ଭାରତ ବନ୍ଦ ପାଇଁ ଦିଲ୍ଲୀ ଜାମ୍ । ରାସ୍ତାରେ ଜାମରେ ଫଶିଛି ହଜାର ହଜାର କାର, ବାହାରିବାକୁ ମିଳୁନି ବାଟ ।

126

କନକ ବ୍ୟୁରୋ : ସଂସଦରେ ଗୃହୀତ ହୋଇଥିବା ୩ଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ଗତବର୍ଷଠାରୁ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଛନ୍ତି କୃଷକ ସଂଗଠନ । ତଥାପି କେନ୍ଦ୍ର ସରକାର କୃଷି ଆଇନକୁ ପ୍ରତ୍ୟାହାର କରୁନଥିବାରୁ ଚାପ ପକାଇବା ପାଇଁ ଆଜି ୧୦ ଘଂଟିଆ ଭାରତ ବନ୍ଦ ପାଳନ କରୁଛନ୍ତି । ସକାଳ ୬ଟାରୁ ଅପରାହ୍ନ ୪ଟା ଯାଏଁ ବନ୍ଦ ପାଳନ ହେବ ।  ଏହି ଆନ୍ଦୋଳନକୁ କଂଗ୍ରେସ ସମେତ, ଆମ ଆଦମୀ ପାର୍ଟି, ଆରଜେଡି, ଟିଡିପି, ୱାଇଏସଆର କଂଗ୍ରେସ ଏବଂ ବାମ ଦଳ ସମେତ ୧୨ଟି ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ଆଉ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ବନ୍ଦ ପ୍ରଭାବ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଅତ୍ୟଧିକ ମାତ୍ରାରେ ପଡିଛି । ରାସ୍ତା ମଝିରେ ଅଟକି ରହିଛି ହଜାର ହଜାର ଗାଡି । ନା ଆଗକୁ ଗଡୁଛି, ନା ବାହାରକୁ ଯିବାର ଅନ୍ୟ କୌଣସି ବାଟ ଅଛି ।

ସୋମବାର ସକାଳୁ ଦିଲ୍ଲୀ-ଗୁଡଗାଓଁ ବର୍ଡରରେ ବିଚଳିତ କଲା ଭଳି ଚିତ୍ର ସାମ୍ନାକୁ ଆସିଛି । ରାସ୍ତା ଉପରେ ଲମ୍ବା ଲାଇନରେ ଛିଡା ହୋଇଛି ହଜାର ହଜାର ଗାଡି । ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ବିଭିନ୍ନ ରାସ୍ତା ବନ୍ଦ ହୋଇଥିବାରୁ ଅଫିସ ଯିବାକୁ ଲୋକେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଖାସକରି ଦିଲ୍ଲୀ-ଗୁଡଗାଓଁ ସୀମାରେ ଭୟାବହ ଜାମ ସୃଷ୍ଟି ହୋଇଛି । କେବଳ ରାସ୍ତାରେ ନୁହେଁ ବରଂ ରେଳଷ୍ଟେସନରେ ମଧ୍ୟ କୃଷକ ମୋର୍ଚ୍ଚା ପହଞ୍ଚି ପ୍ରଦର୍ଶନ କରିଛନ୍ତି ।ଯାହାଫଳରେ ବିଭିନ୍ନ ସ୍ଥାନରେ ଟ୍ରେନ ଗୁଡିକ  ଅଟକି ରହିଛି । ଯାହାଦ୍ୱାରା ସାଧାରଣ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି ।

ଏହାପୂର୍ବରୁ ଚାଷୀ ନେତା ରାକେଶ ଟିକାୟତ ଭାରତ ବନ୍ଦକୁ ସଫଳ କରିବାକୁ ଲୋକଙ୍କୁ ସକାଳ ୬ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ଅପିଲ କରିଥିଲେ । ଏପରିକି ଘରୁ ବାହାରିଲେ ଜାମରେ ଫଶିପାରନ୍ତି ବୋଲି ସୂଚାଇଥିଲେ । ଯାହାର ଝଲକ ଦିଲ୍ଲୀ-ଗୁଡଗାଓଁ ବର୍ଡରରେ ଦେଖିବାକୁ ମିଳିଛି । ତେବେ କୌଣସି ଜରୁରୀକାଳୀନ ସେବାରେ ନିୟୋଜିତ ଥିବା ଗାଡିକୁ ଅଟକାଯିବନି ବୋଲି ଟିକାୟତ ସ୍ପଷ୍ଟ କରିଥିଲେ ।