ସତର୍କ କରାଇଲା ଆମେରିକାର ମାସାଚ୍ୟୁସେଟସ ଇନଷ୍ଟିଚ୍ୟୁଟ୍ ।  କହିଲା, ୧୩ ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ଜଣେ ହେଉଛନ୍ତି ଚିହ୍ନଟ, କରୋନାର ସାଂଘାତିକ ରୂପ ଏଯାଏଁ ଦେଖିନି ବିଶ୍ୱ ।

1,764

କନକ ବ୍ୟୁରୋ : ଆମେରିକାର ମର୍ଯ୍ୟାଦା ସମ୍ପନ୍ନ ଶିକ୍ଷାନୁଷ୍ଠାନ ମାସାଚ୍ୟୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି , ଏକ ଚିନ୍ତାଜନକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟ ଅନୁସାରେ, ଯଦି ୧୩ ଜଣ କରୋନାରେ ଆକ୍ରାନ୍ତ ହେଉଛନ୍ତି, ତେବେ ତାଙ୍କ ମଧ୍ୟରୁ ମାତ୍ର ଜଣେ କରୋନା ପଜିଟିଭ ଥିବା ଚିହ୍ନଟ ହେଉଛନ୍ତି । ସେହିପରି କରୋନାରେ ଆକ୍ରାନ୍ତ ହୋଇ ଯଦି ୩ ଜଣଙ୍କର ମୃତ୍ୟୁ ହେଉଛି, ତେବେ ଦୁଇ ଜଣଙ୍କ ମୃତ୍ୟୁ କୋଭିଡ୍ ତାଲିକାଭୁକ୍ତ ହେଉଛି । ତୃତୀୟ ମୃତ୍ୟୁ ପାଇଁ ଅନ୍ୟ କାରଣ ଦର୍ଶାଯାଉଛି ।

ଆମେରିକାର ମାସାଚ୍ୟୁସେଟସ ଇନ୍ଷ୍ଟିଚ୍ୟୁଟର ରିପୋର୍ଟ  । ୧୩ ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୧ ଆକ୍ରାନ୍ତ ହେଉଛନ୍ତି ଚିହ୍ନଟ । ୩ ମୃ୍ତକଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ କୋଭିଡ୍ ନୁହେଁ ବୋଲି କୁହାଯାଉଛି ।   ଏପରି ଏକ ଚିନ୍ତାଜନକ ରିପୋର୍ଟ ପ୍ରକାଶ କରିଛି ଆମେରିକାର ନାଁକରା ଶିକ୍ଷାନୁଷ୍ଠାନ ମାସାଚ୍ୟୁସେଟସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲଜି । ୮୪ଟି ଦେଶରେ ଗବେଷଣା କରି ଏପରି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଏହା ପ୍ରକାଶ ପାଇଛି ବିଶ୍ୱର ପ୍ରତିଷ୍ଠିତ ପତ୍ରିକା ‘ଦ ଇକୋନମିଷ୍ଟ’ରେ । ଏହି ରିପୋର୍ଟ କହୁଛି, ଗୋଟିଏ କରୋନା ମାମଲା ରେକର୍ଡ କରାଯାଉଛି, ୧୨ଟି ମାମଲା ରେକର୍ଡ ହୋଇପାରୁନି । ଅର୍ଥାତ ଯଦି ୧୩ ଜଣ କରୋନାରେ ଆକ୍ରାନ୍ତ ହେଉଛନ୍ତି, ତେବେ ତାଙ୍କ ମଧ୍ୟରୁ ମାତ୍ର ଜଣେ କରୋନା ପଜିଟିଭ ଥିବା ଚିହ୍ନଟ ହେଉଛନ୍ତି ।

ଯଦି ମାସାଚ୍ୟୁସେଟସର ଏହି ହିସାବ ସତ ହୋଇଥାଏ, ତେବେ ଆମ ଦେଶରେ ପ୍ରାୟ ୮୪ ଲକ୍ଷ ଲୋକ କୋଭିଡ୍ ଦ୍ୱାରା ଆକ୍ରାନ୍ତ ହୋଇ ସାରିଲେଣି । ଆଉ ଓଡ଼ିଶାରେ ମଧ୍ୟ ଏହି ସଂଖ୍ୟା ଏକ ଲକ୍ଷ ଟପି ସାରିଲାଣି ।    ସେହିପରି ମାସାଚ୍ୟୁସେଟସ ଇନଷ୍ଟିଚ୍ୟୁଟର ରିପୋର୍ଟ ଅନୁସାରେ କରୋନାରେ ଆକ୍ରାନ୍ତ ହୋଇ ଯଦି ୩ ଜଣଙ୍କର ମୃତ୍ୟୁ ହେଉଛି, ତେବେ ଦୁଇ ଜଣଙ୍କ ମୃତ୍ୟୁ କୋଭିଡ୍ ତାଲିକାଭୁକ୍ତ ହେଉଛି । ତୃତୀୟ ମୃତ୍ୟୁ ପାଇଁ ଅନ୍ୟ କାରଣ ଦର୍ଶାଯାଉଛି । କେବଳ ଏତିକି ନୁହେଁ, ମାସାଚ୍ୟୁସେଟସ ଇନଷ୍ଟିଚ୍ୟୁଟ୍ ସତର୍କ କରିଦେଇଛି ଯେ,  କୌଣସି ଫଳପ୍ରଦ ଔଷଧ କିମ୍ବା ଟିକା ନବାହାରିଲେ ସମଗ୍ର ବିଶ୍ୱରେ ୨୦୨୧ ମାର୍ଚ୍ଚ ମାସ ସୁଦ୍ଧା ୨୦ କୋଟିରୁ ୩୦ କୋଟି ଲୋକ କରୋନାରେ ଆକ୍ରାନ୍ତ ହୋଇଯିବେ । ସେହି ସମୟ ମଧ୍ୟରେ ୧୪ ଲକ୍ଷରୁ ୩୭ ଲକ୍ଷ ଲୋକଙ୍କର କରୋନାରେ ମୃତ୍ୟୁ ହେବ ।

ମାସାଚ୍ୟୁସେଟସ ଇନଷ୍ଟିଚ୍ୟୁଟ୍ ଏହା ମଧ୍ୟ କହିଛି, ବିଶ୍ୱର ୯୦ ପ୍ରତିଶତରୁ ଅଧିକ ଲୋକ ସଂକ୍ରମଣର ଶିକାର ହେବା ଆଶଙ୍କା ରହିଛି । କରୋନାର ସବୁଠୁ ସାଂଘାତିକ ରୂପ ଏଯାଏଁ ଦେଖିବାକୁ ମିଳିନି ବୋଲି କହିଛି ଏହି ରିପୋର୍ଟ । ତେବେ କେତେ ଲୋକ ଆକ୍ରାନ୍ତ ହେବେ, ତାହା ନିର୍ଭର କରୁଛି ସାମୁହିକ ଭାବେ କିପରି ଏହି ରୋଗକୁ ଆମେ ପରିଚାଳନା କରୁଛେ । ଭୂତାଣୁର ସଂକ୍ରମଣକୁ ରୋକିବାକୁ ହେଲେ, ତିନିଟି ବିଷୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ – ଟେଷ୍ଟିଂ, ଟ୍ରେସିଂ ଓ ଆଇସୋଲେସନ୍ । ଯଦି ତାହା ଫଳପ୍ରଦ ନହୁଏ, ତେବେ ଲକଡାଉନ୍ । ଲୋକଙ୍କ ଜୀବନଯାପନ ପ୍ରଣାଳୀ ଉପରେ ନିର୍ଭର କରୁଛି, ଏହି ରୋଗ ଠାରୁ କିପରି ଦୂରେଇ ରହିହେବ । ମାସ୍କ ପିନ୍ଧିବା ଅଭ୍ୟାସ କଲେ, ବାରମ୍ବାର ସାବୁନ ପାଣିରେ ହାତ ଧୋଇଲେ ଏବଂ ଉନ୍ନତମାନର ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ତିଆରି କରାଗଲେ ଏହି ବିପଦ ହ୍ରାସ ପାଇବ ।