ଅନ୍ଧାରରେ ପାକିସ୍ତାନ ! ପାୱାରଗ୍ରୀଡ ଫେଲ ହେବାରୁ ଇସଲାମାବାଦ-ଲାହୋର ସମେତ ସାରାଦେଶରେ ବ୍ଲାକଆଉଟ: ଏବେବି ଅଧାଦେଶରେ ବିଜୁଳି ଗାଏବ

477

କନକ ବ୍ୟୁରୋ: ଅନ୍ଧାରରେ ପାକିସ୍ତାନ । ପାୱାରଗ୍ରୀଡ ଫେଲ ହେବାରୁ ରାଜଧାନୀ ଇସଲାମାବାଦ ଠାରୁ ଆରମ୍ଭ କରି ଲାହୋର ସମେତ ସାରାଦେଶରେ ବ୍ଲାକଆଉଟ ହୋଇଯାଇଥିଲା । ଏବେ ବି ଅଧାଦେଶରେ ବିଜୁଳି ଗାଏବ ରହିଛି । ଶନିବାର ବିଳମ୍ବିତ ରାତିରେ ପାୱାର ବ୍ଲାକଆଉଟ ଯୋଗୁଁ ଅନ୍ଧାରରେ ବୁଡିଯାଇଥିଲା ପାକିସ୍ତାନ । ଡନ୍ ଖବରକାଗଜରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ପାକିସ୍ତାନର ଇସଲାମାବାଦ, କରାଚୀ, ଲାହୋର, ପେଶାୱର, ମୁଲତାନ ଓ ରାୱଲପିଣ୍ଡି ସମେତ ଅନେକ ସହରରେ ପାୱାର ବ୍ଲାକଆଉଟ ହୋଇଯାଇଥିଲା ।

ସୋଶିଆଲ ମିଡିଆରେ ପ୍ରଥମେ ବ୍ଲାକଆଉଟ ଟ୍ରେଣ୍ଡ କରିବା ପରେ ଏପରି ଖବର ସାମ୍ନାକୁ ଆସିଥିଲା । ଏହାରି ଭିତରେ ପାକିସ୍ତାନ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଏନେଇ ଟ୍ୱିଟ କରାଯାଇଥିଲା । ପାୱାର ଟ୍ରାନ୍ସମିସନର ଫ୍ରିକ୍ୱେନ୍ସି ହଠାତ୍ ୫୦ରୁ ୦ରେ ପହଂଚିଯିବାରୁ ଏପରି ବ୍ଲାକଆଉଟ ହୋଇଯାଇଥିବା ସୂଚନା ଦିଆଯାଇଥିଲା । ଏହାପରେ ପାକିସ୍ତାନ ସୂଚନା ମନ୍ତ୍ରୀ ମଧ୍ୟ ଟ୍ୱିଟ କରି କହିଥିଲେ ଯେ ଏନଟିଡିସି ସିଷ୍ଟମରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେଇଛି ଏବଂ ଏହାର ମରାମତି ହେଉଛି ।