ସୂର୍ଯ୍ୟରେ ଉଠୁଥିବା ଝଡ ଇଣ୍ଟରନେଟ ପାଇଁ ଆଣିବ ଏମିତି ବିପଦ, ଜାଣନ୍ତୁ କ’ଣ କହୁଛନ୍ତି ବୈଜ୍ଞାନିକ

267

କନକ ବ୍ୟୁରୋ : ଧରିତ୍ରୀର ଚୁମ୍ବକୀୟ କ୍ଷେତ୍ର ସୂର୍ଯ୍ୟଠାରୁ ଆସୁଥିବା ବିପଦପୂର୍ଣ୍ଣ ବିକିରଣରୁ ଲୋକମାନଙ୍କୁ ସୁରକ୍ଷା ପ୍ରଦାନ କରିଥାଏ । ମାତ୍ର ବୈଜ୍ଞାନିକମାନେ ମାନିଛନ୍ତି କି ସୂର୍ଯ୍ୟ ନିକଟରେ ସୃଷ୍ଟି ହେଉଥିବା ଝଡର ପ୍ରଭାବ ସାଟେଲାଇଟ ଟେକ୍ନୋଲୋଜି ଉପରେ ପଡିପାରେ । ବୈଜ୍ଞାନିକମାନେ ଅନୁମାନ କରିଛନ୍ତି ଯେ ସୌରଝଡ ଯୋଗୁଁ ଧରିତ୍ରୀର ବାହାର ବାୟୁମଣ୍ଡଳ ଉତପ୍ତ ହୋଇପାରେ ଓ ଏହାର ପ୍ରଭାବ ସାଟେଲାଇଟ ସେବା ଉପରେ ପଡିପାରେ ।

ଆମେରିକାର ମହାକାଶ ଅନୁସନ୍ଧାନ ସଂସ୍ଥା ‘ନାସା’ ମୁତାବକ ସାମାନ୍ୟ ସ୍ତରର ସୌର ତୋଫାନ ଘଂଟା ପ୍ରତି ୧୦-୨୦ ଲକ୍ଷ ମାଇଲ ଗତିରେ ଚାଲେ । ଏହି ତୋଫାନ ସୂର୍ଯ୍ୟର କୋରୋନାଲ ହୋଲ୍ସରୁ ଉଠିଥାଏ । ସୂର୍ଯ୍ୟରେ କିଛି ବିସ୍ଫୋରଣ ହେଲେ ତାହା ମଧ୍ୟରୁ ବି କୋରୋନାଲ ମାସ ଇନଜେକ୍ସନ ବାହାରିଥାଏ ।

ସେହିଠାରେ ସୌର ପବନ ସହିତ ଆମର ନିକଟତମ ତାରାରୁ ସୃଷ୍ଟି ହେଉଥିବା ବିକିରଣ ପୃଥିବୀକୁ ଚାର୍ଜ କଣିକା ଆଣିଥାଏ । ଏଭଳି ଚାର୍ଜ ହୋଇଥିବା କଣିକାଗୁଡିକ ମହାକାଶରେ ଘୂର୍ଣ୍ଣନମାନ ଅବସ୍ଥାରେ ଥାଆନ୍ତି ଓ ବହୁ ଦ୍ରୁତ ବେଗରେ ପୃଥିବୀକୁ ଆସିଥାନ୍ତି । ସେମାନେ ଧରିତ୍ରୀକୁ ଆସିବା ବେଳେ ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ ଧକ୍କା ଦେଇଥାନ୍ତି, ଫଳରେ ଶକ୍ତି ଆଲୋକ ଆକାରରୁ ମୁକ୍ତ ହୋଇଥାଏ । ଏହାକୁ ବୈଜ୍ଞାନିକମାନେ ‘ଆରୋରା’ କହିଥାନ୍ତି ।

ବୈଜ୍ଞାନିକମାନେ ମାନିଛନ୍ତି ଯେ ସୂର୍ଯ୍ୟଠାରେ ଉଠୁଥିବା ଏଭଳି ସୌର ତୋଫାନର ପ୍ରଭାବ ଧରିତ୍ରୀରେ ସାଟେଲାଇଟ୍ ଉପରେ ପଡିପାରେ । ସୋଲାର ପବନ ଫଳରେ ଧରିତ୍ରୀର ବାହାର ବାୟୁମଣ୍ଡଳ ଗରମ ହୋଇପାରେ । ଫଳରେ ଏହା ଇଣ୍ଟରନେଟ୍ ପ୍ରବାହ ଉପରେ ପ୍ରତିବନ୍ଧକ ଆଣିପାରେ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି ।

ଯଦି ଏଭଳି ହୁଏ ତେବେ ବିଶ୍ୱର ଜିପିଏସ ନେଭିଗେସନ, ମୋବାଇଲ ସିଗନାଲ ଓ ସାଟେଲାଇଟ୍ ଟିଭି ଚାଲିବାରେ ପ୍ରତିବନ୍ଧକ ହୋଇପାରେ । ସବୁଠାରୁ ବିପଦପୂର୍ଣ୍ଣ କଥା ଏଭଳି ହେଲେ ବିଦ୍ୟୁତ୍ ତାରରେ ବିଦ୍ୟୁତ୍ ପ୍ରବାହର ଗତି ତୀବ୍ର ହୋଇ ଟ୍ରାନ୍ସଫରର୍ମର ଜାଳିଦେଇପାରେ । ୧୮୫୯ ଓ ୧୯୨୧ ମସିହାରେ ସୌର ତୋଫାନର ଏଭଳି ପ୍ରଭାବ ବିଶ୍ୱରେ ଦେଖିବାକୁ ମିଳିଥିଲା । ୧୮୫୯ ରେ ଆସିଥିବା ସବୁଠାରୁ ଶକ୍ତିଶାଳୀ ଜିଓମାଗ୍ନେଟିକ ତୋଫାନ ୟୁରୋପ ଓ ଆମେରିକାର ଟେଲିଗ୍ରାଫ୍ ନେଟୱାର୍କକୁ ଧ୍ୱଂସ କରିଦେଇଥିଲା । ଏହା ବ୍ୟତୀତ ୧୯୮୯ ରେ ବି କମ୍ ତୀବ୍ରତାର ଏକ ସୋଲାର ତୋଫାନ ଆସିଥିଲା ।

ବୈଜ୍ଞାନିକମାନଙ୍କ ମତରେ ଇଲେକ୍ଟ୍ରିକାଲ ଗ୍ରିଡ ଓ ଇଣ୍ଟରନେଟ ଉପରେ ପଡୁଥିବା ଏହାର ପ୍ରଭାବରୁ ଏହାର ତିବ୍ରତା ମାପାଯାଇଥାଏ । ସୋଲାର ସୁପରଷ୍ଟ୍ରମ : ପ୍ଲାନିଂ ଫର ଅନେ ଇଣ୍ଟରନେଟ ଆପୋକାଲଇପ୍ସ ଶୀର୍ଷକ ଏକ ରିସର୍ଚ୍ଚ ପେପର ମୁତାବକ ପୂର୍ବ ତୋଫାନ ତୁଳନାରେ ଏଥର ସୌର ତୋଫାନର ପରିଣାମ ଅଧିକ ଭୟାବହ ହୋଇପାରେ । ସୌର ତୋଫାନ ଆସିଲେ ତାହା ଅନ୍ତରୀକ୍ଷରେ ଥିବା ସାଟେଲାଇଟକୁ ପ୍ରଥମେ ପ୍ରଭାବିତ କରିବ, ଯାହା ଫଳରେ ଆମର ଜିପିଏସ ଓ ଦୂର ସଂଚାର ବନ୍ଦ ହୋଇପାରେ ।