ମୁମ୍ୱାଇରେ ଟିମ୍ ଇଣ୍ଡିଆକୁ ଜବରଦସ୍ତ ସ୍ବାଗତ: ନରିମାନରୁ ଓ୍ୱାଙ୍ଖଡେ ଯାଏଁ ହେଲା ବସ ପରେଡ୍, ରୋହିତ ରୋହିତ ନାରାରେ କମ୍ପିଲା ମୁମ୍ବାଇ

241

କନକ ବ୍ୟୁରୋ: ପ୍ରତିକ୍ଷାର ଅନ୍ତ ଘଟିଲା । ବିଶ୍ବକପ ଧରି ଭାରତକୁ ଫେରିଲା ଟିମ ଇଣ୍ଡିଆ । ଇଣ୍ଡିଆ ଇଣ୍ଡିଆ ନାରାରେ କମ୍ପିଥିଲା ଦିଲ୍ଲୀ ଆଇଜି ବିମାନବନ୍ଦର । ଭାରତରେ ପହଂଚିବା ପରେ ରୋହିତ ବାହୀନିକୁ ଭେଟି ଶୁଭେଚ୍ଛା ଜଣାଇଥିଲେ ପିଏମ ମୋଦି । ଏହାପରେ ଟିମ୍ ଇଣ୍ଡିଆ ମୁମ୍ବାଇ ପହଂଚି ସାମିଲ ହୋଇଥିଲା ବିଶାଳ ଭିକ୍ଟ୍ରି ପରେଡରେ ।

ବାର୍ବାଡୋସରେ ଟି-୨୦ ବିଶ୍ବକପ ବିଜୟ ପରେ ଆଜି ଭାରତ ଫେରିଛନ୍ତି ଚାମ୍ପିୟନସ । ରୋହିତ ବାହିନୀଙ୍କ ଗୋଟିଏ ଝଲକ ପାଇବା ପାଇଁ ରାତିରୁ ବିମାନ ବନ୍ଦର ବାହାରେ ଭିଡ଼ ଜମାଇଛନ୍ତି ହଜାର ହଜାର ପ୍ରଶଂସକ । ଏଥିପାଇଁ ବିସିସିଆଇ ପକ୍ଷରୁ ପଠାଇଯାଇଥିବା ସ୍ବତନ୍ତ୍ର ବିମାନରେ ଫେରିବା ପରେ ରୋହିତ ବାହୀନିକୁ ବିମାନବନ୍ଦରରୁ ହିଁ ଶୁଭେଚ୍ଛା ସହ ଭବ୍ୟ ଢଙ୍ଗରେ କରାଯାଇଥିବା ସ୍ବାଗତ । ୧୭ ବର୍ଷ ପରେ ଭାରତକୁ ବିଶ୍ବକପ ଟ୍ରଫି ଆସିଛି । ବିଦେଶ ମାଟିରେ ଟିମ୍‌ ଇଣ୍ଡିଆ ବିଜୟୀ ହୋଇଥିବା ବେଳେ ଭାରତ ମାଟିରେ ଜମିଥିଲା ବିଜୟ ଉତ୍ସବ । ୧୪୦ କୋଟି ଭାରତୀୟ ଟିମ ଇଣ୍ଡିଆ ବିଜୟର ସେଲିବ୍ରେସନ କରିଥିଲେ । ଫ୍ୟାନସଙ୍କ ସହ ଖେଳାଳି କେକ୍ କାଟିବା ସହ ନାଚ ଗୀତରେ ସାମିଲ ହୋଇଥିଲେ ।

ଏହାପରେ ଟିମ ପହଂଚିଥିଲା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ । ଯେଉଁଠି ଚାମ୍ପିୟନଙ୍କ ସ୍ବାଗତ କରିଥିଲେ ନିଜେ ପିଏମ ମୋଦି । ବିଶ୍ବକପ ଟ୍ରଫି ସହ ସମସ୍ଥ ଖେଳାଳିଙ୍କ ସାଙ୍ଗରେ ଫଟୋ ଉଠାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହିତ ପ୍ରଧାନମନ୍ତ୍ରୀ ବସି ଖେଳାଳିଙ୍କ ସହିତ ଆଲୋଚନା ବି କରିଥିଲେ । ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ସ୍ବତନ୍ତ୍ର ବିମାନ ଯୋଗେ ମୁମ୍ବାଇ ଯାତ୍ରା କରିଥିଲେ ସମସ୍ତ ଖେଳାଳି । ବିମାନବନ୍ଦରରେ ପହଞ୍ଚିବା ପରେ ନରିମାନ ପଏଣ୍ଟକୁ ନିଆଯାଇଥିଲା ଯେଉଁଠାରୁ ଆରମ୍ଭ ହୋଇଥିଲା ଭିକ୍ଟ୍ରି ସସେଲିବ୍ରେସନ । ସ୍ବତନ୍ତ୍ର ବସରେ ଖେଳାଳି ନରିମାନ ଠାରୁ ଓ୍ବାଙ୍ଖଡେ ଷ୍ଟାଡିୟମ ପର୍ୟ୍ୟନ୍ତ ଭିକ୍ଟ୍ରି ପରେଡ ବା ବିଜୟ ଶୋଭାଯାତ୍ରା କରିଥିଲେ ।