ପୁଲୱାମା ହମଲାକୁ ନେଇ ମୋଦିଙ୍କୁ ଘେରିବା ବେଳେ ରାହୁଲଙ୍କ ଖସିଲା ପାଟି : ମାସୁଦ ଅଜହର ଜୀ ସମ୍ବୋଧନ କଲେ କଂଗ୍ରେସ ଅଧ୍ୟକ୍ଷ

374

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ ମୋଦି ସରକାର ଓ ଏନଏସଏ ଅଜିତ ଡୋଭାଲଙ୍କୁ ଘେରାଉ ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଟି ଖସିଯାଇଛି । ସେ ମାସୁଦ ଅଜହର ଜୀ ସମ୍ବୋଧନ କରି ଅଡୁଆରେ ପଡିଛନ୍ତି । ଦିଲ୍ଲୀରେ ବୁଥ ଅଧ୍ୟକ୍ଷଙ୍କ ସମ୍ମିଳନୀକୁ ସମ୍ବୋଧନ ବେଳେ ରାହୁଲ ମାସୁଦ ଅଜହର ଜି କହିଛନ୍ତି । ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କୁ ଆକ୍ଷେପ କରିବା ସମୟରେ ରାହୁଲ ଗାନ୍ଧୀ କହିଛନ୍ତି ପୁଲୱାମା ହମଲାରେ ସିଆରପିଏଫର ୪୪ ଜଣ ଯବାନ ସହିଦ ହୋଇଛନ୍ତି । ସିଆରପିଏଫ ବସ୍ ଉପରେ କିଏ ବୋମା ମାଡ କଲା, ଆତଙ୍କୀ ସଂଗଠନ ଜୈଶ ଏ ଅହମ୍ମଦ… ମସୁଦ ଅଜହର । ଏହି ସମୟରେ ରାହୁଲ ମସୁଦକୁ ଜୀ ବୋଲି ସମ୍ବୋଧନ କରିଥିଲେ ।

ସେହି ଭିଡିଓକୁ ଟ୍ୱିଟରରେ ପୋଷ୍ଟ କରି ବିଜେପି ନେତା କଂଗ୍ରେସ ଓ ରାହୁଲଙ୍କୁ ଟାର୍ଗେଟ କରୁଛନ୍ତି । ବିଜେପି କହିଛନ୍ତି ଏଥିରୁ ଜଣାପଡିଛି ଦେଶର ୪୪ ଯବାନଙ୍କ ଜୀବନ ନେଇଥିବା ଆତଙ୍କବାଦୀ ମସୁଦ ଅଜହର ପ୍ରତି ରାହୁଲଙ୍କର କେତେ ସମ୍ମାନ ରହିଛି ।