କଳାହାଣ୍ଡି ଭବାନୀପାଟଣା ପୌରାଂଚଳରେ ଆଜିଠୁ ୨ ଦିନ ସଟଡାଉନ୍: କରୋନା ସଂକ୍ରମଣକୁ ଦୃଷ୍ଟି ରଖି ଜିଲ୍ଲା ପ୍ରଶାସନର ପଦକ୍ଷେପ

ସେପଟେ ଅନୁଗୁଳରେ କୋଭିଡ ଆଇନ୍ ଉଲ୍ଲଂଘନକାରୀଙ୍କୁ ସତର୍କ ସୂଚନା: ଏସପି କହିଲେ, ନାକ ଓ ମୁହଁକୁ ମାସ୍କ ଘୋଡାଇ ନଥିଲେ ଦେବାକୁ ପଡିବ ଫାଇନ୍

119

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାରେ ନୂଆ ୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଭବାନୀପାଟଣାର ୧୦ କରୋନା ଯୋଦ୍ଧା ଅଛନ୍ତି । ସେହିପରି ଅନ୍ୟ ଜଣେ ନର୍ଲା ରେଖପୁର ଅଂଚଳ ଓ ଜଣେ ବରଗଡ ଘରୋଇ ଡାକ୍ତରଖାନାରେ ଚିହ୍ନଟ ହୋଇଛନ୍ତି । ଭବାନୀପାଟଣା ପୌରପାଳିକା ଅଂଚଳରେ କରୋନା ସଂକ୍ରମଣ ବଢି ଚାଲିଥିବା ଦୃଷ୍ଟିରୁ ଶନିବାର ଓ ରବିବାର ମଧ୍ୟରାତ୍ର ପର୍ଯ୍ୟନ୍ତ ସ୍ଥାନୀୟ ଅଂଚଳକୁ ସଟଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ।

ଏହି ସମୟରେ ଘର ଘର ବୁଲି ତଥ୍ୟ ସଂଗ୍ରହ ସହ କରୋନା ଆକ୍ରାନ୍ତ ଚିହ୍ନଟ କରାଯିବ ବୋଲି ସୂଚନା ମିଳିଛି । ତେବେ ଏହି ସମୟରେ ସମସ୍ତ ଦୋକାନବଜାର, ସ୍କୁଲ କଲେଜ ତଥା ଅନ୍ୟ ଜରୁରୀ ସେବାରୁ ବାହାରେ ଥିବା ଅନୁଷ୍ଠାନ ଓ କାର୍ଯ୍ୟାଳୟ ବନ୍ଦ ରହିବ । ମେଡିକାଲ ଷ୍ଟୋର ଖୋଲା ରହିବ ବୋଲି କୁହାଯାଇଛି । ଆଇନ୍ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି । ଏନେଇ ପୌରପାଳିକା ଅଂଚଳରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆଗରୁ ଘୋଷଣା ମଧ୍ୟ କରାଯାଇଛି ।

ସେପଟେ କାଡକଡି ଲାଗୁ ହେବ କରୋନା କଟକଣା । ନିୟମ ଉଲ୍ଲଂଘନ କଲେ ନିସ୍ତାର ନାହିଁ । ସମସ୍ତେ ସହଯୋଗ କଲେ କରୋନାଠାରୁ ଆମେ ଜିତି ପାରିବା । ଏଭଳି ଆହ୍ୱାନ ଦେଇଛନ୍ତି ଅନୁଗୁଳ ଏସପି ଜଗମୋହନ ମୀନା । ଏହା ସହ ସେ କହିଛନ୍ତି ମୁହଁ ଓ ନାକରୁ ତଳକୁ ଖସାଇ ମାସ୍କ ପିନ୍ଧିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଜରିମାନା ଆଦାୟ ହେବ । ତେବେ ମାସ୍କ ବ୍ୟବାହାର କରିନଥିବାରୁ ଜିଲ୍ଲାରେ ମୋଟ ୧୧ ହଜାର ୪୩୫ ଜଣଙ୍କଠାରୁ ୩୬ ଲକ୍ଷ ୨୦ ହଜାର ୨୦୦ ଟଙ୍କା ଜରିମାନା ଆଦାୟ ହୋଇଥିବା ସେ ସୂଚନା ଦେଇଛନ୍ତି । ସାମାଜିକ ଦୂରତା ରକ୍ଷା କରି ନଥିବା ଅଭିଯୋଗରେ ୧୨୪୧ ଜଣ ବ୍ୟକ୍ତିଙ୍କ ବିରୋଧରେ ୩୮୫ଟି ମାମଲା ରୁଜୁ ହୋଇଛି । ଏହା ସହ ୮୯ଟି ଦୋକାନ ସିଲ୍ କରାଯାଇଥିବା ବେଳେ ୫୧୩ ଗାଡି ଜବତ ହୋଇଛି ବୋଲି ଏସପି କହିଛନ୍ତି । ତେବେ ଜନସାଧାରଣ ସହଯୋଗ କରିବାକୁ ସେ ଅପିଲ କରିଛନ୍ତି ।