କନକ ବ୍ୟୁରୋ : ଭୁବନେଶ୍ୱର ମଞ୍ଚେଶ୍ୱରରେ ଭୟାବହ ଅଗ୍ନିକାଣ୍ଡ । ସରକାରୀ ଔଷଧ ଗୋଦାମରେ ଅଗ୍ନିକାଣ୍ଡ । ନିଆଁ ଏତେ ଭୟଙ୍କର ଥିଲା ଯେ, ଗୋଦାମରେ ଥିବା ସବୁ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି । ସୂଚନାନୁସାରେ ମହିନ୍ଦ୍ରା ସୋ’ରୁମ ପଛରେ ଥିବା ସେକ୍ଟର-ଏ ରେ ଥିବା ଏହି ‌ଔଷଧ ଗୋଦାମରେ ରାତି ପ୍ରାୟ ୧୧ଟା ବେଳେ ଅଗ୍ନିକାଣ୍ଡ ଘଟିଥିଲା । ପ୍ରଥମେ ଚାଉଳ ଗୋଦାମରେ ନିଆଁ ଲାଗିଛି ବୋଲି ପ୍ରଚାର ହୋଇଥିଲା । ମାତ୍ର ପରେ ଜଣାପଡ଼ିଲା ‌ଯେ କୋଭିଡ୍ ଔଷଧ, କିଟ୍ ଓ ଅକ୍ସିଜେନ୍ ସିଲିଣ୍ଡର୍ ଥିବା ଗୋଦାମ ଜଳୁଛି । ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ସେଠାରେ ପହଞ୍ଚିଥିଲେ ବି ଅଗ୍ନିଶମ ବିଭାଗ ପହଞ୍ଚିବା ବିଳମ୍ବ ହୋଇଥିଲା । ନିଆଁ ଲାଗିବାର ପ୍ରାୟ ଘଣ୍ଟାକ ଦମକଳ ଗାଡ଼ି ପହଞ୍ଚିଥିଲା। ତେଣୁ ନିଆଁ ପୂରା ଗୋଦାମକୁ ମାଡ଼ି ଯାଇଥିଲା । ପ୍ରଥମ ଦମକଳ ଗାଡ଼ିରୁ ପାଣି ସରିଯିବାରୁ ପୁଣି ନିଆଁ ବ୍ୟାପିବା ସହଜ ହୋଇଥିଲା ।

Advertisment

ତେବେ ହୁତୁହୁତୁ ହୋଇ ଜଳୁଥିବା ନିଆଁ ଅଣାୟତ୍ତ ହେବା ଦେଖି ପରେ ପରେ ୬ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲା । ଦମକଳ ଗାଡ଼ି ଆସିଲେ ବି ଗୋଦାମରେ ଶହ ଶହ ଅକ୍ସଜେନ ସିଲିଣ୍ଡର ଥିବାରୁ ଭୟରେ ଅଗ୍ନିଶମ ବାହିନୀ ଦୂରରୁ ରହି ପାଣି ପକାଇଥିଲେ । ପରେ ସେମାନେ କାନ୍ଥ ଭାଙ୍ଗି ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ଏହା ଭିତରେ ଲୋକଙ୍କ ଭିଡ଼କୁ ଏଡ଼ାଇବାକୁ ଯାଇ ପୁଲିସ ଟ୍ରାଫିକ୍‌ ନିୟନ୍ତ୍ରଣ କରିବାରେ ଲାଗିବା ସହ ଦମକଳ ଗାଡ଼ି ପାଇଁ ବାଟ ପରିଷ୍କାର କରିବାକୁ ବୁଲ୍‌ଡୋଜର୍‌ ଲଗାଇଥିଲା । ସେହିଭଳି ଗୋଦାମ କାନ୍ଥ ଭାଙ୍ଗିବାକୁ ବି ବୁଲ୍‌ଡୋଜର୍‌ ଲଗାଯାଇଥିଲା ।

କେଉଁ କାରଣ ଯୋଗୁଁ ନିଆଁ ଲାଗିଲା ତାହା ସ୍ପଷ୍ଟ ଜଣାପଡିନାହିଁ । ତେବେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିଲା ବୋଲି ସନ୍ଦେହ କରାଯାଉଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ମେଡିସିନ ଗୋଦାମରେ କୋଭିଡ ସମୟର ବଳକା ମେସିନ, ମାସ୍କ ଓ ସାନିଟାଇଜର ଥିଲା । ଯାହା ନିଆଁରେ ପୋଡି ପାଉଁଶ ହୋଇଯାଇଛି ।