିଲା । କୁହାଯାଇଥିଲା ମାସକ ଭିତରେ ଏହାକୁ ସ୍ଥାନାନ୍ତର କରାଯିବ । ଏବେ ପ୍ରଶ୍ନ ଉଠୁଛି, ଯଦି ଘୋଡାକୁ ନ ଘୁଂଚାଇ ପ୍ରକଳ୍ପ ସମ୍ଭବ ଥିଲା , ତା ହେଲେ ଏହି ନିଷ୍ପତି ପୂର୍ବରୁ କାହିଁକି ନିଆଗଲାନାହିଁ । କାହିଁକି ବିବାଦକୁ ଆଗକୁ ବଢାଗଲା ।
ନିଷ୍ପତି ବଦଳିବା ପରେ ବର୍ତମାନ ଘୋଡ଼ା ଥିବା ସ୍ଥାନକୁ ଆକର୍ଷଣୀୟ ଡିଜାଇନ୍ କରାଯିବ, ଯେପରି ଏହା ଓଡ଼ିଶାର ଏକ ସ୍ମାରକୀ ଭଳି ପ୍ରତିଫଳିତ ହେବ । ଏହାର ରି-ଆଲାଇନମେଂଟ ହେବ । ଏପରିକି ଡିଜାଇନରେ କୌଣସି ପରିବର୍ତନ ହେବ ନାହିଁ । ଓଡ଼ିଶାର ଅସ୍ମିତା ସହ ଏହି ଘୋଡା ଯୋଡି ହୋଇଯାଇଥିବାରୁ ସ୍ମାର୍ଟ ସିଟିର ଅନ୍ୟତମ ଆକର୍ଷଣୀୟ ପ୍ରକଳ୍ପ ତାଲିକାରେ ରହିବ ଏହି କଳିଙ୍ଗ ଘୋଡା ।
ରାଜ୍ୟ ସରକାରଙ୍କ ସରକାରୀ ସନ୍ତକ ଭାବେ ବ୍ୟବହୃତ ଏହି ଘୋଡା କୋଣାର୍କ ସୂର୍ଯ୍ୟ ମନ୍ଦିରର ଘୋଡା ଢାଂଚାରେ ନିର୍ମାଣ ହୋଇଥିଲା । ଏହି ଘୋଡା ୧୯୮୮ ମସିହାରେ ମାଷ୍ଟରକ୍ୟାଂଟିନରେ ସ୍ଥାପନ କରାଯାଇଥିଲା