କନକ ବ୍ୟୁରୋ : ଓଡିଶା ଷ୍ଟାଫ ସିଲେକ୍ସନ କମିଶନରେ ନିଯୁକ୍ତି ଦୁର୍ନୀତି ନେଇ ଅଭିଯୋଗର ଖୋଳତାଡ କରୁଛି ଭିଜିଲାନ୍ସ । ଏପରିକି ବହୁ ପରିମାଣର ଟଙ୍କା କାରବାର ହୋଇଥିବା ଜଣାପଡିବା ପରେ ପ୍ରବର୍ତନ ନିର୍ଦ୍ଦେଶାଳୟ ନିଜଆଡୁ ମାମଲାରେ ପ୍ରବେଶ କରିଛି । ଆଉ ଏହାରି ଭିତରେ ଓଏସଏସସି ଅର୍ଥାତ ଓଡିଶା ସବ-ଅର୍ଡିନେଟ୍ ଷ୍ଟାଫ ସିଲେକ୍ସନରେ ନିଯୁକ୍ତି ଦୁର୍ନୀତି ନେଇ ଅଭିଯୋଗ ଆସିଛି ।

Advertisment

ନିମାପଡାର ଜଣେ ଯୁବକ ରାଜେଶ ବରାଳ ଏନେଇ ସାଂଘାତିକ ଅଭିଯୋଗ କରିଛନ୍ତି । ତାଙ୍କ ଗାଁର ଜଣେ ଝିଅ ସୁଜାତା ସ୍ୱାଇଁଙ୍କୁ ଷ୍ଟାଟିଷ୍ଟିକାଲ ଫିଲ୍ଡ ସର୍ଭେୟର ପଦବୀରେ ନିଯୁକ୍ତି ମିଳିବା ପରେ ଏହାକୁ ନେଇ ସେ ଆପତ୍ତି ଉଠାଇଥିଲେ । ଏପରିକି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା । କନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ କିଛିଦିନ ପରେ ତାଙ୍କ ଘର ଠିକଣାରେ ଏକ ଚିଠି ପହଂଚିଥିଲା । ଏଥିରେ ଓଡିଶା ସବ-ଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ ପରୀକ୍ଷାରେ ସୁଜାତାଙ୍କ ନମ୍ବର ସହ ଅଭିଯୋଗକାରୀ ରାଜେଶ ବରାଳଙ୍କର ନମ୍ବର ମଧ୍ୟ ରହିଥିଲା ।

ହେଲେ ଜାଣିଲେ ଆହୁରି ଆଶ୍ଚର୍ଯ୍ୟ ହେବେ ଏହି ପରୀକ୍ଷା କେବେ ଦେଇନଥିଲେ ରାଜେଶ । ଏପରିକି ସେତେବେଳକୁ ତାଙ୍କର ବୟସ ୩୮ ବର୍ଷ ହୋଇସାରିଥିଲା । ତେବେ ସୁଜାତା ସ୍ୱାଇଁଙ୍କୁ ଚାକିରି ଦେବା ପଛରେ ଲୋକସେବା ଭବନର ଜଣେ ଡ୍ରାଇଭର ସୁରେନ୍ଦ୍ର ଭୋଇଙ୍କ ସଂପୃକ୍ତି ଥିବା ସେ ଅଭିଯୋଗ କରିଛନ୍ତି । ନିମାପଡାର ଏହି ବ୍ୟକ୍ତିଙ୍କ ସଂପର୍କରେ ପୂର୍ବରୁ ଅଭିଯୋଗ ଆଣି ଭିଜିଲାନ୍ସରେ ଫେରାଦ ହୋଇଥିଲେ ଆଇନଜୀବୀ ସୁଧୀର ମହାନ୍ତି ।