କନକ ବ୍ୟୁରୋ: ରାଜଧାନୀରେ ଚାଲିଥିଲା କି ବଡ଼ ଷଡ଼ଯନ୍ତ୍ର । ପୁରୀ ବାଇପାସ ରୋଡରେ ଥିବା ଏକ ଭଡା ଘରୁ ସିମ୍ ବକ୍ସ ଜବତ ପରେ ଏପରି ଆଶଙ୍କା ପ୍ରକାଶ ପାଇଛି। ଏକାଧିକ ଅନ୍ତର୍ଜାତୀୟ ନମ୍ୱରକୁ ଗୋଟିଏ ସ୍ଥାନରୁ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ହେଉଥିବା ଜଣାପଡିଛି। ଆଉ ପୋଲିସ ଚଢାଉ କରିବା ପରେ ଆଇଏସଆଇ ଲିଙ୍କ୍ ନେଇ ଚର୍ଚ୍ଚା ବଢ଼ିଛି।

Advertisment
  • ଭୁବନେଶ୍ୱରରେ ବଡ ଧରଣର ସାଇବର ରାକେଟ
  • ସିମ୍ ବକ୍ସରେ କରାଯାଉଥିଲା ଟାର୍ଗେଟ

କଟକ-ପୁରୀ ବାଇପାସରେ ଥିବା ମଙ୍ଗରାଜ ପଏଣ୍ଟର ଗୋଟିଏ ଘର ଭିତରୁ ଗୋଟିଏ କି ଦୁଇଟି ନୁହେଁ, ଏକାଥରେ ସାତ ସାତଟି ସିମ୍ ବକ୍ସ ଜବତ କରିଛି କମିଶନରେଟ ପୋଲିସ । କେବଳ ସିମ୍ ବକ୍ସ ନୁହେଁ, ୫୦୦ରୁ ଅଧିକ ପ୍ରି ଆକ୍ଟିଭ ସିମ୍ ମଧ୍ୟ ଜବତ କରାଯାଇଛି। କୌଣସି ସୂତ୍ରରୁ ସନ୍ଦିଗ୍ଧ କାରବାର ନେଇ ଖବର ପାଇବା ପରେ ସ୍ପେଶାଲ ସ୍କ୍ୱାର୍ଡ ଓ ଲକ୍ଷ୍ମୀସାଗର ଥାନା ପୋଲିସର ମିଳିତ ଟିମ ଭାବେ ଚଢାଉ କରିଥିଲେ। ଆଉ ଘର ଭିତରୁ ମିଳିଥିଲା ସିମ୍ ବକ୍ସ ଓ ତାକୁ ଅପରେଟ କରୁଥିବା ପଶ୍ଚିମବଙ୍ଗର ଜଣେ ଯୁବକ । କେବଳ ସାଇବର ଠକେଇ ପାଇଁ ଏହି ସିମ୍ ବକ୍ସ ଗୁଡିକ ବ୍ୟବହାର ହେଉଥିଲା ନା ଆତଙ୍କୀ କାର୍ଯ୍ୟକଳାପରେ ବ୍ୟବହାର କରାଯାଉଥିଲା ତାହା ତଦନ୍ତ ପରିସରଭୁକ୍ତ ।

  • ଭଡ଼ା ଘରେ ଚାଲିଥିଲା କି ଦେଶ ବିରୋଧୀ କାମ?
  • ଆଇଏସଆଇ ଲିଙ୍କ ନେଇ ବଢ଼ିଲା ଚର୍ଚ୍ଚା!

ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ତା ନିକଟରୁ ଏତେ ପରିମାଣର ସିମ୍ ମିଳିବା ଆତଙ୍କୀ କାର୍ଯ୍ୟକଳାପ ଆଡକୁ ଇଙ୍ଗିତ କରୁଛି। ସିମ୍ ମାଧ୍ୟମରେ ନିଜ ପରିଚୟକୁ ଗୋପନ ରଖି ଅନ୍ତର୍ଜାତୀୟ କଲକୁ ଗୋଟିଏ ସମୟରେ ଏକାଧିକ ଲୋକଙ୍କ ନିକଟକୁ ଟ୍ରାନ୍ସଫର କରାଯାଇପାରିବ ।

ତେଣୁ ରାଜଧାନୀ ଉପକଣ୍ଠରୁ ଜବତ ସିମ ବକ୍ସରୁ କେଉଁ କେଉଁ ଲୋକଙ୍କୁ ଫୋନ୍ ହୋଇଛି ? କେଉଁ ଉଦ୍ଦେଶ୍ୟରେ ଫୋନ୍ ଯାଇଛି ତାହା ସବୁଠାରୁ ବଡ ପ୍ରଶ୍ନ । ସାଇବର ଠକେଇ ଛଡ଼ା ପାଇଁ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ଆତଙ୍କୀ ସଙ୍ଗଠନ ମଧ୍ୟ ସିମ ବକ୍ସକୁ ବ୍ୟବହାର କରିଥାନ୍ତି । ତେଣୁ ରାଜଧାନୀ ଉପକଣ୍ଠରୁ ମିଳିଥିବା ସିମ ବକ୍ସକୁ ନେଇ ସନ୍ଦେହ ବଢିଛି । ତେବେ ସନ୍ଦିଗ୍ଧ ସିମ ବକ୍ସ ଅପରେଟରକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚୁରା ପରେ ପ୍ରକୃତ ତଥ୍ୟ ସାମନାକୁ ଆସିବ ।