ରାଜଧାନୀ ସ୍ଥିତି ବେହାଲ : ଚାରିଆଡୁ ଆସୁଛି ପାଣିର ସଙ୍ଗୀନ ଚିତ୍ର 

299

କନକ ବ୍ୟୁରୋ : ଦୁଇ ଦିନ ଧରି ଲଗାତାର ବର୍ଷା ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇଛି । ବର୍ଷା ବିତ୍ପାତ ଯୋଗୁଁ ଖଣ୍ଡଗିରି ଆଖପାଖ ଅଞ୍ଚଳରେ ରହୁଥିବା ଶହଶହ ପରିବାର ଜଳବନ୍ଦୀ ହୋଇ ରହିଛନ୍ତି । ବିଶେଷକରି ଶ୍ରମିକ ଶ୍ରେଣୀର ଲୋକ ବେଶି ଦହଗଞ୍ଜ ହୋଇଛନ୍ତି । ଏଣେ ବର୍ଷାଜଳ ଘରେ ଲହଡ଼ି ମାରୁଥିବା ବେଳେ ଲଗାଣ ବର୍ଷା ଯୋଗୁଁ ସେମାନ‌େ ଦୁଇ ଦିନ ହେଲା କାମକୁ ଯାଇ ପାରିନାହାନ୍ତି । ଅଧିକାଂଶଙ୍କ ଘରେ ଚୁଲୀ ମଧ୍ୟ ଜଳି ନଥିବା ଜଣାଯାଇଛି ।

ସେହିପରି ୪୯ ନମ୍ବର ୱାର୍ଡ ଆଇଗିଣିଆ, ଡୁମୁଡୁମା ହାଉସିଂବୋର୍ଡ କଲୋନି ରାସ୍ତା, ନୂଆପଲ୍ଲୀ ବେହେରା ସାହି, ଭୋଇସାହି, ଷ୍ଟୁଡିଓ ଛକ ଚାଳସାହି, ସରଦାପଲ୍ଲୀ, ଜାଗମରା, ଶ୍ୟାମପୁର, ନୂଆଗାଁର ଏକାଧିକ ଆପାର୍ଟମେଣ୍ଟର ବେସମେଣ୍ଟରେ ପାଣି ଭର୍ତ୍ତି ହୋଇଛି । ଲୋକେ ରାଜଧାନୀରେ ରହୁଥିଲେ ମଧ୍ୟ କୌଣସି ଉପାନ୍ତ ଅଞ୍ଚଳ କିମ୍ବା ଗାଁଠାରୁ କମ୍‌ ହସନ୍ତସନ୍ତ ହେଉ ନଥିବା କହିଥିଲେ। କିଛି ଲୋକ କେବଳ ଏହା ନାମକୁ ମାତ୍ର ରାଜଧାନୀ, ମାତ୍ର ରାଜଧାନୀର କୌଣସି ସୁବିଧା ନଥିବା କହି ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ଡ୍ରେନ୍‌ ନିର୍ମାଣ ହେଉଥିଲେ ବି ଲୋକଙ୍କ ଦୁର୍ଦ୍ଦଶା କମୁନି । ଏଠାରେ ରହୁଥିବା ପ୍ରାୟ ୪୧୭ ପରିବାରର ପ୍ରାୟ ୫ହଜାର ଲୋକ ବର୍ତ୍ତମାନ ଜଳଘେରରେ ରହିଛନ୍ତି । ରାସ୍ତା ଉପରେ ଅଣ୍ଟାଏ ଉଚ୍ଚର ପାଣି ଢେଉ ଖେଳୁଥିବାରୁ ଗାଡ଼ିରେ ଯିବା ତ ଦୂରର କଥା, ଚାଲିଚାଲି ଯିବା ବି କଷ୍ଟକର ବ୍ୟାପାର। ଲେନ୍‌-୨ର ଅବସ୍ଥା ନ କହିବା ଭଲ । ମଲ୍ଲିକ କଂପ୍ଲେକ୍ସ ଲେନ୍‌-୨ରୁ ଶିରିପୁର ପର୍ଯ୍ୟନ୍ତ ନାଳ ନିର୍ମାଣ ହୋଇଛି । ମାର୍ଚ୍ଚରୁ ଏହାର କାମ ଆରମ୍ଭ ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ତାହା ସରିନାହିଁ। ଏଠାରେ ଥିବା ପୁରୁଣା କଲଭର୍ଟ ଜାମ୍‌ ହୋଇଥିବାରୁ ଅବସ୍ଥା ଆହୁରି ସଂଗିନ୍‌ ହୋଇପଡ଼ିଛି ।

ସିଦ୍ଧି ବିହାରରୁ ବରବାରି ପର୍ଯ୍ୟନ୍ତ ରାସ୍ତା ପାଣି ଜମା ହୋଇଛି। ବରବାରି ହମ୍ପ୍ସର ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ପାତ୍ରପଡ଼ା ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ପଛ ପାଚେରିକୁ ଲାଗିଥିବା ରହମନ ନଗର ବା କବାଡ଼ିଆ ସାହିରେ ୧୦ରୁ ଅଧିକ ପରିବାରଙ୍କ ଘରେ ରାତିରେ ପାଣି ପଶିଯିବାରୁ ପରିବାରଲୋକେ ହଇରାଣ ହୋଇଛନ୍ତି। ଘରର ଲୋକମାନେ ଦୁଇ ଦିନ ହେଲା ନା ଶୋଇ ପାରୁଛନ୍ତି, ନା ଖାଇ ପାରୁଛନ୍ତି। କିଛି ଲୋକ ପମ୍ପ ଲଗାଇ ଘରୁ ପାଣି କାଢ଼ୁଥିବା ଦେଖାଯାଇଛି । ତେବେ ଉକ୍ତ ଅଞ୍ଚଳରେ ଅନେକ ଲୋକଙ୍କ ଝାଟିମାଟି ଘର ହୋଇଥିବାରୁ ଚଟାଣ ଧସି ଯାଇଥିବା ଦେଖିବାକୁ ମିଳିଛି । ଘରେ ପାଣି ନ ପଶିବା ପାଇଁ ଲୋକେ ବାଲିବନ୍ଧ ମଧ୍ୟ କରିଥିଲେ । ସେହିପରି ଫୁଲ୍ଲେଶ୍ବରୀ ବସ୍ତିରେ ସ୍ମୃତିବନ ଓ ମେଡିସିନାଲ ଗାର୍ଡେନର ଅଧାଗଢ଼ା ପାଚେରି ବାଟ ଦେଇ ବସ୍ତିକୁ ପାଣି ପଶିଯାଇଥିଲା ।