ଜଳିଗଲା ଛିଡା ହୋଇଥିବା କାର : ଅଗ୍ନିଶମ ବାହିନୀ ପହଂଚି ନିଆଁକୁ କଲେ ଆୟତ

75

କନକ ବ୍ୟୁରୋ : ଜଳିଗଲା ଛିଡା ହୋଇଥିବା କାର । ରାଉରକେଲା ଡେଲି ମାର୍କେଟର ପେଟ୍ରୋଲ ପମ୍ପରେ ଛିଡା ହୋଇଥିବା ଏକ କାରର ଦିନ ଦିପହରେର ନିଆଁ ଲାଗିଯାଇଥିଲା । ପେଟ୍ରୋଲ ପମ୍ପ କର୍ମଚାରୀ ଓ ଉପସ୍ଥିତ ଲୋକ ନିଆଁ ଲିଭାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିବା ବେଳକୁ କାର ସଂପୂର୍ଣ୍ଣ ଜଳି ସାରିଥିଲା । ସେପଟେ ବାରିପଦା ସହର ବାଘଡା ରୋଡ ଅଂଚଳ ମନ୍ତ୍ରୀ ଛକରେ ନିଆଁ ଲାଗି ଏକ ଔଷଧ ଦୋକାନ ଜଳି ଯାଇଛି । ଦୋକାନ ବନ୍ଦ ଥିବା ବେଳେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଔଷଧ ପୋଡି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି ।

ସେପଟେ ଗଂଜାମ ଜିଲ୍ଲା ଖଲିକୋଟ ଥାନା ଅନ୍ତର୍ଗତ ବାଲୁଙ୍କେଶ୍ୱରପୁର ଗାଁର ଏକ ଖଳାରେ ନିଆଁ ଲାଗି ପାଉଁଶ ହୋଇଛି ୨୮ ବସ୍ତା ଧାନ । ଖଳାରେ ପାଳ ଗଦାରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବାରୁ ଧାନ ବସ୍ତା ଜଳି ଯାଇଥିବା ଅଭିଯୋଗ କରିଛନ୍ତି ଚାଷୀ । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଡମଣଭୂଇଁ ନିକଟସ୍ଥ କାଜୁ ଜଙ୍ଗଲରେ ନିଆଁ ଲାଗି ଶହ ଶହ କାଜୁ ଗଛ ଭସ୍ମୀଭୂତ । କେହି ଦୁର୍ବୃତ୍ତ ଜାଣିଶୁଣି କାଜୁ ଜଙ୍ଗଲକୁ ଜାଳି ଦେଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।