ବର୍ଷା କମିଲା ପରେ ବଢିଲା ଦୁର୍ଦ୍ଦଶା : ରାଜଧାନୀର ତଳି ଅଂଚଳରେ ଏବେ ବି ଜମି ରହିଛି ପାଣି

ଝରପଡ଼ା ଅଂଚଳରେ ମାଟି ଧସିଥିବା କୋଠା ନିକଟରେ ବାଲିବସ୍ତା ପକାଇ ମରାମତି; ସେପଟେ ବାଲେଶ୍ୱରରେ ମଧ୍ୟ ଜଳବନ୍ଦୀ ଜୀବନ କାଟୁଛନ୍ତି ଲୋକେ

81

କନକ ବ୍ୟୁରୋ : ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ଆଜି ସକାଳୁ ବର୍ଷା ଟିକେ କମିବା ପରେ ଲୋକଙ୍କ ଦୁର୍ଦ୍ଦଶା ବଢିଛି । କେଉଁଠି ଘର ଭିତରେ ପାଣି ପଶିଥିବାବେଳେ କେଉଁଠି ଘର ଦବିଯାଇଛି । ଝାରପଡାର କେନାଲ ରୋଡରେ ପାଣି ପ୍ରଖର ସ୍ରୋତ ଯୋଗୁଁ ୩ ମହଲା କୋଠା ତଳୁ ମାଟି ଧୋଇ ହୋଇଯାଇଛି । ପ୍ରଖର ପାଣି ଯୋଗୁଁ ଘର ବିପଦ ସଂକୁଳ ଅବସ୍ଥାରେ ଥିବାରୁ ଲୋକେ ଭୟରେ ରାତିସାରା ଲୋକେ ଶୋଇପାରନଥିଲେ । ବିଏମସି ପକ୍ଷରୁ ଘଟଣାସ୍ଥଳ ପରିଦର୍ଶନ କରାଯାଇଛି । ଘର ଆଗରେ ବାଲିବସ୍ତା ପକାଯାଇ ଏହାକୁ ଅସ୍ଥାୟୀ ଭାବେ ମରାମତି କରାଯାଇଛି ।

ତଳିଆ ଅଂଚଳରେ ଏବେ ବି ପାଣି ଜମି ରହିଛି । ଭୁବନେଶ୍ୱର ଜିଜିପି କଲୋନୀ ସ୍ଥିତ ପୋଷ୍ଟ ଅଫିସ ପାଖରେ ପାଣି ଜମି ରହିଛି । ଲୋକେ ଯାତାୟତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ଉପରେ ପାଣି ଜମି ରହିବା ଯୋଗୁଁ ଘରୁ ବାହାରି ପାରୁନାହାନ୍ତି ଲୋକେ । ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଅଂଚଳର ଲୋକେ ଦାବି କରିଛନ୍ତି । ସେହିପରି ଭୁବନେଶ୍ୱର ଟଙ୍କପାଣି ରୋଡ଼ ଅଂଚଳରେ ରାସ୍ତାରେ ବର୍ଷା ପାଣି ଜମି ରହିଛି ।