ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ…୧୫୦ ଶ୍ରମିକ ନିଖୋଜ ! ୧୦୦ରୁ ଅଧିକ ମୃତାହତ ଆଶଙ୍କା । ସତର୍କ ରହିବାକୁ ପରାମର୍ଶ

ଏସଡିଆରଏଫ ଓ ଆଟିବିପିର ୧୦ଟି ଟିମ୍ର ଉଦ୍ଧାର କାମ ଜାରି; ହରିଦ୍ୱାର, ରିଶିକେଶ ଓ ଶ୍ରୀନଗରରେ ଆଲର୍ଟ ଜାରି

147

କନକ ବ୍ୟୁରୋ : ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ । ପାହାଡ ଉପରେ ବରଫଖଣ୍ଡ ତରଳି ସୁ-ସୁ ଗର୍ଜନ କରି ବହି ଆସୁଛି ମାଟି ମିଶା ପାଣି । ଚମୋଲି ଜିଲ୍ଲାର ରେଣି ଗାଁ ନିକଟ ଜୋସିମଠ ନିକଟରେ ପାହାଡ଼ ଉପରୁ କ୍ଷୀପ୍ର ବେଗରେ ଜଳସ୍ରୋତ ମାଡି ଆସୁଛି । ଏହେଉଛି ସେହି ଭୟଙ୍କର ଦୃଶ୍ୟ । ହିମସ୍ଖଳନ ଯୋଗୁଁ ପାହାଡ ତଳେ ଥିବା ଗାଁ ପୁରା ଭାସି ଯାଇଛି । ଅନେକ ଘର ଦ୍ୱାର କ୍ଷତିଗ୍ରସ୍ତ ହୋଇଛି । ଶହେରୁ ଅଧିକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି ।

ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଂଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଏସଡିଆରଏଫ ଓ ଆଟିବିପିର ୧୦ଟି ଟିମର ୨ଶହ ଜଣ ଯବାନ ଉଦ୍ଧାର କାମରେ ଲାଗିଛନ୍ତି । ରେଣି ଗାଁ ନିକଟ ପାହାଡ ତଳେ ତିଆରି ହେଉଥିବା ପାୱାର ପ୍ରୋଜେକ୍ଟ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ସେଠାରେ କାମ କରୁଥିବା ପ୍ରାୟ ୧୫୦ ଶ୍ରମିକ ଓ କର୍ମଚାରୀ ପାଣିରେ ଭାସି ଯାଇଥିବା ସନ୍ଦେହ କରାଯାଉଛି । ଏବେ ବି ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ଏହି ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି । ଏସଡ଼ିଆରଫ ଓ ଆଇଟିବିପି ଟିମ୍ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏହାସହ ସେଠାରେ ଥିବା ତପୋବନ ବ୍ୟାରେଜ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ପାହାଡ ଉପରୁ ଏତେ ମାତ୍ରାରେ ଜଳସ୍ରୋତ ବହୁଛି ଯେ, ସ୍ଥାନୀୟ ଅଚଂଳର ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।

ନଦୀକୂଳରେ ରହୁଥିବା ଲୋକଙ୍କୁ ଦୂରକୁ ଚାଲି ଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହାସହ ହରିଦ୍ୱାର, ରିଶିକେଶ ଓ ଶ୍ରୀନଗରେ ଆଲର୍ଟ ଜାରି ହୋଇଛି । ପରିସ୍ଥିକୁ ନଜରରେ ରଖି ଲୋକେ ସତର୍କ ହୋଇ ରହିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି । ଏହାରି ଭିତରେ ଫସି ରହିଥିବା ଲୋକଙ୍କ ଉଦ୍ଧାର ପାଇଁ ହେଲପଲାଇନ୍ ନମ୍ବର ଜାରି ହୋଇଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରୀବେନ୍ଦ୍ର ସିଂ ରାୱତ ଘଟଣା ବାବଦରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ।