ରାଜଧାନୀ ରାଜରାସ୍ତାରେ ଅଙ୍ଗନୱାଡି କର୍ମୀଙ୍କ ବିକ୍ଷୋଭ : ଚାକିରିକୁ ସରକାରୀ ମାନ୍ୟତା , ୧୮ ହଜାର ଟଙ୍କା ଦରମା ସହ ସରକାରୀ ଛୁଟି ଦାବି

1,553

କନକ ବ୍ୟୁରୋ : ବିଧାନସଭା ଶୀତ ଅଧିବେଶନ ଦିନଟିଏ ଚାଲି ପାରୁନି । ଉଭୟ ବିରୋଧୀ ଓ ଶାସକ ଦଳ ସଦସ୍ୟଙ୍କ ହଟଗୋଳ ଯୋଗୁଁ ଗୃହ ବାରମ୍ବାର ମୁଲତବୀ ଘୋଷଣା ହେଉଛି । ସେପଟେ ନିଜର ଦାବି ନେଇ ରାଜଧାନୀର ରାଜରାସ୍ତାକୁ ଚାଲିଆସିଛନ୍ତି ଶହଶହ ଅଙ୍ଗନୱାଡି କର୍ମୀ । ସରକାରୀ ମାନ୍ୟତା, ୧୮ ହଜାର ଟଙ୍କା ଦରମା ସହ ସରକାରୀ ଛୁଟି ଦାବି କରି ମାଷ୍ଟର କ୍ୟାଂଟିନ୍ ଛକରେ ଧାରଣା ଦେଇଛନ୍ତି ।

ଆଜିର ସମୟ ହିସାବରେ ଅବସରକାଳୀନ ସହାୟତା ରାଶିକୁ ବୃଦ୍ଧି କରି ୫ ଲକ୍ଷ ଟଙ୍କା ପ୍ରଦାନ କରିବା ସହିତ ମାସିକ ୫ ହଜାର ଟଙ୍କା ଅବସରକାଳୀନ ପ୍ରେନ୍‌ସନ କରାଯିବା , ମିନି ଅଙ୍ଗନୱାଡ଼ି କର୍ମୀମାନଙ୍କୁ ଅଙ୍ଗନୱାଡି କର୍ମୀର ମାନ୍ୟତା ସହ ସହାୟିକା ନିଯୁକ୍ତି ଦିଆଯିବା, ଆନ୍ଦୋଳନ ସମୟରେ କାର୍ଯ୍ୟରୁ ବହିଷ୍କୃତ ୭ଜଣ ଅଙ୍ଗନୱାଡି କର୍ମୀମାନଙ୍କୁ ପୁନଃ ନିଯୁକ୍ତି ଦିଆଯିବା । ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ରାଜ୍ୟର ସବୁ କଡ଼ି କେନ୍ଦ୍ରକୁ ପ୍ରାଥମିକ ବିଦ୍ୟାଳୟ ମାନ୍ୟତା ସହିତ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ତାଲିମ୍ ଦେଇ ଦକ୍ଷତା ବିକାଶ କରି ( ପ୍ରି – ପ୍ରାଇମେରୀ – ଓ ସହାୟିକାମାନଙ୍କୁ ଆସିଷ୍ଟାଣ୍ଡ ପ୍ରି – ପ୍ରାଇମେରୀ ଟିଚର ) ର ମାନ୍ୟତା ଦିଆଯିବା , କାର୍ଯ୍ୟରତ ସମୟରେ ଅଙ୍ଗନୱାଡି କର୍ମୀ , ମିନି ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମୃତ୍ୟୁଦରଣ କଲେ ମୃତ୍ୟୁକାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କା ଦେବା ସହିତ ପରିବାରର ଜଣକୁ ଅଙ୍ଗନୱାଡି କର୍ମଚାରୀ ଭାବେ ନିଯୁକ୍ତି ଦିଆଯାଉ ।

ଅଙ୍ଗନୱାଡି କର୍ମୀ ସହିତ ମିନି ଅଙ୍ଗନୱାଡ଼ି କର୍ମୀମାନଙ୍କୁ ଶତପ୍ରତିଶତ ସୁପରଭାଇଜର ଭାବରେ ପଦୋନ୍ନତି ଦିଆଯାଉ । ଅଙ୍ଗନୱାଡ଼ି କର୍ମୀମାନଙ୍କୁ ବରିଷ୍ଠତା ଭିଭିରେ ଦରମା ବୃଦ୍ଧି ସହିତ ବାର୍ଷିକ ଇନ୍‌କ୍ରିମେଣ୍ଟ ପ୍ରଦାନ କରାଯାଉ । କରୋନାରେ ମୃତ୍ୟୁବରଣ କରିଥିବା କର୍ମୀ ଓ ସହାୟିକାମାନଙ୍କୁ କେନ୍ଦ୍ର ସରକାର ଘୋଷିତ ୫୦ ଲକ୍ଷ ଟଙ୍କାର ବୀମା ଓ ୨୪ ମଇ ୨୦୨୧ ରେ ରାଜ୍ୟ ସରକାରଙ୍କ ଦ୍ଵାରା ଘୋଷିତ ୬୦ ବର୍ଷ ହେବା ପର୍ଯ୍ୟନ୍ତ ମାସିକ ଟଙ୍କା ୭.୫୦୦ ଓ ପରିବାରର ଜଣକୁ ନିଯୁକ୍ତି ଦିଆଯାଉ । ରବିବାର ବା ଛୁଟି ଦିନରେ କାମ କଲେ ଦୁଇଗୁଣ ଦରମା।