ରାତି ଅଧରେ ଲାଗିଲା ନିଆଁ : ଜଳିଗଲା କାର୍, ଦୁଇ ମୋଟରବାଇକ୍ ଓ ସ୍କୁଟି, ବର୍ତ୍ତିଗଲେ ଘର ମାଲିକ

78

କନକ ବ୍ୟୁରୋ : ରାଉରକେଲା ବାସନ୍ତି କଲୋନୀରେ ଭୟାବହ ଅଗ୍ନିକାଣ୍ଡ । ଘର ମାଲିକଙ୍କ ଗାଡ଼ି ସହ ଲକ୍ଷାଧିକ ଟଙ୍କାର ସମ୍ପତି ଜଳିପୋଡ଼ି ପାଉଁଶ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଛନ୍ତି । ଅଗ୍ନିକାଣ୍ଡରେ କେହି ଆହତ ହୋଇନଥିବା ସୂଚନା ରହିଛି । ଗତକାଲି ରାତି ପ୍ରାୟ ଗୋଟାଏରେ ଘଟିଥିଲା ଏହି ଅଘଟଣ । ବାସନ୍ତି କଲୋନି ଫେଜ ୧ର ମୁଖ୍ୟ ରାସ୍ତା ପାଶ୍ୱର୍ରେ ଦେବବ୍ରତ ମହାପାତଙ୍କ ବାସଭବନରେ ବିଳମ୍ବିତ ରାତିରେ କେହି ଦୁର୍ବୃତ ନିଆଁ ଲଗାଇଥିବା ଆଶଙ୍କା କରାଯାଉଛି । ଉଦିତନଗର ଥାନା ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।

ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାରୁ ପାଖ ପଡ଼ୋଶୀ ଘର ଅଳ୍ପକେ ବର୍ତ୍ତି ଯାଇଛିl ଘରେ ଥିବା ଦୁଇ ପରିବାରର କେହି ହତାହତ ହୋଇନାହାନ୍ତିl ବାସନ୍ତୀ କଲୋନି ଏଲ – ୫୭ରେ ବ୍ୟବସାୟୀ ଦେବବ୍ରତ ମହାପାତ୍ର ପରିବାର ସହ ରହନ୍ତି l ତଳ ମହଲାକୁ ଜଣଙ୍କୁ ଭଡାରେ ଦେଇଥିଲେl ନିଜେ ଊପର ମହଲାରେ ପରିବାର ସହ ରହୁଥିଲେl ପରିବାର ସମ୍ପର୍କୀୟଙ୍କ ଘରକୁ ଯାଇଥିବାରୁ ଦେବବ୍ରତ ଏକାକୀ ରହୁଥିଲେ l

ଗତକାଲି ବିଳମ୍ବିତ ରାତିରେ କାର ଗ୍ୟାରେଜରୁ ଧୂଆଁ ବାହାରୁଥିବା ଦେଖି ତଳ ମହଲାରେ ରହୁଥିବା ଭଡାଟିଆ ଘରୁ ବାହାରି ଆସି ପାଟି କରିଥିଲେl ସେତେବେଳକୁ ନିଆଁ ଦୁଇ ମହଲା ଘରକୁ ବ୍ୟାପି ଯାଇଥିଲା l ଧୂଆଁ ଏତେ ଥିଲା ଯେ ଉପର ମହଲାରେ ରହୁଥିବା ଦେବବ୍ରତ ବାହାରି ନ ପାରି ଫସି ରହିଥିଲେl ଅଗ୍ନିଶମ କର୍ମଚାରୀ ପହଞ୍ଚି ଦେବବ୍ରତଙ୍କୁ ଉଦ୍ଧାର କରିଥିଲେl କାରର ସଟ ସର୍କିଟ ରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି l