ଜୈସ୍ ମୁଖ୍ୟ ମସୁଦର କିଡନି ଫେଲ୍ । ପାକ୍ ସେନା ହସ୍ପିଟାଲରେ ଚାଲିଛି ଚିକିତ୍ସା

141

କନକ ବ୍ୟୁରୋ: ଜେଇଏମ୍ (ଜୈସ-ଏ-ମହମ୍ମଦ) ମୁଖ୍ୟ ମସୁଦ୍ ଆଝାର ପାକିସ୍ତାନରେ ଅଛି ବୋଲି ଶୁକ୍ରବାର ପାକ୍ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେଶି ସ୍ବୀକାର କରିବା ସହ ସେ ଅସୁସ୍ଥ ଥିବା କହିଥିଲେ। କିନ୍ତୁ ଗତକାଲି ମସୁଦର ସ୍ଥିତି ସଂପର୍କରେ ସବୁକଥା ସ୍ପଷ୍ଟ ହୋଇଛି। ମସୁଦର କିଡନି ଅକାମୀ ହୋଇ ଯାଇଛି ଏବଂ ସେ ପାକିସ୍ତାନର ରାୱଲପିଣ୍ଡି ସ୍ଥିତ ସେନା ହସ୍ପିଟାଲ୍ରେ ଚିକିତ୍ସିତ ହେଉଛି। ଏବେ ତା’ର ନିୟମିତ କିଡନି ଡାୟଲିସିସ୍ କରାଯାଉଛି ବୋଲି ମିଳିଥିବା ରିପୋର୍ଟରୁ ଜଣାପଡ଼ିଛି। ପାକ୍ ସେନାର ମୁଖ୍ୟାଳୟ ସ୍ଥିତ ହସ୍ପିଟାଲ୍ରେ ମସୁଦ୍ ଏବେ ଚିକିତ୍ସିତ ହେଉଥିବା ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ସୁତ୍ରରୁ ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ପାକ୍ ବିଦେଶ ମନ୍ତ୍ରୀ କ୍ୟୁରେଶି ଶୁକ୍ରବାର ସିଏନଏନକୁ ଦେଇଥିବା ସାକ୍ଷାତକାରରେ କହିଥିଲେ ଯେ ମସୁଦ୍ ପାକିସ୍ତାନରେ ହିଁ ରହିଛି ଏବଂ ସେ ଅସୁସ୍ଥ। ଏପରିକି ସେ ଏତେ ଅସୁସ୍ଥ ଯେ ଘର ଛାଡ଼ିବାକୁ ବି ସକ୍ଷମ ନୁହେଁ ବୋଲି କ୍ୟୁରେଶି କହିଥିଲେ। ଅନ୍ୟପକ୍ଷରେ, ମସୁଦ୍ ଏକ ଆତଙ୍କବାଦୀ ବୋଲି ପାକିସ୍ତାନ ଜାଣିଥିଲେ ସୁଦ୍ଧା ତା’ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ପାଇଁ ବାରମ୍ବାର ଭାରତକୁ ପ୍ରମାଣ ମାଗୁଛି। ପ୍ରମାଣ ପାକିସ୍ତାନ କୋର୍ଟରେ ଗ୍ରହଣୀୟ ହେଲେ ମସୁଦ୍ ବିରୋଧରେ ଆଇନତଃ କାର‌୍ୟ୍ୟାନୁଷ୍ଠାନ ନେବ ବୋଲି କ୍ୟୁରେଶି କହିଥିଲେ। ତେବେ ପୂର୍ବରୁ ଦିଆଯାଇଥିବା ଅନେକ ବଳିଷ୍ଠ ପ୍ରମାଣକୁ ପାକିସ୍ତାନ କାହିଁକି ବ୍ୟବହାର କରିନାହିଁ ବୋଲି ଭାରତ ପ୍ରଶ୍ନ କରିଛି।